ହାଇକୋର୍ଟରେ ରିପୋର୍ଟ ଦାଖଲ

କଟକ ଅଫିସ,୧୬ା୧୨: ରାଜ୍ୟରେ ଖାଲି ପଡିଥିବା ଡାକ୍ତର ପଦବୀ ପୂରଣ ସମ୍ପର୍କିତ ମାମଲାର ଶୁଣାଣି ବୁଧବାର ହାଇକୋର୍ଟରେ ହୋଇଥିଲା। ୩୦ଟି ଜିଲାର ଆଇନସେବା ପ୍ରାଧିକରଣ(ଡିଏଲଏସଏ) ପକ୍ଷରୁ ମୁଦା ଲଫାପା ମଧ୍ୟରେ ତଦନ୍ତ ରିପୋର୍ଟ ହାଇକୋର୍ଟଙ୍କ ନିକଟରେ ଦାଖଲ କରାଯାଇଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜାନୁୟାରୀ ୮କୁ ଧାର୍ଯ୍ୟ କରାଯାଇଛି।
ଆବେଦନକାରୀ ଚିତ୍ତରଞ୍ଜନ ମହାନ୍ତି ପିଟିଶନରେ ଦର୍ଶାଇଥିଲେ, ରାଜ୍ୟର ବିଭିନ୍ନ ସରକାରୀ ହସ୍ପିଟାଲରେ ବହୁ ସଂଖ୍ୟକ ପଦବୀ ଖାଲି ପଡିଛି। ସେହିପରି ସରକାରୀ ହସ୍ପିଟାଲରେ ଚାକିରି କରି ଡାକ୍ତରମାନେ ଠିକ୍‌ ସମୟରେ ରୋଗୀ ସେବା କରୁନାହାନ୍ତି। ଏହା ବଦଳରେ ଡାକ୍ତରମାନେ ଘରୋଇ ହସ୍ପିଟାଲରେ ପ୍ରାକ୍ଟିସ କରୁଛନ୍ତି। ଫଳରେ ସ୍ବାସ୍ଥ୍ୟସେବା ବାଧାପ୍ରାପ୍ତ ହେଉଛି। ହାଇକୋର୍ଟ ଗତ ନଭେମ୍ବର ୧୬ରେ ଜିଲାସ୍ତରରେ ୪ ଜଣିଆ କମିଟି ଗଠନ ପାଇଁ ପ୍ରତ୍ୟେକ ଡିଏଲ୍‌ଏସ୍‌ଏଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି କମିଟି ପ୍ରତ୍ୟେକ ଜିଲାର ସମସ୍ତ ଗୋଷ୍ଠୀ, ପ୍ରାଥମିକ ଓ ଜିଲା ମୁଖ୍ୟ ଡାକ୍ତରଖାନା ଗସ୍ତକରି ଡାକ୍ତର ଏବଂ ଷ୍ଟାଫମାନଙ୍କ କାର୍ଯ୍ୟ ଅନୁଧ୍ୟାନ କରିବ। ଏହି ସମୟରେ ସେମାନଙ୍କ ଉପସ୍ଥିତି ଖାତାକୁ ମଧ୍ୟ ଅନୁଧ୍ୟାନ କରାଯିବ। ସେହିପରି କମିଟି ସଦସ୍ୟମାନେ ହସ୍ପିଟାଲର ସ୍ବଚ୍ଛତା, ପରିମଳ, ଶୌଚାଳୟ,ବିଦ୍ୟୁତ୍‌ ଓ ଭିତ୍ତିଭୂମି ବ୍ୟବସ୍ଥାର ତଦାରଖ, ଔଷଧ, ଉପକରଣ ଅଛି କି ନାହିଁ, ଆମ୍ବୁଲାନ୍ସର ଉପଲବ୍ଧତାକୁ ଅନୁଧ୍ୟାନ କରିବେ। ଏହି ସମସ୍ତ ତଥ୍ୟ ଫଟୋ ଓ ଭିଡିଓ ମାଧ୍ୟମରେ ସଂଗ୍ରହ କରାଯିବ। ପରେ ପ୍ରତି ଜିଲାର ଉପରୋକ୍ତ ତଥ୍ୟ ଓ ଡାକ୍ତରଖାନାର ଖାଲି ପଦବୀ ସମ୍ପର୍କରେ ହାଇକୋର୍ଟରେ ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

Share