ନୂଆଦିଲ୍ଲୀ,୩୦।୪: ଫେଡେରେଶନ ଅଫ୍ ଇଣ୍ଡିଆନ ଚାମ୍ବର୍ସ ଅଫ୍ କର୍ମସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି)ର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଶନିବାର ଚେନ୍ନାଇଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିକିର ଜାତୀୟ କାର୍ଯ୍ୟକାରିଣୀ ବୈଠକକୁ ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ତାମିଲନାଡୁର ଆଇଟି ଓ ଡିଜିଟାଲ ସର୍ଭିସ ମନ୍ତ୍ରୀ ଏମ୍.ଥଙ୍ଗାରାଜ୍,ଏମ୍ଏସ୍ଏମ୍ଇ ମନ୍ତ୍ରୀ ଟି.ଏମ୍. ଅନବରସନ୍ଙ୍କ ସମେତ ଫିକିର ବହୁ ବରିଷ୍ଠ ପଦାଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ଫିକି-ଡେଲୋଏଟ୍ ଦ୍ବାରା ପ୍ରସ୍ତୁତ ନଲେଜ୍ ପେପର ଅତିଥିମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା। ଉକ୍ତ ପୁସ୍ତିକାରେ ୨୦୩୦-୩୧ ସୁଦ୍ଧା ତାମିଲନାଡୁ କିପରି ଏକ ଟ୍ରିଲିୟନ୍ ଡଲାର ଅର୍ଥନୀତିରେ ପରିଣତ ହେବ ସେ ସମ୍ପର୍କରେ ବିସ୍ତୃତ ଉଲ୍ଲେଖ କରାଯାଇଛି।
ଏ ସମ୍ପର୍କରେ ଫିକି ଅଧ୍ୟକ୍ଷ ତଥା ଇମ୍ଫାର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରକାନ୍ତ ପଣ୍ଡା କହିଛନ୍ତି, ଦେଶର ୧୫% ପିଏଚ୍.ଡି. ଏବଂ ୧୧% ସ୍ନାତକୋତ୍ତର କେବଳ ତାମିଲନାଡୁରୁ ହୋଇଥିବା ବେଳେ ଏହି ମାନବ ସମ୍ବଳ ଜରିଆରେ ତାମିଲନାଡୁ ଆଗାମୀ ଦିନରେ ଉଭୟ ଗବେଷଣା ଏବଂ ଉଦ୍ଭାବନର ପେଣ୍ଠସ୍ଥଳୀ ହୋଇପାରିବ ବୋଲି ପଣ୍ଡା ମତପ୍ରକାଶ କରିଛନ୍ତି। ଅପରପକ୍ଷରେ ପଣ୍ଡା ଚେନ୍ନାଇ ଗସ୍ତ ସମୟରେ ଦକ୍ଷିଣ ଭାରତର ୬ଟି ଶିଳ୍ପ ସମ୍ବନ୍ଧୀୟ ଆସୋସିଏସନକୁ ନେଇ ଗଠନ ହୋଇଥିବା କନ୍ସଲଟିଭ୍ କମିଟି ଅଫ୍ ସିଟି ଚାମ୍ବର ଅଫ୍ କର୍ମସ ଦ୍ୱାରା ଆୟୋଜିତ ଏକ ସ୍ବତନ୍ତ୍ର ସମାରୋହରେ ସମ୍ବର୍ଦ୍ଧିତ ହୋଇଥିଲେ। ଉକ୍ତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ଉଦ୍ବୋଧନ ଦେଇ ପଣ୍ଡା ଦେଶର ଆଗାମୀ ଅର୍ଥନୈତିକ ସମ୍ଭାବନା ସମ୍ବନ୍ଧରେ ବିସ୍ତୃତ ଆଲୋକପାତ କରିଥିଲେ।