ଛତ୍ରପୁର,୫ା୧(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଆଜି ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ସମସ୍ତ ରାଜନୈତିକ ଦଳ ଉପସ୍ଥିତିରେ ଏହି ଚୂଡାନ୍ତ ତାଲିକା ପ୍ରକାଶ କରିଛନ୍ତି। ଚୂଡ଼ାନ୍ତ ତାଲିକା ପ୍ରକାଶ ପରେ ୨୯ ଲକ୍ଷ ୪୬ହଜାର ୧୬ ଭୋଟର ରହିଥିବା ଜିଲାପାଳ କହିଥିଲେ। ସେଥିରୁ ପୁରୁଷ ଭୋଟର ୧୫ ଲକ୍ଷ ୨୦ ହଜାର ୨୯, ମହିଳା ଭୋଟର ୧୪ ଲକ୍ଷ ୨୫ ହଜାର ୬୧୪, ତୃତୀୟ ଲିଙ୍ଗ ଭୋଟର ୨୭୩ । ଯୁବ ଭୋଟର (୧୮-୧୯ବର୍ଷ)୬୧୨୩୭। ଦିବ୍ୟାଙ୍ଗ ଭୋଟର ୪୬ ହଜାର ୯୫୧। ୮୦ ବର୍ଷରୁ ଊର୍ଦ୍ଧ୍ୱ ବୀର ଭୋଟର ୫୩ ହଜାର ୮୬୯। ୩୦୭୭ ମତଦାନ କେନ୍ଦ୍ର, ସର୍ଭିସ ଭୋଟର ୬୩୫୨ ରହିଛନ୍ତି। ୯୩ ହଜାର ୫୬୩ ଭୋଟର ସର୍ଭେ ପରେ ଯୋଡ଼ି ହୋଇଥିବା ବେଳେ ୪୮ ହଜାର ୫୩୪ ଭୋଟର କଟାଯାଇଛି ବୋଲି ଜିଲାପାଳ ବୈଠକରେ କହିଥିଲେ। ଜେଣ୍ଡେର ରେସିଓ ୯୩୮ ରହିଥିବା କୁହାଯାଇଛି। ଆଗାମୀ ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ସମସ୍ତ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଅନୁରୋଧ କରିଥିଲେ। ଏହି ଚୂଡ଼ାନ୍ତ ତାଲିକା ପ୍ରକାଶ ବେଳେ ବିଜେଡି ଜିଲା ସଭାପତି ଡ. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଅତିରିକ୍ତ ଜିଲାପାଳ ପ୍ରିୟରଞ୍ଜନ ପୃଷ୍ଟିଙ୍କ ସମେତ ଅନ୍ୟ ଦଳ ଉପସ୍ଥିତ ଥିଲେ।