ଛେଳି ଚୋରିକୁ ନେଇ କଳି

ପାରଳାଖେମୁଣ୍ଡି,୭ା୩: ଛେଳି ଚୋରିକୁ ନେଇ କଳି ହୋଇଛି। ଘଟଣାକୁ ନେଇ ଆନ୍ଧ୍ର ଓ ଓଡ଼ିଶା ପୋଲିସ ମୁହାଁମୁହିଁ ହୋଇଛନ୍ତି। ଗଜପତି ଜିଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ସୀମାନ୍ତ ଗଙ୍ଗାବାଡ ପଞ୍ଚାୟତ ମାଣିକପାଟଣା ଗାଁରେ ରବିବାର ଏହି ଘଟଣା ଘଟିଛି। ଗତ କିଛି ଦିନ ହେବ ଗାଁରୁ ଛେଳି ଚୋରି ହେଉଥିଲା। କିଏ ଏହା କରୁଛି ତାହା ଜଣାପଡୁ ନ ଥିଲା। ଲୋକେ ଚୋର ଧରିବାକୁ ଶନିବାର ରାତିତମାମ ଗାଁରେ ଛପି ଜଗି ବସିଥିଲେ। ଛେଳି ଚୋରି କରିବାକୁ ଯାଇଥିବା ୨ଜଣ ଚୋରଙ୍କୁ ସେମାନେ ରବିବାର ଧରିଥିଲେ। ପରେ ଘଟଣା ସମ୍ପର୍କରେ ମାଣିକପାଟଣା ସରପଞ୍ଚ ହରିବନ୍ଧୁ କାର୍ଜୀ ସ୍ଥାନୀୟ ଗାରାବନ୍ଧ ଥାନାକୁ ଜଣାଇଥିଲେ। ଗାରାବନ୍ଧ ପୋଲିସ ପହଞ୍ଚି ଦୁଇ ଚୋରଙ୍କୁ ଥାନାକୁ ଆଣୁଥିବା ବେଳେ ଖବରପାଇ ପଡ଼ୋଶୀ ଆନ୍ଧ୍ର ପୋଲିସ ମାଣିକପାଟଣା ଗାଁରେ ପହଞ୍ଚି ଏହା ଆନ୍ଧ୍ର ସୀମାରେ ହୋଇଥିବାରୁ ଓଡ଼ିଶା ପୋଲିସ ଚୋରଙ୍କୁ ଗିରଫ କରିପାରିବ ନାହିଁ ବୋଲି କହିଥିଲା। ଫଳରେ ସେଠାରେ ଉଭୟ ରାଜ୍ୟର ପୋଲିସଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।

ଓଡ଼ିଶା ପୋଲିସଙ୍କ ସହ ଯୁକ୍ତି କରିଥିଲେ। ଓଡ଼ିଶା ପୋଲିସ ନେଇ ଯାଇଥିବା ଗାଡ଼ିକୁ ସେଠାରେ ଅଟକାଇ ଥିଲେ। ମାଣିକପାଟଣା ଗାଁ ଲୋକେ ଉତ୍ତ୍ୟକ୍ତ ହୋଇ ଆନ୍ଧ୍ର ପୋଲିସକୁ ଠେଲାପେଲା କରି ଓଡ଼ିଶା ପୋଲିସକୁ ମୁକୁଳାଇ ଚୋରଙ୍କୁ ଗାରାବନ୍ଧ ଥାନାକୁ ଆଣିଥିଲେ। ଦୁଇ ଛେଳି ଚୋର ଏ. ନବୀନ ଓ ଜି.ଆନନ୍ଦ ବର୍ତ୍ତମାନ ଗାରାବନ୍ଧ ଥାନାରେ ଅଟକ ଅଛନ୍ତି। ଏନେଇ ଥାନାରେ ନଂ.୧୯/୨୨ରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି। ଦୁହେଁ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲା କୁରଲମ୍‌ ଗ୍ରାମର ବୋଲି ଗାରାବନ୍ଧ ଥାନା ଅଧିକାରୀ ସର୍ବେଶ୍ୱର ସାମନ୍ତରାୟ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଗତବର୍ଷ ଫେବୃୟାରୀରେ ସୀମାନ୍ତ ମାଣିକପାଟଣାରେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲା। ହେଲେ ଏହାକୁ ମାଣିକପାଟଣାବାସୀ ଓ ଜିଲା ପ୍ରଶାସନ ବିରୋଧ କରିବାରୁ ଶେଷରେ ସେଠାରେ ନିର୍ବାଚନ ବାତିଲ ହୋଇଥିଲା। ବାରମ୍ବାର ଆନ୍ଧ୍ର ଏହି ଅଞ୍ଚଳରେ ପ୍ରବେଶ କରି ନିଜର ସ୍ଥିତି ଜାହିର କରିବାକୁ ଚେଷ୍ଟା କରିଛି।

 

Share