Categories: ଖେଳ

ଆଜି ଅନ୍ତିମ ଦିନିକିଆ: କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ଭାରତ

ଥିରୁଭାନନ୍ଥପୁରମ୍‌,୧୫ା୧: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ଦିନିକିଆ ସିରିଜର ଅନ୍ତିମ ମ୍ୟାଚ ରବିବାର ଥିରୁଭାନନ୍ଥପୁରମର ଗ୍ରୀନଫିଲ୍ଡ ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ ଜିତିବା ସହିତ ସିରିଜ କ୍ଲିନ ସୁଇପ୍‌ ଲକ୍ଷ୍ୟରେ ରହିଛି ଭାରତ। ତେବେ ଏହି ମ୍ୟାଚରେ ଭାରତ ନିଜର ବୋଲିଂ ବେଞ୍ଚ ଷ୍ଟ୍ରେନ୍ଥ ପରୀକ୍ଷା କରିପାରେ। ଏହି ସିରିଜର ୩ ଦିନ ପରେ ନ୍ୟୁଜିଲାଣ୍ଡ ବିପକ୍ଷ ସୀମିତ ଓଭର ସିରିଜ୍‌ ଆରମ୍ଭ ହେବ। ଏପରି ସ୍ଥିତିରେ ଭାରତ ନିଜ ବୋଲିଂ ଲାଇନ୍‌ଅପ୍‌କୁ ଅଧିକ ଶାଣିତ କରିବାକୁ ଏକ ପ୍ରୟାସ କରିପାରେ। ଓ୍ବାର୍କଲୋଡ ମ୍ୟାନେଜମେଣ୍ଟ ବର୍ତ୍ତମାନ ଭାରତୀୟ ଦଳ ପାଇଁ ଏକ ବଡ ସମସ୍ୟା ରହିଥିବା ବେଳେ ଟପ୍‌ ଅର୍ଡର ବ୍ୟାଟିଂରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଲୋକେଶ ରାହୁଲ ଫର୍ମକୁ ଫେରିଥିବା ବେଳେ ଓପନିଂରେ ଗିଲ୍‌ଙ୍କୁ ଆଉ ଏକ ସୁଯୋଗ ଦେଇପାରେ ଭାରତ। ତେବେ ଶ୍ରେୟସ୍‌ ଆୟାରଙ୍କ ସ୍ଥାନରେ ଭାରତ ସୂର୍ଯ୍ୟକୁମାର ଯାଦବଙ୍କୁ ଏକ ସୁଯୋଗ ଦେଇପାରେ। ନିଜ ଅନ୍ତିମ ଟି୨୦ ମ୍ୟାଚରେ ଶତକ ହାସଲ କରିଥିଲେ ହେଁ ସୂର୍ଯ୍ୟକୁମାର ପ୍ରଥମ ଦୁଇ ଦିନିକିଆ ଟିମ୍‌ରୁ ବାହାରେ ରହିଥିଲେ। ହାର୍ଦ୍ଦିକ୍‌ ପାଣ୍ଡ୍ୟାଙ୍କୁ ଆଉ ଏକ ସୁଯୋଗ ମିଳିବା ସ୍ପଷ୍ଟ ଥିବା ବେଳେ ଅକ୍ଷର ପଟେଲଙ୍କ ସ୍ଥାନରେ ଓ୍ବାଶିଂଟନ୍‌ ସୁନ୍ଦରଙ୍କୁ ଏକ ସୁଯୋଗ ମିଳିପାରେ। ଭାରତୀୟ ଟେଷ୍ଟ ଦଳର ପ୍ରମୁଖ ପେସ୍‌ ବୋଲର ରହିଥିବା ମହମ୍ମଦ ଶାମିଙ୍କୁ ଏହି ମ୍ୟାଚରୁ ବିଶ୍ରାମ ମିଳିପାରେ। ଅଷ୍ଟ୍ରେଲିଆ ସିରିଜ ପୂର୍ବରୁ ଶାମିଙ୍କୁ ବିଶ୍ରାମ ଦେଇପାରେ ମ୍ୟାନେଜମେଣ୍ଟ। ଗତ ଦୁଇ ମ୍ୟାଚ ପାଇଁ ବାହାରେ ଥିବା ଅର୍ଶଦୀପ ସିଂ ଏହି ମ୍ୟାଚ୍‌ ଖେଳି ପାରନ୍ତି। ଗ୍ରୀନ୍‌ଫିଲ୍ଡ ଷ୍ଟାଡିୟମ ବୋଲରଙ୍କୁ ସାମାନ୍ୟ ସହାୟତା ପ୍ରଦାନ କରିଥାଏ। ତେଣୁ ହାର୍ଦ୍ଦିକ ପାଣ୍ଡ୍ୟା ୪ର୍ଥ ସିମର ଭୂମିକାରେ ରହିବେ। ଗତ ମ୍ୟାଚରେ ପ୍ଲେୟର୍‌ ଅଫ୍‌ ଦ ମ୍ୟାଚ୍‌ ରହିଥିବା କୁଲଦୀପ ଯାଦବ ନିଜ ସ୍ଥାନ ବଜାୟ ରଖିବେ। ସେହିପରି ପଦାର୍ପଣରେ ଅର୍ଦ୍ଧଶତକ ହାସଲ କରିଥିବା ଶ୍ରୀଲଙ୍କା ଓପନର ନୁଓ୍ବାନିଡୁ ଫର୍ନାଣ୍ଡୋଙ୍କ ଉପରେ ସମସ୍ତଙ୍କ ନଜର ରହିବ।

Share