ଫିଲ୍ମ ଫେୟାର ଆଓ୍ବାର୍ଡରୁ ବାଦ୍‌ ପଡ଼ିଲେ କଙ୍ଗନା

ମୁମ୍ବାଇ:ବଲିଉଡ୍‌ର ବିବାଦୀୟ ଅଭିନେତ୍ରୀ କଙ୍ଗନା ରଣାଓ୍ବତ ସବୁବେଳେ ନିଜର ବୟାନ ଓ ପୋଷ୍ଟକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଏବେ ପୁଣି ସେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଫିଲ୍ମ ଫେୟାର ଆଓ୍ବାର୍ଡରୁ କଙ୍ଗନା ବାଦ୍‌ ପଡ଼ିଥିବା ଜଣାପଡ଼ିଛି। ଫିଲ୍ମ ତଲାଇଭି ପାଇଁ କଙ୍ଗନାଙ୍କ ନାମ ଶ୍ରେଷ୍ଠ ଅଭିନେତ୍ରୀ ଆଓ୍ବାର୍ଡ ପାଇଁ ମନୋନୀତ କରାଯାଇଥିବା ବେଳେ ଫିଲ୍ମ ଫେୟାର ଏବେ କଙ୍ଗନାଙ୍କ ନାମକୁ ହଟାଇ ଦେଇଛି। ତେବେ କଙ୍ଗନାଙ୍କ ସୋସିଆଲ ମିଡିଆ ପୋଷ୍ଟ କାରଣରୁ ଏଭଳି ଘଟିଥିବା କୁହାଯାଉଛି। ଫିଲ୍ମ ଫେୟାର ହଇରାଣ କରୁଥିବା ନେଇ କଙ୍ଗନା ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରିବା ସହ କୋର୍ଟରେ ଏନେଇ ଅଭିଯୋଗ କରିବା କଥା ସେ କହିଥିଲେ। ଉକ୍ତ ପୋଷ୍ଟ ଭାଇରାଲ ହେବା ପରେ ଫିଲ୍ମ ଫେୟାର ନିଜର ପ୍ରତିକ୍ରିୟା ରଖିଛି। ଅଗଷ୍ଟ ୩୦ରେ ହେବାକୁ ଥିବା ଫିଲ୍ମ ଫେୟାର ସମାରୋହରେ ଯୋଗଦେବା ଲାଗି କଙ୍ଗନାଙ୍କୁ ନିମନ୍ତ୍ରଣ କରାଯିବାର ଥିଲା। ସେଥିଲାଗି ନାୟିକାଙ୍କୁ ଫୋନ୍‌ କରାଯାଇ ତାଙ୍କ ଠିକଣା ମଗାଯାଇଥିଲା ବୋଲି ଫିଲ୍ମ ଫେୟାର ପକ୍ଷରୁ କୁହାଯାଇଛି। ଯଦି ଏନେଇ କଙ୍ଗନା କୋର୍ଟଙ୍କ ଦ୍ୱାରସ୍ଥ ହେବା କଥା କହୁଛନ୍ତି ତେବେ ଫିଲ୍ମ ଫେୟାର କର୍ତ୍ତୃପକ୍ଷ ଏଥିପାଇଁ ପ୍ରସ୍ତୁତ ଥିବା କହିଛନ୍ତି। ସୂଚନାଯୋଗ୍ୟ, ଶେୟାର କରିଥିବା ପୋଷ୍ଟରେ କଙ୍ଗନା କହିଛନ୍ତି, ୨୦୧୪ରୁ ସେ ଏପ୍ରକାର ଠକ ସମାରୋହରେ ସାମିଲ ହେବା ବନ୍ଦ କରି ଦେଇଛନ୍ତି। ଅନୁଷ୍ଠିତ ହେଉଥିବା ଆଓ୍ବାର୍ଡ ଫଙ୍କସନ୍‌ ସବୁ ଲୋକଙ୍କୁ ବୋକା ବନାଉଛନ୍ତି। ଏପ୍ରକାର କାର୍ଯ୍ୟକ୍ରମରେ ସାମିଲ ହେବା ତାଙ୍କ ଗରିମା, କାର୍ଯ୍ୟ ଦକ୍ଷତାକୁ ପ୍ରଭାବିତ କରୁଥିବା ନେଇ କଙ୍ଗନା କହିଛନ୍ତି।

Share