Categories: ଜାତୀୟ

ଶେଷରେ କ୍ଷମା ମାଗିଲେ ନୀତୀଶ କୁମାର

ପାଟନା,୮।୧୧: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଜନସଂଖ୍ୟା ନିୟନ୍ତ୍ରଣ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ସରଗରମ ହୋଇଛି। ବିଧାନସଭାର ଶୀତକାଳୀନ ଅଧିବେଶନରେ ବିହାରର ଜନ୍ମ ହାର ୪.୨ରୁ ୨.୯%କୁ କେମିତି ଖସିଲା, ତା’ର ଉତ୍ତର ରଖିବା ବେଳେ ନୀତୀଶ ଅଶ୍ଲୀଳ ଶବ୍ଦର ପ୍ରୟୋଗ କରିବା ସହ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଝିଅମାନେ ଶିକ୍ଷିତ ହେବା ଦରକାର ବୋଲି କହିଥିଲେ। ଏହାଦ୍ୱାରା ବିବାହ ପରେ ସେ ତାଙ୍କ ସ୍ବାମୀଙ୍କୁ ଛୁଆ କରିବା ବେଳେ ବୁଝାଇ ପାରିବେ। ଏହାକୁ ଭାଜପା ଓ ଜାତୀୟ ମହିଳା କମିଶନ ଅଧ୍ୟକ୍ଷ ରେଖା ଶର୍ମା ମଧ୍ୟ ବିରୋଧ କରିଥିଲେ। ମନ୍ତବ୍ୟକୁ ନେଇ ବିବାଦ ବଢିବା ପରେ ନୀତୀଶ କୁମାର ଶେଷରେ କ୍ଷମା ମାଗିଛନ୍ତି।
ବିକ୍ଷୋଭ ମଧ୍ୟରେ ଗୃହରେ ଭାଷଣ ଦେଇ ନୀତୀଶ କୁମାର କହିଛନ୍ତି, ଯଦି ଏପରି ଘଟଣା ଦ୍ୱାରା କେହି ଆଘାତପ୍ରାପ୍ତ ହୋଇଛନ୍ତି। ତେବେ ମୁଁ ମୋର କଥାକୁ ଫେରାଇ ନେଉଛି। ମୁଁ ମୋ ମନ୍ତବ୍ୟକୁ ନେଇ ଲଜ୍ଜିତ। ଆମେ ମହିଳାମାନଙ୍କ ସ୍ବାର୍ଥରେ କାର୍ଯ୍ୟ କରିଆସୁଛୁ। ମହିଳାମାନଙ୍କ ଶିକ୍ଷା ଯୋଗୁ ଜନସଂଖ୍ୟା କିପରି ହ୍ରାସ ପାଉଛି ତାହା ମୁଁ କହିବାକୁ ଚାହୁଁଥିଲି। ଯଦି ମୁଁ କୌଣସି ଭୁଲ କରିଛି ତେବେ ଏଥିପାଇଁ କ୍ଷମା ପ୍ରାର୍ଥନା କରୁଛି।

Share