Categories: ଜାତୀୟ

ସୁପ୍ରିମକୋର୍ଟରେ ଲଢ଼େଇ

ନୂଆଦିଲ୍ଲୀ,୧।୮(ପି.ଟି.): ମହାରାଷ୍ଟ୍ରରେ ଶିବସେନାର ବିଦ୍ରୋହୀ ଗୋଷ୍ଠୀ ଉଦ୍ଧବ ଠାକ୍‌ରେ ସରକାରଙ୍କୁ ହଟାଇ ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ସରକାର ଗଢ଼ିବା ପରେ ପ୍ରକୃତ ଶିବସେନା କିଏ, ତାକୁ ନେଇ ବିବାଦ ଦେଖାଦେଇଛି। ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚତ୍ଥିବାବେଳେ ଉଦ୍ଧବ ଠାକ୍‌ରେ ଗୋଷ୍ଠୀର ସମସ୍ତ ପିଟିଶନକୁ ଖାରଜ କରିବା ଲାଗି ମୁଖ୍ୟମନ୍ତ୍ରୀ ଏକନାଥ ଦାବି କରିଛନ୍ତି। ପ୍ରକୃତ ଶିବସେନା କିଏ, ନିଷ୍ପତ୍ତି ନିର୍ବାଚନ କମିଶନ (ଇସି)ଙ୍କ ଉପରେ ଛଡ଼ାଯାଉ ବୋଲି ସେ ଯୁକ୍ତି ରଖିଛନ୍ତି। ତାଙ୍କ ପାଖରେ ସେନାର ଅଧିକ ବିଧାୟକ ଓ ସାଂସଦ ଥିବା ଏକନାଥ ଦାବି କରିଆସୁଛନ୍ତି। ଗଣତାନ୍ତ୍ରିକ ଉପାୟରେ ସଂଖ୍ୟାଗରିଷ୍ଠଙ୍କ ଦ୍ୱାରା ନିଆଯାଇଥିବା ଦଳର ଆଭ୍ୟନ୍ତରୀଣ ନିଷ୍ପତ୍ତିରେ ଅଦାଲତ ହସ୍ତକ୍ଷେପ କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ନିର୍ବାଚନ କମିଶନ ପ୍ରକୃତ ଶିବସେନା ସମ୍ପର୍କରେ ନିଷ୍ପତ୍ତି ନେଉ, ଏହା ଉଦ୍ଧବ ଠକ୍‌ରେଙ୍କ ଗୋଷ୍ଠୀ ଚାହୁନାହାନ୍ତି। ଏକନାଥଙ୍କ ନେତୃତ୍ୱାଧୀନ ବିଦ୍ରୋହୀ ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରିବା ଆବେଦନ ବିଚାରାଧୀନ ଥିବାରୁ ଇସିଙ୍କୁ ନିଷ୍ପତ୍ତି ନେବାକୁ ଦିଆ ନ ଯାଉ ବୋଲି ଉଦ୍ଧବ ଗୋଷ୍ଠୀ ଗତ ସୋମବାର ସର୍ବୋଚ୍ଚ ଅଦାଲତରେ ଆବେଦନ କରିଥିଲେ। ତେବେ ୧୫ ବିଧାୟକଙ୍କ ଗୋଷ୍ଠୀ ୩୯ ଜଣିଆ ବିଧାୟକ ଗୋଷ୍ଠୀଙ୍କୁ ବିଦ୍ରୋହୀ କହିପାରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସୁପ୍ରିମକୋର୍ଟ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ଅଗଷ୍ଟ ୩ରେ ପରିବର୍ତ୍ତୀ ଶୁଣାଣି କରିବାକୁ ଧାର୍ଯ୍ୟ କରିଛନ୍ତି।

Share