Categories: ଜାତୀୟ

‘ଫିଲ୍ମ ଇଣ୍ଡଷ୍ଟ୍ରିକୁ ଭୋଗିବାକୁ ପଡ଼ିବ’

ମୁମ୍ବାଇ,୨୦।୧୦: ହାଇ ପ୍ରୋଫାଇଲ ପ୍ରକୃତି କାରଣରୁ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଟାର୍ଗେଟ କରାଯାଉଛି। ଏଥିଲାଗି ବଲିଉଡ୍‌କୁ ପାଉଣା ଦେବାକୁ ପଡ଼ିବ। ଏଭଳି କହିଛନ୍ତି ଜଣାଶୁଣା ଲିରିସିଷ୍ଟ ଜାଭେଦ ଆଖତର। ବଲିଉଡ୍‌ ଷ୍ଟାର ଶାହରୁଖ ଖାନଙ୍କ ପୁଅ ଡ୍ରଗ୍ସ ଜବତ ମାମଲାରେ ଗିରଫ ହେବା ପରଠୁ ବଲିଉଡ୍‌ ଖୁବ୍‌ ଚର୍ଚ୍ଚାରେ ଥିବାବେଳେ ସାମ୍ନାକୁ ଆସିଛି ଭେଟେରାନ ଲରିସିଷ୍ଟଙ୍କ ମନ୍ତବ୍ୟ।

ଏକ ବୁକ୍‌ ଲଞ୍ଚିଂ ଇଭେଣ୍ଟରେ ଯୋଗଦେଇଥିବା ଆଖତରଙ୍କୁ ପ୍ରଶ୍ନ କରାଯାଇଥିଲା, ବଲିଉଡ୍‌କୁ କାହିଁକି ଲଗାତାର ଟାର୍ଗେଟ କରାଯାଉଛି? ଏହାର ଉତ୍ତରରେ ସେ କହିଥିଲେ, ହାଇ ପ୍ରୋଫାଇଲ ହେବା ପାଇଁ ବଲିଉଡ୍‌କୁ ପାଉଣା ଦେବାକୁ ପଡ଼ିବ। ହାଇ ପ୍ରୋଫାଇଲ ହେଲେ ହିଁ ଲୋକେ ତୁମ ପଛରେ ଲାଗିବେ। ଯଦି ତୁମେ କେହି ନୁହଁ, ତେବେ ତୁମ ଉପରେ ପଥର ପକାଇବାକୁ କେହି ଆସିବେ ନାହିଁ।

ଗୁଜରାଟର ମୁନ୍ଦ୍ରା ପୋର୍ଟର ନାଁ ନ ନେଇ ସେ କହିଛନ୍ତି, ଏକ ବନ୍ଦରରୁ ୭ ହଜାର କୋଟି ଟଙ୍କାର ଡ୍ରଗ୍ସ ମିଳିଥିଲା। କିନ୍ତୁ ଅନ୍ୟ ଏକ ଯାଗାରେ ୧୨୦୦ ଲୋକ ୧ ଲକ୍ଷ ୩୦ ହଜାର ଟଙ୍କାର ଡ୍ରଗ୍ସ ସେବନ କରୁଥିଲେ। ଏହା ଏବେ ବଡ଼ ଖବର ପାଲଟିଛି। କିନ୍ତୁ ୩ ହଜାର କିଲୋ ଡ୍ରଗ୍ସ ସମ୍ପର୍କୀତ ଖବର ଦେଖିବାକୁ ମିଳୁନାହିଁ।

Share