କରୋନା ସହିତ ଲଢ଼େଇ ରାଜନୈତିକ ନୁହେଁ, ଏହା ଜୀବନ ବଞ୍ଚାଇବା ଯୁଦ୍ଧ: ସଞ୍ଜୟ ରାଉତ

ନୂଆଦିଲ୍ଲୀ, ୧୭।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ଜାରି ରହିଛି। ତେବେ ଏହାକୁ ନେଇ ରାଜନୀତି କରାଯିବା ଅନୁଚିତ। କରୋନା ସହିତ ଲଢ଼େଇ ରାଜନୈତିକ ନୁହେଁ। ଏହା ଜୀବନ ବଞ୍ଚାଇବାର ଯୁଦ୍ଧ ବୋଲି ଗୁରୁବାର ଶିବସେନା ଏମ୍‌ପି ସଞ୍ଜୟ ରାଉତ ରାଜ୍ୟ ସଭାରେ କହିଛନ୍ତି। ପୂର୍ବରୁ କେନ୍ଦ୍ରୀୟ ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ କହିଥିଲେ ଯେ ମହାରାଷ୍ଟ୍ରରେ କରୋନା ସଂକ୍ରମଣ ସର୍ବାଧିକ ରହିିଛି। ଏହାର ଜବାବରେ ସଞ୍ଜୟ ଏଭଳି କହିଛନ୍ତି। ସେ କହିଛନ୍ତି ଯେ, ମୋ ମା’ ଏବଂ ଭାଇ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ମହାରାଷ୍ଟ୍ରର ବହୁ ଆକ୍ରାନ୍ତ ଏବେ ସୁସ୍ଥ ହେବାରେ ଲାଗିଛନ୍ତି। ଏସିଆର ସର୍ବବୃହତମ ବସ୍ତି ଧରାବୀରେ ଏବେ ସ୍ଥିତି ନିୟନ୍ତ୍ରଣ ମଧ୍ୟରେ ରହିଛି। ଧରାବୀରେ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା ପ୍ରତିଷେଧକ ମୂଳକ ବ୍ୟବସ୍ଥାକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପ୍ରଶଂସା କରିଛି ବୋଲି ସଞ୍ଜୟ କହିଛନ୍ତି। ଏପରିସ୍ଥଳେ କୌଣସି ରାଜନୈତିକ ଉଦ୍ଦେଶ୍ୟ ରଖି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରାଯିବ ଅନୁଚିତ। ବରଂ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହିତ ମିଳିମିଶି କରୋନା ଲଢ଼େଇରେ ସାମିଲ ହେବା ଆବଶ୍ୟକ ବୋଲି ସେ କହିଛନ୍ତି।

Share