ସିଡ୍ନୀ,୩।୧୨(ପି.ଟି.): ସିଡ୍ନୀ କ୍ରିକେଟ ଗ୍ରାଉଣ୍ଡ (ଏସ୍ସିଜି)ରେ ଆୟୋଜନ ହେବାକୁ ଥିବା ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍ରେ ଷ୍ଟାଡିୟମ ସମ୍ପୂର୍ଣ୍ଣ ରୂପେ ଭର୍ତ୍ତି ହେବ। ଖଚାଖଚ୍ ଭରା ଷ୍ଟାଡିୟମରେ ଦର୍ଶକମାନେ ସବୁଠାରୁ ଛୋଟ ଫର୍ମାଟ୍ର ମଜା ନେବେ। ଡିସେମ୍ବର ୭ ତାରିଖରୁ ନ୍ୟୁ ସାଉଥ୍ ଓ୍ବେଲ୍ସ ସରକାର ସବୁ କଟକଣା ଉଠାଇ ଦେଇଥିବାରୁ ଏହି ମ୍ୟାଚ୍ରେ ଷ୍ଟାଡିୟମ ପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି।
ସାରା ବିଶ୍ୱରେ କୋଭିଡ୍-୧୯ ମହାମାରୀ ପ୍ରକୋପ ଜାରି ରହିଥିବା ବେଳେ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଅନୁଷ୍ଠିତ ଦିନିକିଆ ସିରିଜରେ ମାତ୍ର ୫୦ ପ୍ରତିଶତ ଦର୍ଶକଙ୍କୁ ମ୍ୟାଚ୍ ଦେଖିବାର ସୁଯୋଗ ଦିଆଯାଇଥିଲା। ତେବେ ନ୍ୟୁ ସାଉଥ୍ ଓ୍ବେଲ୍ସ ପ୍ରଧାନମନ୍ତ୍ରୀ ଗ୍ଲାଡି ବେରେଜିକଲିଆନ ଡିସେମ୍ବର ୭ ପରେ ଷ୍ଟାଡିୟମଗୁଡିକ ଶତପ୍ରତିଶତ ପୂର୍ଣ୍ଣ ରହିବ ବୋଲି ଘୋଷଣା କରିଥିଲେ। ସୋମବାର ପରେ ନ୍ୟୁ ସାଉଥ୍ ଓ୍ବେଲ୍ସରେ ଜୀବନଯାପନ ପୂରା ଭିନ୍ନ ରହିବ ସେ କହିଥିଲେ। ଏହାର ଅର୍ଥ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍ରେ ଦର୍ଶକ ଭରପୂର ରହିବେ ବୋଲି ସ୍ପଷ୍ଟ ହୋଇଛି।
ଦିନିକିଆ ସିରିଜରେ ଅଷ୍ଟ୍ରେଲିଆ ୨-୧ରେ ବିଜୟୀ ହୋଇଛି। ଶୁକ୍ରବାରଠାରୁ ଟି୨୦ ସିରିଜ ଆରମ୍ଭ ହେବ। କାନବେରା ମାନୁକା ଓଭାଲ ଗ୍ରାଉଣ୍ଡରେ ପ୍ରଥମ ଟି୨୦ ମ୍ୟାଚ୍ ଶୁକ୍ରବାର ଖେଳାଯିବ। ଏହାପରେ ଦ୍ୱିତୀୟ ଟି୨୦ ରବିବାର ସିଡ୍ନୀରେ ଖେଳାଯିବ।