Categories: ଖେଳ

ଦୀପ୍‌ଗ୍ରେସଙ୍କ ଗୋଲ୍‌ରେ ଅନ୍ତିମ ମ୍ୟାଚ୍‌ ଡ୍ର

ଆଡିଲେଡ୍‌,୨୨ା୫(ପି.ଟି.): ଅଷ୍ଟ୍ରେଲିଆ ବିପକ୍ଷ ମହିଳା ହକି ଟେଷ୍ଟ ସିରିଜ୍‌ରେ କ୍ରମାଗତ ଦୁଇଟି ପରାଜୟ ପରେ ତୃତୀୟ ମ୍ୟାଚ୍‌ ଡ୍ର ରଖିଛି ଭାରତ। ରବିବାର ଅନୁଷ୍ଠିତ ମ୍ୟାଚରେ ଭାରତ ସଂଘର୍ଷ କରି ୧-୧ରେ ମ୍ୟାଚ୍‌ ଡ୍ର ରଖିଥିଲା। ଅଷ୍ଟ୍ରେଲିଆ ପକ୍ଷର ମାଡିସନ୍‌ ବ୍ରୁକ୍‌ସ ୨୫ ତମ ମିନିଟରେ ଗୋଟିଏ ଗୋଲ ଦେଇଥିଲେ। ଅନ୍ୟପକ୍ଷରେ ଭାରତ ପକ୍ଷରୁ ଓଡ଼ିଆ ଝିଅ ଦୀପ୍‌ଗ୍ରେସ ଏକ୍କା ୪୨ ତମ ମିନିଟରେ ଗୋଟିଏ ଗୋଲ ଦେଇଥିଲେ। ଏହା ସହିତ ଭାରତ ୩ ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ରେ ପରାଜିତ ହୋଇଛି। ବିଶ୍ୱ ମାନ୍ୟତାରେ ଦ୍ୱିତୀୟ ସ୍ଥାନରେ ରହିଥିବା ଅଷ୍ଟ୍ରେଲିଆ ପ୍ରଥମ ମ୍ୟାଚକୁ ମଧ୍ୟ ୪-୨ ଓ ଦ୍ୱିତୀୟ ମ୍ୟାଚ୍‌ ୩-୨ରେ ଜିତି ନେଇଥିଲା। ବିଶ୍ୱ ମାନ୍ୟତାର ୩ ନମ୍ବର ସ୍ଥାନରେ ରହିଥିବା ଅଷ୍ଟ୍ରେଲିଆକୁ କଡା ଟକ୍କର ଦେଇଥିଲା ଭାରତ। ପ୍ରଥମ କ୍ୱାର୍ଟରରେ ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ କରିଥିଲା। ପ୍ରଥମ କ୍ୱାର୍ଟର ଗୋଲ ଶୂନ୍ୟ ଭାବରେ ଶେଷ ହୋଇଥିଲା। ଦ୍ୱିତୀୟ କ୍ୱାର୍ଟରରେ ମାଡିସନ୍‌ ଘରୋଇ ଦଳ ପକ୍ଷରୁ ପ୍ରଥମ ଗୋଲ୍‌ ସ୍କୋର କରିଥିଲେ। ଭାରତୀୟ ଦଳ ଏକାଧିକ ଥର ଅଷ୍ଟ୍ରେଲିଆ ଡିଫେନ୍ସକୁ ଭେଦ କରିଥିଲେ ମଧ୍ୟ ଗୋଲ କରିବାରେ ଅସମର୍ଥ ରହିଥିଲା। ଦ୍ୱିତୀୟ କ୍ୱାର୍ଟର ସୁଦ୍ଧା ୧-୦ରେ ପଛୁଆ ରହିବା ପରେ ଭାରତ ତୃତୀୟ କ୍ୱାର୍ଟରକୁ ନିୟନ୍ତ୍ରଣରେ ରଖିଥିଲା। ୪୨ ମିନିଟରେ ମିଳିଥିବା ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରିଥିଲେ ଦୀପ୍‌ଗ୍ରେସ। ମ୍ୟାଚ୍‌ ୧-୧ରେ ସମାନ୍ତର ରହିବା ପରେ ଉଭୟ ଦଳ ପକ୍ଷରୁ ଗୋଲ ସ୍କୋର ପାଇଁ ଆପ୍ରାଣ ଉଦ୍ୟମ କରାଯାଇଥିଲା। ଚତୁର୍ଥ କ୍ୱାର୍ଟରରେ କୌଣସି ଦଳ ଗୋଟିଏ ବି ଗୋଲ ସ୍କୋର କରିବାରେ ସମର୍ଥ ହୋଇ ନ ଥିଲେ। ଭାରତ ଆସନ୍ତା ଗୁରୁବାରଠାରୁ ଅଷ୍ଟ୍ରେଲିଆ ଏ’ ବିପକ୍ଷରେ ଦୁଇଟି ମ୍ୟାଚ୍‌ ଖେଳିବ।

 

Share