ରାତି ପାହିଲେ ମାହାଙ୍ଗା, ସାଲେପୁର, ନିଆଳିରେ ଭୋଟଗ୍ରହଣ: ୮୩୬ ବୁଥରେ ମତଦାନ କରିବେ ୭,୬୮,୦୯୧ ଭୋଟର

କଟକ,୩୧ା୫ (କାର୍ତ୍ତିକ ସାହୁ) ଚଳିତ ସାଧାରଣ ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ଜୁନ୍‌ ୧ରେ ଭୋଟଗ୍ରହଣ ନିମନ୍ତେ କଟକ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। କଟକ ଜିଲାର ମାହାଙ୍ଗା, ସାଲେପୁର ଓ ନିଆଳି ବିଧାନସଭା ନିର୍ବାଚନମଣ୍ଡଳୀରେ ଭୋଟଗ୍ରହଣ ପାଇଁ ଆବଶ୍ୟକ ଅନୁଯାୟୀ ବୁଥ୍‌ ନିର୍ମାଣ କରାଯାଇଛି। ମାହାଙ୍ଗାରେ ୩୦୯, ସାଲେପୁରରେ ୨୫୩ ଓ ନିଆଳିରେ ୨୭୪ଟି ବୁଥ୍‌ ହୋଇଛି। ତେବେ ତିନୋଟି ଯାକ ନିର୍ବାଚନ ମଣ୍ଡଳୀରେ ମୋଟ ୮୩୬ଟି ବୁଥ୍‌ରେ ପ୍ରାୟ ୭,୬୮,୦୯୧ ଜଣ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ ଜିଲା ପ୍ରଶାସନ ପକ୍ଷରୁ ଜଣାଯାଇଛି।
ସୂଚନା ଅନୁସାରେ, ମତଦାନ ନିମନ୍ତେ ଭୋଟରମାନଙ୍କୁ ଆକୃଷ୍ଟ କରିବାକୁ ଅଭିନବ ପ୍ରୟାସ କରାଯାଇଛି। ମତଦାନ କେନ୍ଦ୍ରଗୁଡ଼ିକୁ ଆକର୍ଷଣୀୟ ଢଙ୍ଗରେ ସଜାଯିବା ସହ ସେଥିରେ ଓଆର୍‌ଏସ୍‌ ଓ ପାନୀୟ ଜଳ ଆଦି ପର୍ଯ୍ୟାପ୍ତ ପରିମାଣରେ ମହଜୁଦ୍‌ ରଖାଯାଇଛି। ଏପରିକି ମଡେଲ ମତଦାନ କେନ୍ଦ୍ର ମଧ୍ୟରେ ସ୍ବାଗତ ତୋରଣ ସାଙ୍ଗକୁ ବେଲୁନ୍‌ ସଜ୍ଜା ଓ ଭୋଟରମାନେ କେନ୍ଦ୍ର ମଧ୍ୟକୁ ପ୍ରବେଶ କଲାବେଳେ ପ୍ରବେଶ ପଥରେ ସେମାନଙ୍କୁ ଫୁଲ, ଚନ୍ଦନ ଦେଇ ସ୍ବାଗତ କରାଯିବାର ବ୍ୟବସ୍ଥା ମଧ୍ୟ ହୋଇଛି।
ମାହାଙ୍ଗା ନିର୍ବାଚନମଣ୍ଡଳୀରେ ସବୁଜିମାଭରା ପୁରୁଷ ବୁଥ ୬ଟି, ପୁରୁଷ ଏଥନିକ୍‌ ବୁଥ ୨ଟି, ଥିମ୍‌ ଆଧାରିତ ୭ଟି, ଅନ୍ୟାନ୍ୟ ଥିମ୍‌ ଆଧାରିତ ୧୭ଟି, ମହିଳା ଓ ପୁରୁଷ ଉଭୟଙ୍କ ପାଇଁ ଇକୋ ଫ୍ରେଣ୍ଡଲି ବୁଥ୍‌ ୨ଟି, ସଖି ବୁଥ୍‌ ୧୨ଟି, ଯୁବବର୍ଗଙ୍କ ପରିଚାଳିତ ବୁଥ୍‌ ୨ଟି, ମଡେଲ ବୁଥ ୫୯ଟି ଓ ଜଟିଳ ବୁଥ ୧୨୫ଟି ସମେତ ଅନ୍ୟାନ୍ୟ ପ୍ରକାରର ବୁଥ୍‌ ମଧ୍ୟ ରହିଛି। ସାଲେପୁର ନିର୍ବାଚନମଣ୍ଡଳୀରେ ଅନ୍ୟ ଥିମ୍‌ ଆଧାରିତ ପୁରୁଷ ବୁଥ୍‌ ୭ଟି, ଅନ୍ୟାନ୍ୟ ଥିମ୍‌ ଆଧାରିତ ମହିଳା ଓ ପୁରୁଷ ଉଭୟଙ୍କ ପାଇଁ ବୁଥ୍‌ ୩୧ଟି, ସଖି ବୁଥ୍‌ ୪ଟି, ଯୁବବର୍ଗଙ୍କ ପରିଚାଳିତ ବୁଥ ୨ଟି, ମଡେଲ ବୁଥ ୫୦ଟି ଓ ଜଟିଳ ବୁଥ ୧୧୦ଟି ସମେତ ଅନ୍ୟାନ୍ୟ ପ୍ରକାରର ବୁଥ୍‌ ମଧ୍ୟ ରହିଛି। ସେହିପରି ନିଆଳି ନିର୍ବାଚନମଣ୍ଡଳୀରେ ସବୁଜିମାଭରା ପୁରୁଷ ବୁଥ ୩ଟି, ଅନ୍ୟ ଥିମ୍‌ ଆଧାରିତ ବୁଥ ୩ଟି, ମହିଳା ଓ ପୁରୁଷ ଉଭୟଙ୍କ ପାଇଁ ଇକୋ ଫ୍ରେଣ୍ଡଲି ବୁଥ୍‌ ୬ଟି, ସଖି ବୁଥ୍‌ ୧୪ଟି, ଯୁବବର୍ଗଙ୍କ ପରିଚାଳିତ ବୁଥ୍‌ ୨ଟି, ମଡେଲ ବୁଥ ୫୨ଟି ଓ ଜଟିଳ ବୁଥ ୧୧୯ଟି ସମେତ ଅନ୍ୟାନ୍ୟ ପ୍ରକାରର ବୁଥ୍‌ ମଧ୍ୟ ରହିଛି।
ନିଆଳିରେ ମୋଟ ଭୋଟର ସଂଖ୍ୟା ୨,୪୮,୩୭୭ ମଧ୍ୟରୁ ପୁରୁଷ ୧,୨୬,୯୭୬, ମହିଳା ୧,୨୧,୩୭୪ ଓ ଅନ୍ୟାନ୍ୟ ୨୭, ସାଲେପୁରରେ ମୋଟ ଭୋଟର ସଂଖ୍ୟା ୨,୪୮,୬୧୧ ମଧ୍ୟରୁ ପୁରୁଷ ୧,୨୬,୬୬୭, ମହିଳା ୧,୨୧,୯୨୧ ଓ ଅନ୍ୟାନ୍ୟ ୨୩, ମାହାଙ୍ଗାରେ ମୋଟ ଭୋଟର ସଂଖ୍ୟା ୨,୭୧,୧୦୩ ମଧ୍ୟରୁ ପୁରୁଷ ୧,୪୦,୧୨୧, ମହିଳା ୧,୩୦,୯୬୬ ଓ ଅନ୍ୟାନ୍ୟ ୧୬ ଅଛନ୍ତି। ଏଥିସହ ଶାରୀରିକ ଭିନ୍ନକ୍ଷମ ଭୋଟର ନିଆଳିରେ ୪୨୬୮, ସାଲେପୁରରେ ୬୦୦୩, ମାହାଙ୍ଗାରେ ୫୬୯୬ ଜଣ ଅଛନ୍ତି। ସେହିପରି ୮୫ ବର୍ଷରୁ ଊର୍ଦ୍ଧ୍ୱ ବୟସର ଭୋଟର ନିଆଳିରେ ୩୯୯୭, ସାଲେପୁରରେ ୩୧୧୫, ମାହାଙ୍ଗାରେ ୪୩୭୯ ଜଣ ଅଛନ୍ତି।
ତେବେ କଟକ ସଦର ସବ୍‌ଡିଭିଜନ ଅନ୍ତର୍ଗତ ଉପରୋକ୍ତ ତିନି ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ପୋଲିଂ ପାର୍ଟିମାନଙ୍କୁ ଭିଭିପାଟ ଓ ଇଭିଏମ୍‌ ସମେତ ଭୋଟ ଗ୍ରହଣ ସଂକ୍ରାନ୍ତୀୟ ସାମଗ୍ରୀ ପ୍ରଦାନ କାର୍ଯ୍ୟ ଶୁକ୍ରବାର ସକାଳ ୮ଟାରୁ ଆରମ୍ଭ ହୋଇଥିଲା। ଏଥିନିମନ୍ତେ ନରାଜସ୍ଥିତ ରେଭେନ୍ସା ବିଶ୍ୱବିଦ୍ୟାଳୟର ମହାନଦୀ କ୍ୟାମ୍ପସରେ ସମସ୍ତ ବ୍ୟବସ୍ଥା କରାଯାଇଥିଲା।
ସେଠାରୁ ପୋଲିଂ ପାର୍ଟିମାନେ ଭୋଟଗ୍ରହଣ ପାଇଁ ବିଭିନ୍ନ ସାମଗ୍ରୀ ସାଙ୍ଗରେ ନେଇ ନିର୍ଦ୍ଧାରିତ ଯାନରେ ବୁଥ ଅଭିମୁଖେ ଯାତ୍ରା କରିଥିଲେ। ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ଅରିନ୍ଦମ ଡାକୁଆଙ୍କ ସମେତ ଜିଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକୁ ତଦାରଖ କରିଥିଲେ। ସେହିପରି ବାଙ୍କୀ ଓ ଆଠଗଡ଼ ସବ୍‌ଡିଭିଜନରେ ପୃଥକ ଭାବେ ପୋଲିଂ ପାର୍ଟିଗୁଡ଼ିକ ଭୋଟ ସାମଗ୍ରୀ ଧରି ଗନ୍ତବ୍ୟ ବୁଥ୍‌ରେ ପହଞ୍ଚିଛନ୍ତି। ଶୁକ୍ରବାର ରାତି ସୁଦ୍ଧା ବୁଥ୍‌ଗୁଡ଼ିକରେ ସମସ୍ତ ପ୍ରକ୍ରିୟା ଶେଷ କରି ମତଦାନ ନିମନ୍ତେ ପ୍ରସ୍ତୁତ କରାଯାଇଛି।