ଫାଇଲେରିଆ: କିଛି କଥା

ଫାଇଲେରିଆ ସବୁ ରୋଗ ତୁଳନାରେ ଯନ୍ତ୍ରଣାଦାୟକ, ବିକୃତ ଓ ଦୁର୍ବଳ କରୁଥିବା ରୋଗ। ଏହା ବିଶ୍ୱର ଦ୍ୱିତୀୟ ରୋଗ, ଯାହା ରୋଗୀକୁ ଅସାମର୍ଥ୍ୟ କରିଦିଏ। ପୃଥିବୀର ୮୩ଟି ଦେଶରେ ୧୨୦ ନିୟୁତ ଫାଇଲେରିଆ ରୋଗୀ ଅଛନ୍ତି। ଦକ୍ଷିଣ ପୂର୍ବ ଏସିଆର ଏହା ଗୋଟିଏ ଜନସ୍ବାସ୍ଥ୍ୟ ସମସ୍ୟା। ୧୧ଟି ଦେଶ ମଧ୍ୟରୁ ୯ଟି ଦେଶର ଲୋକମାନଙ୍କ ମଧ୍ୟରେ ପରିଦୃଷ୍ଟ। ଏହା ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ମତ।
ଭାରତରେ ଦେଖାଯାଉଥିବା ଫାଇଲେରିଆ ରୋଗର ପରଜୀବୀ ନାମ ‘ଭଚେରିଆ ବ୍ୟଙ୍କ୍ରପ୍ଟି’। ବୟସ୍କ ପରଜୀବୀ ୫-୭ବର୍ଷ ପର୍ଯ୍ୟନ୍ତ ବଞ୍ଚତ୍ ରହେ। ଏହା ନିୟୁତ ସଂଖ୍ୟାରେ ଶିଶୁ ପରଜୀବୀକୁ ଜନ୍ମଦିଏ। ଏହି ରୋଗ ଶିଶୁ ବୟସରେ ଆରମ୍ଭ ହୁଏ। ଫାଇଲେରିଆ ରୋଗ ଗୋଟିଏ ସାମାଜିକ କଳଙ୍କ। କ୍ୟୁଲେକ୍ସ ମଶା ଦ୍ୱାରା ଏହି ସଂକ୍ରମଣ ହୋଇଥାଏ। ରୋଗର ନିଦାନଗୁଡିକ ହେଉଛି-ହାତଗୋଡ ଓ ଅଣ୍ଡକୋଷ ଫୁଲିବା, ମହିଳାମାନଙ୍କର ସ୍ତନ ବୃଦ୍ଧି, ଦୁଗ୍ଧ ପରି ଧଳା ପରିସ୍ରା କିମ୍ବା ରକ୍ତ ପରିସ୍ରା, ଶୁଖିଲା କାଶ ଲାଗି ରହିବା (ପରଜୀବୀ ଫୁସଫୁସରେ ଅବସ୍ଥାନ କଲେ), ଲିଙ୍ଗର ଆକାର ବୃଦ୍ଧି, ପାଦ ଓ ଆଙ୍ଗୁଠି ଫୁଲି ସନ୍ଧିରେ ଜୀବାଣୁ ଓ ଫଙ୍ଗସ ସଂକ୍ରମଣ ଲାଗି ରହିବା ଇତ୍ୟାଦି। ଅବିବାହିତ ଝିଅର ଗୋଦର ଗୋଡ ସମାଜରେ ଅପବାଦ।
ଭାରତକୁ ଫାଇଲେରିଆ ନିରାକରଣ ୨୦୨୦ ବର୍ଷ ସୁଦ୍ଧା କରିବା ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ସମୟ ଧାର୍ଯ୍ୟ କରିଥିଲେ। କିନ୍ତୁ ଏହା ସମ୍ଭବ ହେଲା ନାହିଁ। ବର୍ତ୍ତମାନ ସାର୍ବଜନୀନ ଫାଇଲେରିଆ ଔଷଧ ସେବନ ପ୍ରକ୍ରିୟା ଜାରି ରହିଛି। ଫଳରେ ରୋଗର ପ୍ରସାର କମି ଗଲାଣି। କିନ୍ତୁ ରୋଗୀ ଆରୋଗ୍ୟ ହେଉନାହିଁ। ଆମ ଦେଶରେ ଆଜି ସୁଦ୍ଧା ୧୫ ନିୟୁତ ମୁମୂର୍ଷୁ ଗୋଦର ଫାଇଲେରିଆ ରୋଗୀ ଚିକିତ୍ସା ଅଭାବରୁ ଅବହେଳିତ ଓ ସେମାନେ କଷ୍ଟକର ଜୀବନଯାପନ କରୁଛନ୍ତି। ଆର୍ଥତ୍କ, ପାରିବାରିକ, ସାମାଜିକ ଓ ମାନସିକ ଦୁର୍ଦ୍ଦଶା ଭୋଗ କରୁଛନ୍ତି। କେତେକେ ଭିକ୍ଷା ବୃତ୍ତିକୁ ଆପଣେଇ ନେଇଛନ୍ତି।
ଫାଇଲେରିଆ ରୋଗରେ ମୃତ୍ୟୁହାର ନଗଣ୍ୟ। ରୋଗୀ ସାରା ଜୀବନ ଯନ୍ତ୍ରଣା ଭୋଗ କରେ। ଗୋଦର ଗୋଡ ଓ ହାତ ନିକର୍ମା କରିଦିଏ। ମୃତ୍ୟୁ ପର୍ଯ୍ୟନ୍ତ ପରଜୀବୀ ଜୀବନ ବିତାଇବାକୁ ପଡେ। ଏହି ପରିସ୍ଥିତିକୁ ବିଚାର କରି ପ୍ରଶାସନ ଫାଇଲେରିଆ ରୋଗୀମାନଙ୍କର ଉପଯୁକ୍ତ ଚିକିତ୍ସା ପାଇଁ ସ୍ବତନ୍ତ୍ର ଡାକ୍ତରଖାନା ପ୍ରତିଷ୍ଠା କରନ୍ତୁ। ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ସେମାନଙ୍କର ଚିକିତ୍ସା ହେଉ। ଫାଇଲେରିଆ ରୋଗ ନିରାକରଣ ସହିତ ଅସୁସ୍ଥ ରୋଗୀର ସୁଚିକିତ୍ସା ବାଞ୍ଛନୀୟ। ନଚେତ୍‌ ‘ନିରାଶ୍ରୟ ମାଂ ଜଗଦୀଶ ରକ୍ଷ’।

ଡା. ଦ୍ୱିଜେଶ କୁମାର ପଣ୍ଡା
-ବରିଷ୍ଠ ଫାଇଲେରିଆ ବିଶେଷଜ୍ଞ,
ଭୁବନେଶ୍ୱର, ମୋ: ୯୪୩୮୪୭୦୭୭୭