ମୁମ୍ବାଇ: ରଶି୍ମକା ମନ୍ଧାନା ଓ ଅମିତାଭ ବଚ୍ଚନଙ୍କ ଅଭିନୀତ ଫିଲ୍ମ ‘ଗୁଡ ବାୟ’ ଅକ୍ଟୋବରରେ ରିଲିଜ୍ ହେବାକୁ ପୂରାପୂରି ପ୍ରସ୍ତୁତ ହୋଇଗଲାଣି । ଏବେ ଶୁଣିବାକୁ ମିଳିଛି କି ଫିଲ୍ମ ରିଲିଜର ଗୋଟିଏ ଦିନ ପୂର୍ବରୁ ଏହାର ଟିକେଟ ୧୫୦ ଟଙ୍କାରେ ବିକ୍ରି କରାଯିବ । ରାଷ୍ଟ୍ରୀୟ ସିନେମା ଦିବସ ପରେ ‘ଗୁଡ ବାୟ’ ପ୍ରଥମ ଫିଲ୍ମ ଯାହାର ଟିକେଟ ୧୫୦ ଟଙ୍କାରେ ବିକ୍ରି କରାଯିବ । ଟିକେଟର ଦାମ୍ ଏତେ କମ୍ ଥିବାରୁ ଏହା ସିନେପ୍ରେମିଙ୍କୁ ଚକିତ କରିଛି । ତେବେ ଏକତା କପୁରଙ୍କ ଆକାଉଣ୍ଟ ବାଲାଜି ମୋସନ ପିକ୍ଚର୍ସ ଟୁଇଟରରେ ଏକ ଭିଡିଓ ଶେୟାର କରି ଲେଖିଛି, ଏହି ଶୁକ୍ରବାର ୧୫୦ ଟଙ୍କାରେ ନିଜର ଟିକେଟ ବୁକ କରନ୍ତୁ । ତେଣୁ ଟିକେଟର ଦାମ ଏତେ କମ ଥିବାରୁ ଏହା ଦର୍ଶକଙ୍କ ମନରେ ଖୁସି ଭରି ଦେଇଛି ।
ସୂଚନାଯୋଗ୍ୟ, ‘ଗୁଡ ବାୟ’ ମାଧ୍ୟମରେ ରଶ୍ମିକା ତାଙ୍କର ବଲିଉଡ ଡେବ୍ୟୁ କରୁଛନ୍ତି । ଏହା ବିକାଶ ବେହେଲଙ୍କ ଦ୍ୱାରା ଲିଖିତ ଓ ନିର୍ଦ୍ଦେଶିତ ଏକ କମେଡି ଡ୍ରାମା ଫିଲ୍ମ । ଏହି ଫିଲ୍ମରେ ବରିଷ୍ଠ କଳାକାର ନିନା ଗୁପ୍ତା ବି ନଜର ଆସିବେ ।