ଛାତ ନ ପଡ଼ି ଫାଇନାଲ ବିଲ୍‌

ପାଟଣା,୧୧ା୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ବୁଢ଼ିକାପୁଡ଼ି ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମହା ଦୁର୍ନୀତି ହୋଇଛି। ଏ ନେଇ ଖୋଦ ସରପଞ୍ଚ ମମତାମୟୀ ନାଏକ ଶୁକ୍ରବାର ପାଟଣା ବିଡିଓଙ୍କଠାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ବିଡିଓ ଶିବ ଶଙ୍କର ମୁର୍ମୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ଅଭିଯୋଗ ମୁତାବକ, ପଞ୍ଚାୟତର ତେନ୍ତୁଳୀଖୁଣ୍ଟି ଓ ପୁରନ୍ଦରପୁର ଗ୍ରାମର ବିମଳା ମହାନ୍ତ, ଦ୍ରୋପଦୀ ମହାନ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଥିଲେ। ଦୁହିଁଙ୍କର ୨୮ ସେପ୍ଟେମ୍ବର ୨୦୨୩ରେ ରୁଫ୍‌ ଲେବୁଲ ଫଟୋ ଏବଂ ୨୦ ଅକ୍ଟୋବର୍‌ ୨୦୨୩ ଛାତର ସମ୍ପୂର୍ଣ୍ଣ ଫଟୋ ଅପ୍‌ଲୋଡ଼ ହୋଇଥିଲା। ପରେ ଉଭୟଙ୍କ ଜମାଖାତାକୁ ଶେଷ କିସ୍ତି ଟଙ୍କା ଆସିଛି। ହେଲେ ଏ ପର୍ଯ୍ୟନ୍ତ ଦୁହିଁଙ୍କ ଗୃହର ଛାତ ପଡ଼ିନାହିଁ। ସେହିଭଳି ତେନ୍ତୁଳୀଖୁଣ୍ଟିର ବାଗୁନ ମୁଣ୍ଡାଙ୍କ ୨୪ ନଭେମ୍ବର ୨୦୨୩ରେ ରୁଫ୍‌ ଫଟୋ ଏବଂ ୨୩ ଜାନୁଆରୀ ୨୦୨୪ରେ ସମ୍ପୂର୍ଣ୍ଣ ହୋଇଥିବା ଦର୍ଶାଯାଇଥିଲା। ତେଣୁ ତାଙ୍କ ଜମାଖାତାକୁୁ ମଧ୍ୟ ଫାଇନାଲ ଟଙ୍କା ଆସିଛି। ମାତ୍ର ଉକ୍ତ ଘରର ଛାତ ପଡ଼ିନାହିଁ। ୩ ଜଣଙ୍କର ଜମାଖାତାକୁ ୧୫ ମାର୍ଚ୍ଚ ୨୦୨୪ ଶେଷ କିସ୍ତିର ଟଙ୍କା ଆସିଛି। ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଲୋକେ ସରପଞ୍ଚଙ୍କୁ ଅଭିଯୋଗ କରିଥିଲେ। ସରପଞ୍ଚଙ୍କ ଅଭିଯୋଗ ପରେ ବିଡିଓ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିବାକୁ ସହକାରୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ପରେ କିପରି ଘର ସମ୍ପୂର୍ଣ୍ଣ ନ କରି ଶେଷ କିସ୍ତି ଟଙ୍କା ହିତାଧିକାରୀଙ୍କ ଜମା ଖାତାକୁ ଗଲା ତାହା ଜଣାପଡ଼ିବ ବୋଲି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲ୍ଲୀପ କୁମାର ବେହେରା କହିଛନ୍ତି।

Share