ବଳିଥିବା ଭାତ, ଡାଲମାକୁ ନେଇ ମହିଳାଙ୍କ ମଧ୍ୟରେ ମାରପିଟ୍‌

ଧରାକୋଟ,୨୮ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଧରାକୋଟ ଥାନା ଅଧୀନ ପାଙ୍କଳବାଡ଼ି ଗ୍ରାମରେ କୁମାରପୂର୍ଣ୍ଣିମା ପରେ ଝିଅମାନେ ଚାନ୍ଦା ଆଦାୟ କରି ପାଲା ପରିବେଷଣ କରାଇଥିଲେ। ପରେ ଭୋଜି ଭାତର ଆୟୋଜନ କରିଥିଲେ। ଭୋଜିରେ ବଳିଥିବା ଭାତ, ଡାଲମା ଘରକୁ ନେବାକୁ ନେଇ ଦୁଇ ଗୋଷ୍ଠୀ ମହିଳାଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ପରେ ମାରପିଟ ହେବାରୁ ଅଶ୍ୱିନୀ ଗୌଡ ନାମକ ଜଣେ ଆହତ ହୋଇ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଧରାକୋଟ ଥାନାରେ ଏନେଇ ସେ ଏତଲା ଦେଇଥିଲେ। ପୋଲିସ ଏକ ମାମଲା (ନଂ. ୧୮୮/୨୧) ରୁଜୁ କରି ବଳରାମ ଡାକୁଆ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ସେହିପରି ଅନ୍ୟ ଗୋଷ୍ଠୀ ପକ୍ଷରୁ ଆରତୀ ଡାକୁଆ ଅନ୍ୟ ପକ୍ଷର ଅଶ୍ୱିନୀ ଓ ତାଙ୍କ ସହଯୋଗୀଙ୍କ ବିରୋଧରେ ଏତଲା ଦେଇଛନ୍ତି। ଏ ନେଇ ପୋଲିସ ଏକ ମାମଲା(ନଂ.୧୮୯/୨୧) ରୁଜୁ କରି ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ପ୍ରଭାତ କୁମାର ବେହେରା ପ୍ରକାଶ କରିଛନ୍ତି।

Share