ଭାରତ ଯୋଡ଼ୋ ଯାତ୍ରାରେ ଗଣ୍ଡଗୋଳ

ଚଣ୍ଡିଖୋଲ,୫ା୧୧(ଡି.ଏନ୍‌.ଏ.): ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ପକ୍ଷରୁ ସାରାଦେଶରେ ଭାରତ ଯୋଡ଼ୋ ଯାତ୍ରା ଚାଲିଛି। ଓଡ଼ିଶାରେ ଏହିଯାତ୍ରାର ୫ମଦିନରେ ଶୁକ୍ରବାର ଯାଜପୁର ଜିଲାର ପ୍ରବେଶଦ୍ୱାର ଛତିଆଠାରେ ପଦଯାତ୍ରା ପହଞ୍ଚତ୍ଛି। ଏଠାରେ ବଡ଼ଚଣା କଂଗ୍ରେସ ତରଫରୁ ପଦଯାତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଛତିଆ-ନେଳିଆଠାରେ ବଡ଼ଚଣା କଂଗ୍ରେସ ନେତା ରାଜନାରାୟଣ ମହାପାତ୍ର ଓ ଅଜୟ ସାମଲଙ୍କ ଗୋଷ୍ଠୀ ପକ୍ଷରୁ ଏହି ଯାତ୍ରାକୁ ସ୍ବାଗତ କରାଯାଇଥିଲା। ତେବେ ଗତ ବିଧାନସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଅଜୟ ସାମଲ ସ୍ବାଗତ କରିବାକୁ ଯାଇଥିବା ବେଳେ ତାଙ୍କୁ ଗୋଟିଏ ଗୋଷ୍ଠୀ ତରଫରୁ ମାଡ଼ ମରାଯାଇଛି। ଫଳରେ ସେ ଗୁରୁତର ହୋଇ କଟକ ବଡ଼ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ତେବେ ଭାରତଯୋଡ଼ୋ ଯାତ୍ରା କରି ଲୋକଙ୍କୁ ସାଙ୍ଗରେ ନେବାକୁ କଂଗ୍ରେସ ଚେଷ୍ଟା କରୁଛି। ହେଲେ ଯାଜପୁର ଜିଲାରେ ଏଭଳି ଅପ୍ରୀତିକର ପରିସ୍ଥିତିରୁ ଦଳ ଯୋଡ଼ିହେବ ନା ଆହୁରି ଭାଙ୍ଗିବ ସେନେଇ ଆଲୋଚନା ଚାଲିଛି।
ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଭୁବନେଶ୍ୱରରୁ ବାହାରି ଥିବା ଏହି ପଦଯାତ୍ରାରେ ରାଜ୍ୟର ବହୁ ବରିଷ୍ଠ କଂଗ୍ରେସ ନେତା ଯୋଗଦେଇଛନ୍ତି। କଂଗ୍ରେସକୁ ଆଗାମୀ ଦିନରେ ଅଧିକ ଶକ୍ତିଶାଳୀ କରିବା ଲାଗି ତଥା ସାଧାରଣ ଲୋକଙ୍କ ସହିତ ସମ୍ପର୍କ ସ୍ଥାପନ ପାଇଁ ଏହି ଯାତ୍ରା ହେଉଥିବା ପକ୍ଷରୁ ପକ୍ଷରୁ କୁହାଯାଇଛି। ଏଥିରେ ପୂର୍ବତନ ଏମ୍‌ପି ରାମଚନ୍ଦ୍ର ଖୁଣ୍ଟିଆ, ଜିଲା କଂଗ୍ରେସ ପର୍ଯ୍ୟବେକ୍ଷକ ଅମୀୟ ପଟ୍ଟନାୟକ, ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ା, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ଜିଲା କଂଗ୍ରେସ ସଭାପତି ମନୋଜ କୁମାର ରାଉତ, ଜିଲା ଛାତ୍ର କଂଗ୍ରେସ ସଭାପତି ଅନନ୍ତ କୁମାର ଦାସ, ରାଜ୍ୟ କଂଗ୍ରେସ ମୁଖପାତ୍ର ମାନସ କୁମାର କର, ପୂର୍ବତନ ବିଧାୟକ ଭୂଜବଳ ମାଝିଙ୍କ ସମେତ ବହୁ ବରିଷ୍ଠ କଂଗ୍ରେସ ନେତା ଯୋଗ ଦେଇଛନ୍ତି। ଆହତ ବଡ଼ଚଣା କଂଗ୍ରେସ ନେତା ସାମଲଙ୍କୁ ପଚାରିବାରୁ ସେ କୁହନ୍ତି, ସ୍ବାଗତ କରିବା ସମୟରେ କେତେଜଣ ଯୁବକ ତାଙ୍କୁ ଆକ୍ରମଣ କରିଥିଲେ। ଗୁରୁତର ହୋଇ ସେ ଚିକିତ୍ସିତ ହେଉଛନ୍ତି। ମେଡିକାଲରୁ ଫେରିବା ପରେ ଥାନାରେ ଅଭିଯୋଗ କରିବେ ବୋଲି ସେ କହିଛନ୍ତି।

Share