ଭଣଜାଙ୍କୁ ବଞ୍ଚାଇବାକୁ ଯାଇ ଛାତରୁ ଗଳି ପଡ଼ିଲେ କନ୍ୟା: ଶଯ୍ୟାଶାୟୀ ଆରତୀଙ୍କ ସିନ୍ଥି ଭରିଲେ ବର

ସୁରଜ ବଡ଼ଯାତ୍ୟାଙ୍କ ଫିଲ୍ମ ବିବାହ(୨୦୦୬) ପ୍ରାୟ ସମସ୍ତଙ୍କ ମନେ ଥିବ। ଏହି ଫିଲ୍ମରେ ଅଭିନେତ୍ରୀ ଅମୃତା ରାଓ ତାଙ୍କର ସାନ ଭଉଣୀଙ୍କୁ ବଞ୍ଚାଇ ବାକୁ ଯାଇ ନିଜେ ନିଆଁରେ ପୋଡି ହୋଇଯାଇଥିଲେ। ତଥାପି ହିରୋ ଶାହିଦ୍‌ କପୁର ତାଙ୍କୁ ହିଁ ନିଜର ସ୍ତ୍ରୀ ଭାବେ ଗ୍ରହଣ କରିଥିଲେ। ସେତେବେଳେ ଏହି ଫିଲ୍ମ ବହୁତ ହିଟ୍‌ ହୋଇଥିଲା। ଠିକ୍‌ ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ପ୍ରୟାଗରାଜ୍‌ରେ। ସଙ୍ଗମ ନଗରୀ ପ୍ରୟାଗରାଜ୍‌ରେ ମେହେନ୍ଦୀ ଲଗାଇ ସଜ ହୋଇଥିବା କନ୍ୟା ଆରତୀ ହସ୍ପିଟାଲର ବେଡ୍‌ରେ ଥିବା ବେଳେ ତାଙ୍କ ସ୍ବାମୀ ଆଓ୍ବାଦେଶ ତାଙ୍କର ଯତ୍ନ ନେବା ପାଇଁ ମେଡିକାଲରେ ଅଛନ୍ତି।
ପ୍ରତାପଗଡର କୁଣ୍ଡା ଅଞ୍ଚଳରେ ରହୁଥିବା ଆରତୀଙ୍କ ବିବାହ ପାଇଁ ପ୍ରସ୍ତୁତି ଶେଷ ହୋଇଥିଲା। ୮ ଡିସେମ୍ବର ସାରେ ବର ଆସିବାକୁ ଥିଲା। ମାତ୍ର ଅପରାହ୍ନରେ ଆରତୀ ତିନି ବର୍ଷର ଭଣଜାକୁ ବଞ୍ଚାଇବାକୁ ଯାଇ ଛାତରୁ ତଳକୁ ପଡ଼ିଯାଇଥିଲେ। ଦୁର୍ଘଟଣାରେ ତାଙ୍କର ମେରୁଦଣ୍ଡ ଭାଙ୍ଗି ଯାଇଥିଲା ବେଳେ ଗୋଡ଼ ଅକାମୀ ହୋଇ ଯାଇଥିଲା। ଘର ଲୋକେ ତାଙ୍କୁ ପ୍ରୟାଗର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
ଯେତେବେଳେ ଆୱାଦେଶଙ୍କ ଘର ଲୋକ ଏ ବିଷୟରେ ବିଷୟରେ ଜାଣିଲେ ସେତେବେଳେ ତାଙ୍କ ଘରୁ ଦୁଇଜଣ ଲୋକ କନ୍ୟାଙ୍କୁ ଦେଖିବାକୁ ଆସିଥିଲେ। ସେମାନେ ଏହା ଆୱାଦେଶଙ୍କୁ ମଧ୍ୟ ଜଣାଇଲେ। ଆରତୀଙ୍କ ଘରର ଲୋକେ ଆୱାଦେଶଙ୍କୁ ଆରତୀଙ୍କ ସାନ ଭଉଣୀକୁ ବିବାହ କରିବାକୁ କହିଲେ। କିନ୍ତୁ ଆୱାଦେଶ ନିଷ୍ପତ୍ତି ନେଇଥିଲେ ଯେ, ଆରତୀ ତାଙ୍କ ଜୀବନସାଥୀ ହେବେ। ଯାହା ବି ହେଉ, ସେ ତାଙ୍କୁ ବିବାହ କରିବେ।
ଏଥିସହିତ ଆରତୀଙ୍କ ପରିବାର ଡାକ୍ତରଙ୍କ ସହ କଥା ହେବା ପରେ ତାଙ୍କୁ ଆମ୍ବୁଲାନ୍ସରେ କୁଣ୍ଡାକୁ ନେଇ ଯାଇଥିଲେ ଯେଉଁଠାରେ ଶଯ୍ୟାଶାୟୀ ଆରତୀଙ୍କୁ ଆଓ୍ବାଦେଶ ବିବାହ କଲେ। ପରେ ଆରତୀଙ୍କୁ ପ୍ରୟାଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆୱାଦେଶ ଏବଂ ଆରତୀ ନିଜକୁ ବହୁତ ଭାଗ୍ୟବାନ ମନେ କରନ୍ତି। ସେମାନେ ପରସ୍ପରକୁ ସମର୍ଥନ କରି ଲୋକଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଆଓ୍ବାଦେଶ ବାସ୍ତବ ଜୀବନର ହିରୋ ହୋଇପାରିଛନ୍ତି।

Share