Categories: ବାଣିଜ୍ୟ

ଅହମଦାବାଦରେ ଫିକିର ଜାତୀୟ କାର୍ଯ୍ୟନିର୍ବାହୀ କମିଟି ବୈଠକ

ଭୁବନେଶ୍ୱର, ୬।୧୦:ଦେଶର ପ୍ରମୁଖ ଶିଳ୍ପ ସଙ୍ଗଠନ ତଥା ଫେଡେରେଶନ ଅଫ୍‌ ଇଣ୍ଡିଆନ୍‌ ଚାମ୍ବର୍ସ ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି)ର ଜାତୀୟ କାର୍ଯ୍ୟନିର୍ବାହୀ କମିଟି ବୈଠକ ଅହମଦାବାଦଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ରଭାଇ ପଟେଲ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ପରିପ୍ରେକ୍ଷୀରେ ପଟେଲ ଉପସ୍ଥିତ ବ୍ୟକ୍ତିବିଶେଷଙ୍କୁ ସମ୍ବୋଧନକରି କହିଥିଲେ, ଗୁଜରାଟ ରାଜ୍ୟ ସହ ଫିକିର ଦୀର୍ଘ ସହଭାଗିତା ଏବଂ ବିଭାଗୀୟ ନୀତି ନିର୍ଦ୍ଧାରଣରେ ଏହାର ଯୋଗଦାନକୁ ପଟେଲ ଉଚ୍ଚ ପ୍ରଶଂସା କରିଥିଲେ। ଏପରିକି ରାଜ୍ୟରେ ଏକ ବୃହତ୍‌ ପୁଞ୍ଜି ବିନିଯୋଗକୁ ଆକର୍ଷିତ କରିବାରେ ଏହା ବେଶ୍‌ ସହାୟତା କରିଛି। ଏହି ଅବସରରେ ଫିକିର ସଭାପତି ତଥା ଇମ୍ଫାର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରକାନ୍ତ ପଣ୍ଡା କହିଥିଲେ, ଗୁଜରାଟ ଗତ ୨ ଦଶନ୍ଧି ମଧ୍ୟରେ ବାର୍ଷିକ ୧୫%ର ଚକ୍ରବୃଦ୍ଧି ହାରରେ ବିକାଶ କରି ଉଲ୍ଲେଖନୀୟ ପ୍ରଗତି ହାସଲ କରିଛି। ବିଶେଷକରି ଗୁଜରାଟରେ ୧୦୦ରୁ ଊର୍ଦ୍ଧ୍ୱ ପ୍ରମୁଖ ଆନ୍ତର୍ଜାତିକ କମ୍ପାନୀ ଏବଂ ୧୩ ଲକ୍ଷ କ୍ଷୁଦ୍ର, ମଧ୍ୟମ ଓ ଲଘୁ ଉଦ୍ୟୋଗ କାର୍ଯ୍ୟକ୍ଷମ ଥିବାବେଳେ ଭାରତର ରପ୍ତାନିରେ ଗୁଜରାଟର ଏକ ତୃତୀୟାଂଶ ଯୋଗଦାନ ରହିଛି। ବିଶ୍ୱର ତୃତୀୟ ବୃହତମ ଅର୍ଥନୀତିରେ ପରିଣତ ହେବା ପାଇଁ ଭାରତର ଅଗ୍ରଗତି ରାଜ୍ୟର ନିରନ୍ତର ଯୋଗଦାନ ଉପରେ ନିର୍ଭର କରିବ। ଅନ୍ୟମାନଙ୍କ ମଧ୍ୟରେ ଫିକିର ଉପସଭାପତି ହର୍ଷବର୍ଦ୍ଧନ ଅଗ୍ରୱାଲ ଏବଂ ପୂର୍ବ ସଭାପତି ପଙ୍କଜ ପଟେଲ ଏବଂ ରାସେସ୍‌ ଶାହା ପ୍ରମୁଖ ଉପସ୍ଥିତ ଥିଲେ। ଅପରପକ୍ଷରେ ଡିପିଆଇଆଇଟିର ସ୍ବତନ୍ତ୍ର ସଚିବ ସୁମିତା ଦାୱଡା ପ୍ରଧାନମନ୍ତ୍ରୀ ଗତି ଶକ୍ତି ନ୍ୟାଶନାଲ ମାଷ୍ଟର ପ୍ଲାନ୍‌ ଉପରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ।

Share