ଭୁବନେଶ୍ୱର,୬।୩(ବ୍ୟୁରୋ): ଲିମ୍ଫାଟିକ ଫାଇଲେରିଆସିସ୍(ଏଲ୍ଏଫ୍) ନିରାକରଣ ନିମନ୍ତେ ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୭ଟି ସୀମାନ୍ତ ଜିଲାରେ ସାମୂହିକ ଔଷଧ ସେବନ(ଏମ୍ଡିଏ) କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ। ଏହା ୭ରୁ ଆରମ୍ଭ ହୋଇ ମାର୍ଚ୍ଚ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଏମ୍ଡିଏ କାର୍ଯ୍ୟକାରୀ ହେବାକୁ ଥିବା ୭ଟି ଜିଲା ମଧ୍ୟରେ ବରଗଡ଼, କେନ୍ଦୁଝର, କନ୍ଧମାଳ, ମୟୁରଭଞ୍ଜ, ସୋନପୁର, ସୁନ୍ଦରଗଡ଼ ଓ ସମ୍ବଲପୁର ରହିଛି। ଏହି ପରିପ୍ରେକ୍ଷୀରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗ୍ଲୋବାଲ୍ ହେଲ୍ଥ ଷ୍ଟ୍ରାଟେଜି ସହିତ ମିଶି ୭ରେ ସମ୍ବଲପୁର ଜିଲାରେ ଏକ ଉଦ୍ଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ରାଜ୍ୟରୁ ଏଲ୍ଏଫ୍ର ନିରାକରଣ କରିବା ନିମନ୍ତେ ଫାଇଲେରିଆ ନିରୋଧୀ ଔଷଧ ସେବନର ଫାଇଦା ସମ୍ପର୍କରେ ଜନସଚେତନତା ସୃଷ୍ଟି କରାଯିବ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ବତନ୍ତ୍ର ଶାସନ ସଚିବ ଡା. ଅଜିତ କୁମାର ମହାନ୍ତି କହିଛନ୍ତି।