Categories: ଜାତୀୟ

ସୂଚନା କମିଶନ ପଦବୀ ପୂରଣ କର

ନୂଆଦିଲ୍ଲୀ,୩୧ା୧୦: କେନ୍ଦ୍ରୀୟ ସୂଚନା କମିଶନ (ସିଆଇସି) ଏବଂ ରାଜ୍ୟ ସୂଚନା କମିଶନ (ଏସ୍‌ଆଇସି)ଗୁଡ଼ିକରେ ଖାଲିଥିବା ପଦବୀଗୁଡ଼ିକୁ ପୁରଣ କରିବା ପାଇଁ ପଦକ୍ଷେପ ନେବା ସକାଶେ ସୋମବାର ସୁପ୍ରିମକୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟଥା ୨୦୦୫ରେ ପ୍ରଣୀତ ସୂଚନା ଅଧିକାର (ସୂଚନା ଅଧିକାର) ଆଇନ ଏକ ‘ମୃତପତ୍ର’ ପାଲଟିଯିବ ବୋଲି ତିନିଜଣିଆ ଖଣ୍ଡପୀଠ ସତର୍କ କରାଇଛନ୍ତି।
ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ତଥା ଜଷ୍ଟିସ୍‌ ଜେ.ବି. ପରଦିଓ୍ବାଲା ଏବଂ ମନୋଜ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ସିଆଇସି, ଏସ୍‌ଆଇସିରେ ଖାଲି ପଦବୀ ପୂରଣ ସକାଶେ କେନ୍ଦ୍ର ଓ ରାଜ୍ୟ ସରକାରମାନେ ବିଫଳ ହୋଇଥିବା ଦର୍ଶାଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଥିସହ କାର୍ମିକ ଓ ତାଲିମ ବିଭାଗ (ଡିଓପିଟି)କୁ ସବୁ ରାଜ୍ୟରୁ ଏସ୍‌ଆଇସିରେ ମଞ୍ଜୁରୀପ୍ରାପ୍ତ ସହ ଖାଲି ପଦବୀ ଏବଂ ଗଡ଼ୁଥିବା ମାମଲା ସଂଖ୍ୟା ସମ୍ପର୍କିତ ତଥ୍ୟ ସଂଗ୍ରହ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
କର୍ମୀ ଅଞ୍ଜଳି ଭରଦ୍ୱାଜଙ୍କ ଆବେଦନର ଶୁଣାଣି କରି ସିଜେଆଇ ଚନ୍ଦ୍ରଚୂଡ଼ କହିଥିଲେ, ଝାଡ଼ଖଣ୍ଡ, ତ୍ରିପୁରା ଓ ତେଲଙ୍ଗାନା ଭଳି ରାଜ୍ୟଗୁଡ଼ିକରେ ଏସ୍‌ଆଇସି ଅକାମୀ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ୩ ସପ୍ତାହ ମଧ୍ୟରେ ସମସ୍ତ ତଥ୍ୟ ସଂଗ୍ରହ କରି ଦାଖଲ କରିବାକୁ କେନ୍ଦ୍ର ଓ ରାଜ୍ୟକୁ ସିଜେଆଇ ସମୟ ଦେଇଛନ୍ତି। ପ୍ରକାଶ ଯେ, ୨୦୧୯ ଫେବୃୟାରୀ ୧୫ରେ ସୁପ୍ରିମକୋର୍ଟ ନିଜ ରାୟରେ କହିଥିଲେ, କେବଳ ଅମଲାତନ୍ତ୍ରୀଙ୍କୁ ନିଯୁକ୍ତି ନ ଦେଇ ସୂଚନା କମିଶନ ଅଧିକାରୀଙ୍କ ଚୟନ ବେଳେ ସ୍ବଚ୍ଛତା ଅବଲମ୍ବନ ପୂର୍ବକ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ଲାଭ କରିଥିବା ବ୍ୟକ୍ତିବିଶେଷଙ୍କୁ ମଧ୍ୟ ସାମିଲ କରାଯିବା ଉଚିତ। ଏଥିସହ ଓଡ଼ିଶା, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଗୁଜରାଟ, ନାଗାଲାଣ୍ଡ, ଆନ୍ଧ୍ର ପ୍ରଦେଶ, କେରଳ ଓ କର୍ନାଟକରେ ସୂଚନା କମିଶନ ପଦବୀ ଅବିଳମ୍ବେ ପୂରଣ କରିବାକୁ ସମ୍ପୃକ୍ତ ରାଜ୍ୟଗୁଡ଼ିକର ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅଞ୍ଜଳି ଖାଲି ପଦବୀ ପୂରଣ ସକାଶେ ସୁପ୍ରିମକୋର୍ଟଙ୍କ ୨୦୧୯ ରାୟର ଅବତାରଣା କରି ଏହାର ଅନୁପାଳନ ହେଉ ନ ଥିବା ନିଜ ଆବେଦନରେ ଜଣାଇଥିଲେ। ଏଥିସହ ଓଡ଼ିଶା ଏସ୍‌ଆଇସିରେ ୧୬,୭୦୩ ମାମଲା ବିଚାରାଧୀନ ଥିବା ମଧ୍ୟ ଦର୍ଶାଇଥିଲେ। ୩ ସପ୍ତାହ ପରେ ଏହାର ଶୁଣାଣି ହେବ।

Share