Categories: ଖେଳ

ଭୂତିଆଙ୍କ ପ୍ରାର୍ଥିପତ୍ର ଦାଖଲ

ନୂଆଦିଲ୍ଲୀ, ୨୦ା୮(ପି.ଟି.): ଆଗାମୀ ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ନିର୍ବାଚନରେ ସଭାପତି ପଦ ପାଇଁ କିମ୍ବଦନ୍ତୀ ବାଇଚୁଙ୍ଗ ଭୂତିଆ ସଭାପତି ପଦ ପାଇଁ ତାଙ୍କ ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି। ଏହି ମର୍ଯ୍ୟାଦାପୂର୍ଣ୍ଣ ପଦବୀ ପାଇଁ ପୂର୍ବତନ ଖେଳାଳି କଲ୍ୟାଣ ଚୌବେ ମୁଖ୍ୟ ଦାବିଦାର ବୋଲି କୁହାଯାଉଛି। ପୂର୍ବତନ ଅଧିନାୟକ ଭୂତିଆଙ୍କ ପ୍ରସ୍ତାବକ ହୋଇଛନ୍ତି ତାଙ୍କର ଏକଦା ଟିମ୍‌ମେଟ୍‌ ଥିବା ଦୀପକ ମଣ୍ଡଳ। ଏହାକୁ ସମର୍ଥନ କରିଛନ୍ତି ମଧୁ କୁମାରୀ। ଜଣେ ଜଣାଶୁଣା ଖେଳାଳି ହିସାବରେ କୁମାରୀ ଇଲେକ୍ଟୋରାଲ କଲେଜର ଅଂଶବିଶେଷ ଅଛନ୍ତି। ଫୁଟ୍‌ବଲ ଦିଲ୍ଲୀର ସଭାପତି ଶାଜି ପ୍ରଭାକରନ ମଧ୍ୟ ସଭାପତି ପଦ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି। ସେହିପରି ୟୁଜେନ୍‌ସେନ୍‌ ଲିଙ୍ଗ୍‌ଦୋ ମେଘାଳୟ ଫୁଟ୍‌ବଲ ଆସୋସିଏଶନ ଜରିଆରେ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭାଇ ଅଜିତ ବାନାର୍ଜୀ ମଧ୍ୟ ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି। ଲିଙ୍ଗ୍‌ଦୋ ବର୍ତ୍ତମାନ ମେଘାଳୟ ବିଧାନସଭାରେ ଜଣେ ବିଧାୟକ ଅଛନ୍ତି। ପ୍ରାର୍ଥତ୍ପତ୍ର ଦାଖଲ ଶେଷ ତାରିଖ ଶୁକ୍ରବାର ଶେଷ ହୋଇଛି। ଚୌବେ ହେଉଛନ୍ତି ଭାରତର ଜଣେ ପୂର୍ବତନ ଗୋଲକିପର। ସେ ଉଭୟ ମୋହନବାଗାନ ଓ ଇଷ୍ଟବେଙ୍ଗଲ ପକ୍ଷରୁ ଖେଳିଥାନ୍ତି। ସେ ହେଉଛନ୍ତି ଭୂତିଆଙ୍କ ସମସାମୟିକ। ଚୌବେ ହେଉଛନ୍ତି ଶାସକ ଭାଜପାର ଜଣେ ସଦସ୍ୟ। ଗୁଜରାଟ ଏଫ୍‌ସି ତାଙ୍କ ପ୍ରସ୍ତାବକ ରହିଥିବା ବେଳେ ଅରୁଣାଚଳ ପ୍ରଦେଶ ଫୁଟ୍‌ବଲ ଆସୋସିଏଶନ ତାଙ୍କ ସମର୍ଥକ ହୋଇଛି। ଦେଶର ସ୍ବରାଷ୍ଟ୍ରମନ୍ତ୍ରୀ ଗୁଜରାଟରୁ ଆସିଛନ୍ତି। ଅରୁଣାଚଳର କିରେନ ରିଜିଜୁ ଆଇନ ମନ୍ତ୍ରଣାଳୟ ମୁଖ୍ୟ ଅଛନ୍ତି। କାର୍ଯ୍ୟନିର୍ବାହୀ କମିଟି ପାଇଁ ଏଆଇଏଫ୍‌ଏଫ୍‌ର ନିର୍ବାଚନ ଅଗଷ୍ଟ ୨୮ରେ ହେବାର କାର୍ଯ୍ୟକ୍ରମ ରହିଛି। ଚୌବେ ଜଣେ ସାଧାରଣ ପ୍ରାର୍ଥୀ ଭାବେ ନିର୍ବାଚନରେ ଅବତୀର୍ଣ୍ଣ ହୋଇଛନ୍ତି। ଦେଶର ସର୍ବୋଚ୍ଚ ଫୁଟବଲ ପରିଚାଳନା ପରିଷଦ ବିଶିଷ୍ଟ ଖେଳାଳିମାନଙ୍କ ଦ୍ୱାରା ପରିଚାଳିତ ହେଉ ବୋଲି ବିଶ୍ୱ ଫୁଟ୍‌ବଲ ଗଭର୍ନିଂବଡି ଫିଫା ଚାହେଁନା।

Share