ପରଲୋକରେ ‘ସନମ ବଓ୍ବେଫା’ର ନିର୍ଦ୍ଦେଶକ

ମୁମ୍ବାଇ,୨୫।୮: ବେଶ୍‌ ଜଣାଶୁଣା ତଥା ଲୋକପ୍ରିୟ ଫିଲ୍ମ ନିର୍ମାତା, ନିର୍ଦ୍ଦେଶକ, ଗୀତିକାର ତଥା ଲେଖକ ସାୱନ କୁମାର ଟାକଙ୍କର ପରଲୋକ ଘଟିଛି। ଗୁରୁବାର ଅପରାହ୍ନ ପ୍ରାୟ ୪ଟା ୧୫ରେ ମୁମ୍ବାଇର କୋକିଲାବେନ ଧୀରୁବାଇ ଅମ୍ବାନୀ ହସ୍ପିଟାଲରେ ୮୬ ବର୍ଷରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଡାକ୍ତରଙ୍କ ଅନୁଯାୟୀ ହୃଦ୍‌ଘାତ ଏବଂ ଏକାଧିକ ଅଙ୍ଗ ଖରାପ୍‌ ହେବା ଯୋଗୁ ତାଙ୍କର ମୃତ୍ୟୁ ଘଟିଛି ବୋଲି ସାୱନଙ୍କ ଭଣଜା ତଥା ଚଳଚ୍ଚିତ୍ର ନିର୍ମାତା ନବୀନ ଟକ୍‌ କହିଛନ୍ତି। ବୁଧବାର ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ମୁମ୍ବାଇର କୋକିଲାବେନ ଧୀରୁବାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା। ଶେଷରେ ଗୁରୁବାର ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ସୂଚନାଯୋଗ୍ୟ, ଚାରି ଦଶନ୍ଧିରୁ ଅଧିକ ସମୟ ଧରି ତାଙ୍କ କ୍ୟାରିଅରରେ ସେ ସଞ୍ଜୀବ କୁମାରଙ୍କ ଭଳିି ସମସ୍ତ ବଡ଼ ତାରକାଙ୍କ ସହ କାମ କରିଛନ୍ତି। ଏପରିକି ବଲିଉଡ୍‌ ଅଭିନେତା ସଲମାନ ଖାନଙ୍କ ସହ ମଧ୍ୟ ସେ କାମ କରିଥିଲେ। ନିର୍ମାତା ଭାବେ ସେ ନିଜ ମାମୁଁଙ୍କ ଗାଁରେ ପ୍ରଥମ ଚଳଚ୍ଚିତ୍ର ନିର୍ମାଣ କରିଥିଲେ। ଯେଉଁଥିରେ ସଞ୍ଜୀବ କୁମାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ। ସେହପିରି ନିର୍ଦ୍ଦେଶକ ଭାବେ ସାଓ୍ବନ ତାଙ୍କ ପ୍ରଥମ ଚଳଚ୍ଚିତ୍ରରେ ଅଭିନେତ୍ରୀ ମୀନା କୁମାରୀଙ୍କ ସହ କାମ କରିଥିଲେ। ଏହି ଫିଲ୍ମର ନାମା ‘ଗୋମତି କେ କିନାରେ’। ଏହା ୧୯୭୨ରେ ରିଲିଜ୍‌ ହୋଇଥିଲା।

Share