ଖଇରା,୧୩।୨(ଡି.ଏନ.ଏ.): ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବାଲେଶ୍ୱର ଜିଲା ଖଇରା ବ୍ଲକ ଗର୍ସଙ୍ଗ ୬ନଂ ଜିଲା ପରିଷଦ ଜୋନରେ ୩ ମହିଳା ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି। ବିଜେଡିରୁ ସୁଷମା ମହାପାତ୍ର, ଭାଜପାରୁ ମିନାକ୍ଷୀ ମହାପାତ୍ର ଓ କଂଗ୍ରେସରୁ ବୀଣାପାଣି ଶୁକ୍ଳ ମଇଦାନକୁ ଓହ୍ଳାଇଛନ୍ତି। ଏହି ୩ ପ୍ରାର୍ଥୀଙ୍କ ଘର ଗର୍ସଙ୍ଗ କାନ୍ଥିସାହିରେ ହୋଇଥିବା ବେଳେ ସେମାନେ ସମ୍ପର୍କରେ ୩ ଯାଆ। ବିଜେଡିର ସୁଷମା ୨ଥର ଜିଲା ପରିଷଦ ସଭ୍ୟା ଭାବେ ବିଜୟୀ ହୋଇଥିବା ବେଳେ ଏଥର ହ୍ୟାଟ୍ରିକ ଲକ୍ଷ୍ୟରେ ପ୍ରଚାର ଚଳାଇଛନ୍ତି। ଗତ ୨୦୧୭ରେ ନିର୍ବାଚନ ଲଢୁଥିବା ଭାଜପାର ମିନାକ୍ଷୀ ପୁନର୍ବାର ପ୍ରତିଦ୍ୱନ୍ଦ୍ୱିତାକୁ ଓହ୍ଲାଇଛନ୍ତି। ସେହିଭଳି କଂଗ୍ରେସର ବୀଣାପାଣି ନୂଆମୁହଁ ହୋଇଥିବାରୁ କଂଗ୍ରେସର ଆଦର୍ଶ ଓ ବିଚାରଧାରାକୁ ପାଥେୟ କରି ନିର୍ବାଚନ ବୈତରଣୀ ପାର ହେବାକୁ ଆଶା ରଖିଛନ୍ତି। ବିଜେଡି ପାଇଁ ପର୍ଯ୍ୟଟନ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଭାଜପା ପାଇଁ ପୂର୍ବତନମନ୍ତ୍ରୀ ପଦ୍ମଲୋଚନ ପଣ୍ଡା, ଯୁବନେତା ନୀଳମାଧବ ପଣ୍ଡା ଏବଂ କଂଗ୍ରେସ ପାଇଁ ପ୍ରାକ୍ତନ ଏମ୍ପି ତଥା ପୂର୍ବତନ ରାଜ୍ୟ ଉପସଭାପତି ଅନନ୍ତ ପ୍ରସାଦ ସେଠୀ ପ୍ରଚାର ମଙ୍ଗ ଧରିଛନ୍ତି ା ଗର୍ସଙ୍ଗରେ କଂଗ୍ରେସର ଭଲ ଭୋଟ ବ୍ୟାଙ୍କ ଥିବା ବେଳେ ଅନ୍ୟ ୭ଟି ପଞ୍ଚାୟତରେ ସଙ୍ଗଠନ ସୁଦୃଢ ନ ଥିବାରୁ ଲଢେଇ ମୁଖ୍ୟତଃ ବିଜେଡି ଓ ଭାଜପା ମଧ୍ୟରେ ହେବାର ସମ୍ଭାବନା ଅଧିକ। ରପେୟା, ବଡଜୟୀପୁର, ମାଣିତ୍ରୀ ଭଳି କିଛି ପଞ୍ଚାୟତରେ ବିଜେଡିର ଅସନ୍ତୁଷ୍ଟ ଗୋଷ୍ଠୀକୁ ନିଜ ପକ୍ଷକୁ ନେବାକୁ ଭାଜାପା ପ୍ରାର୍ଥୀ ଉଦ୍ୟମ କରୁଥିବା ବେଳେ ବିଜେଡି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଜ୍ୟୋତିପ୍ରକାଶଙ୍କ ବିକାଶମୂଳକ କାର୍ଯ୍ୟକୁ ନେଇ ନିର୍ବାଚନ ବୈତରଣୀ ପାର ହେବାକୁ ଆଶା ବାନ୍ଧିଛନ୍ତି। ମାଣିତ୍ରୀ ଭଳି କିଛି ପଞ୍ଚାୟତରେ ବିଜେଡି ସମର୍ଥତ୍ତ ସରପଞ୍ଚ ସମିତିସଭ୍ୟା ପ୍ରାର୍ଥୀଙ୍କୁ ହରାଇବାକୁ ବିରୋଧୀ ଏକଜୁଟ ହୋଇଥିବା ବେଳେ ସାରଡାଙ୍ଗ, ଝିଙ୍କିରିଆ, ଗର୍ସଙ୍ଗ ଓ ଅନ୍ତରାରେ ଦ୍ୱିମୁଖୀ ପ୍ରତିଦ୍ୱନ୍ଦିତା ହେଉଥିବାରୁ ହାରଜିତ ବ୍ୟବଧାନ ହାର ଯଥେଷ୍ଟ କମ୍ ରହିବ ବୋଲି ଅନୁମାନ କରାଯାଉଛି।