ସରପଞ୍ଚ ପଦବୀ ପାଇଁ ୩ ମାମୁଁ-ଭାଣିଜୀଙ୍କ ମଧ୍ୟରେ ଲଢେଇ

ଖଡିଆଳ,୫।୨(ଡି.ଏନ୍‌.ଏ.): ରାଜନୀତିରେ କ୍ଷମତା ପାଇଁ ବାପପୁଅ, କକାପୁତୁରା, ଭାଇଭାଇ ମଧ୍ୟରେ ନିର୍ବାଚନରେ ଲଢୁଥିବା ନଜିର ରହିଥିବା ବେଳେ ନୂଆପଡ଼ା ଜିଲାରେ ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି। ଯାହାକୁ ନେଇ ଚର୍ଚ୍ଚାରେ ଖଡିଆଳ ବ୍ଲକ ସୁନାରୀସିକୁଆଁ ପଞ୍ଚାୟତ। ଚଳିତ ନିର୍ବାଚନରେ ସୁନାରୀସିକୁଆଁ ପଞ୍ଚାୟତ ସରପଞ୍ଚ ପଦବୀ ପାଇଁ ୩ଜଣ ମାମୁଁ ଏବଂ ଭାଣଜୀଙ୍କ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିଛି। ସେହିପରି ସମିତି ସଭ୍ୟ ପଦ ପାଇଁ ବଡ଼ମା’ ଏବଂ ଝିଆରୀଙ୍କ ମଧ୍ୟରେ ଲଢ଼େଇ ନିର୍ବାଚନ ସରଗରମକୁ ବଢ଼ାଇ ଦେଇଛି।

ମିଳିଥିବା ସୂଚନା ମୁତାବକ, ସୁନାରୀସିକୁଆଁ ପଞ୍ଚାୟତ ସରପଞ୍ଚ ପଦ ଅଣସଂରକ୍ଷିତ ବର୍ଗଙ୍କ ପାଇଁ ସଂରକ୍ଷଣ ଥିବା ବେଳେ ସମିତି ସଭ୍ୟ ପଦ ମହିଳାଙ୍କ ପାଇଁ ଅଣସଂରକ୍ଷଣ ହୋଇଥିଲା। ସରପଞ୍ଚ ପଦ ପାଇଁ ବର୍ତ୍ତମାନ ୫ଜଣ ପ୍ରାର୍ଥୀ ନିର୍ବାଚନୀ ପ୍ରଚାର ଆରମ୍ଭ କରିଦେଇଛନ୍ତି। ୨ ଭାଇ ଚୁଳମଣି ବୈଠାରୁ ଏବଂ ଜଗମୋହନ ବୈଠାରୁ ନିର୍ବାଚନ ଲଢୁଥିବା ବେଳେ ଜଣେ ସମ୍ପର୍କୀୟ ଭାଇ ନିଳଗିରି ଦାଶ ମଧ୍ୟ ନିର୍ବାଚନୀ ମଇଦାନକକୁ ଓହ୍ଲାଇଛନ୍ତି।

୩ ମାମୁଁଙ୍କ ସହ ମୁକାବିଲା କରିବାକୁ ଯୁକ୍ତ ୩ ପ୍ରଥମ ବର୍ଷରେ ପଢୁଥିବା ଭାଣଜୀ ଭୋଲେଶରୀ ଦାସ ମଧ୍ୟ ପ୍ରାର୍ଥୀ ଭାବେ ପ୍ରଚାରକୁ ଜୋରଦାର କରିଛନ୍ତି। ଭୋଲେଶରୀ ଭବାନୀପାଟଣା ବିଶ୍ୱବିଦ୍ୟାଳୟରେ ରାଜନୀତି ବିଜ୍ଞାନରେ ଯୁକ୍ତ ୩ ପ୍ରଥମ ବର୍ଷ ଛାତ୍ରୀ। ନୂତନ ପଞ୍ଚାୟତ ମାନ୍ୟତା ପାଇଥିବା ସୁନାରୀସିକୁଆଁରେ ଏଥର ୩ ମାମୁଁ ଚୁଳମଣି, ଜଗମୋହନ ଏବଂ ନିଳଗିରୀ ମଧ୍ୟ ନିଜ ଅଭିଜ୍ଞତା ସହ ପଞ୍ଚାୟତର ସାମୂହିକ ବିକାଶର ପ୍ରତିଶ୍ରୁତି ଦେଇ ଭୋଟ ଭିକ୍ଷା କରୁଛନ୍ତି। ଯାହା କି ନିର୍ବାଚନ ପାଣିପାଗକୁ ଆହୁରି ରୋଚକ କରିଛି। ସେହିପରି ପଞ୍ଚାୟତର ସମିତି ସଭ୍ୟ ପଦ ପାଇଁ ବଡମା’ ବୃନ୍ଦାବତି ବୈଠାରୁ ଏବଂ ଝିଆରୀ ଗିତାଞ୍ଜଳି ବୈଠାରୁଙ୍କ ମଧ୍ୟରେ ଲଢ଼େଇ ରାଜନୈତିକ ପାଣିପାଗକୁ ସରଗରମ କରିଛି। ତେବେ ଗଣତନ୍ତ୍ରରେ ନିର୍ବାଚନ ଲଢ଼ିବା ସମସ୍ତଙ୍କ ଅଧିକାର ରହିଛି।

Share