ଖଇରା,୧୧।୨(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ତୁଟୋ ଗ୍ରାମର କିଛି ଅସାମାଜିକ ଯୁବକ ଗତ ୫ ଓ ୬ତାରିଖ ଦିନ ତୁଡ଼ିଗଡ଼ିଆ ବଜାରର ବ୍ୟବସାୟୀ, ବଜାର କମିଟିର କର୍ମକର୍ତ୍ତା ତଥା ଗ୍ରାହକମାନଙ୍କୁ ଆକ୍ରମଣ କରିବା ସହିତ ହତ୍ୟା ଧମକ ଦେଇଥିଲେ। ଏନେଇ ସମସ୍ତ ବ୍ୟବସାୟୀ ଏକଜୁଟ୍ ହୋଇଛନ୍ତି। ଗୁରୁବାର ସନ୍ଧ୍ୟାରେ ୫ଶହରୁ ଅଧିକ ବ୍ୟବସାୟୀ, ବଜାରକୁ ଆସୁଥିବା ଗ୍ରାହକ ତଥା ବଜାର ସଂଲଗ୍ନ ପଞ୍ଚାୟତଗୁଡ଼ିକର ଲୋକପ୍ରତିନିଧି ବୈଠକରେ ଏକଜୁଟ୍ ହୋଇ ପ୍ରତିବାଦର ସ୍ବର ଉଠାଇଛନ୍ତି। ଆକ୍ରମଣରେ ସାମିଲ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରା ନ ଗଲେ ବ୍ୟବସାୟୀମାନେ ସୋର-କୁପାରୀ ରାସ୍ତା ଅବରୋଧ ଭଳି ଚରମ ନିଷ୍ପତ୍ତି ନେବେ ବୋଲି ଚେତାବନୀ ଦେଇଛନ୍ତି।
ଅନୁଯାୟୀ, ୫ତାରିଖରେ ସୋର ଥାନା ହରିଡ଼ାପଦା ଗ୍ରାମର ସଞ୍ଜୟ କୁମାର ସାମଲଙ୍କ ବାଇକ୍ ଉପରେ ତୁଟୋ ଗ୍ରାମର ୨ଜଣ ଯୁବକ ବସିବାକୁ ନେଇ ଗଣ୍ଡଗୋଳର ସୁତ୍ରପାତ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ତୁଟୋ ଗ୍ରାମର ରଶ୍ମୀରଞ୍ଜନ ଦାସ, ରାଜେନ୍ଦ୍ର ଜେନା, ବାପୁନ ଜେନା ପ୍ରମୁଖ ସଞ୍ଜୟଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ବଜାରବାସୀ ଏହାର ପ୍ରତିବାଦ କରିବାରୁ ଉପରୋକ୍ତ ୩ଜଣ ଓ ତାଙ୍କର ଅନ୍ୟ ୧୧ସହଯୋଗୀ ବ୍ୟବସାୟୀ, ସ୍ଥାନୀୟ ବାସିନ୍ଦା ଓ କର୍ମକର୍ତ୍ତାଙ୍କୁ ମଧ୍ୟ ଛାଡ଼ି ନ ଥିଲେ। ବଜାର କମିଟି ସମ୍ପାଦକ ବସନ୍ତ କୁମାର ସାହୁ, ସ୍ଥାନୀୟ ବାସିନ୍ଦା ସନ୍ତୋଷ ଘଡ଼େଇ, ଅଭିମନ୍ୟୁ ଘଡ଼େଇ ଓ ଅନିଲ ସାହୁ ପ୍ରମୁଖଙ୍କୁ ମାଡ଼ମାରି ଆହତ କରିଥିଲେ। ୬ ତାରିଖରେ ପୁଣି ୧୪ଜଣ ଯୁବକ ବାଇକ୍ରେ ବଜାରକୁ ଆସି ମାରଣାସ୍ତ୍ର ବୁଲାଇବା ସହ ହତ୍ୟାଧମକ ଦେଇ ପଳାଇଥିଲେ। ଉକ୍ତ ବଜାର ଉପରେ ଖଇରା ସମେତ ପଡୋଶୀ ସୋର ଏବଂ ଔପଦା ବ୍ଲକର ବହୁ ପଞ୍ଚାୟତ ନିର୍ଭର କରୁଥିବାରୁ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୈଠକରେ ଦାବି କରାଯାଇଛି। ଏ ସଂକ୍ରାନ୍ତରେ ଆଇଆଇସି ଗଣେଶ୍ୱର ପ୍ରଧାନ କୁହନ୍ତି, ଘଟଣାରେ ୨ଜଣ କୋର୍ଟ ଚାଲାଣ ହୋଇ ସାରିଛନ୍ତି। ଅନ୍ୟ ଅଭିଯୁକ୍ତମାନଙ୍କୁ ଯଥାଶୀଘ୍ର ଗିରଫ କରାଯିବ।