ଶେଷରେ ମାନିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ଇସଲମାବାଦ୍‌,୨୪।୧୧: ପାକିସ୍ତାନ ଦେବାଳିଆ ହୋଇଯାଇଥିବା କଥା ଶେଷରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସ୍ବୀକାର କରିଛନ୍ତି। ସେ କହିଛନ୍ତି, ପାକିସ୍ତାନର ଅର୍ଥନୀତି ସଂପୂର୍ଣ୍ଣ ରୂପେ ଭୁଶୁଡି ପଡିଛି। ଦେଶ ଦାରିଦ୍ର୍ୟର ପଥରେ ପହଞ୍ଚିଛି ଏବଂ ଦେଶ ଚଳାଇବା ପାଇଁ ସରକାରଙ୍କ ପାଖରେ ଟଙ୍କା ନାହିଁ। ଏକ କାର୍ଯ୍ୟକ୍ରମ ସମୟରେ ଇମ୍ରାନ ଖାନ ସର୍ବସାଧାରଣରେ କହିଛନ୍ତି ଯେ, ସରକାରଙ୍କ ଟଙ୍କା ସରିଯାଇଛି ତେଣୁ ଏବେ ଅନ୍ୟ ଦେଶରୁ ରୁଣ ନେବାକୁ ପଡୁଛି। ସରକାରଙ୍କ ଉପରେ ବୈଦେଶିକ ରୁଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି ଏବଂ ଟିକସରୁ ରାଜସ୍ବ ହ୍ରାସ ପାଉଛି। ଏଭଳି ପରିସ୍ଥିତିରେ ଏହା ଜାତୀୟ ସୁରକ୍ଷା ପ୍ରସଙ୍ଗ ମଧ୍ୟ ହୋଇପାରିଛି। କଲ୍ୟାଣମୂଳକ ଯୋଜନା ଚଳାଇବା ପାଇଁ ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ସମ୍ବଳ ନାହିଁ ବୋଲି ପାକ ପ୍ରଧାନମନ୍ତ୍ରୀ କହିଛନ୍ତି। ସେ ପୂର୍ବ ସରକାରଙ୍କ ଉପରେ ପାକିସ୍ତାନର ସାମ୍ପ୍ରତିକ ପରିସ୍ଥିତିକୁ ଦାୟୀ କରି କହିଛନ୍ତି। ୨୦୦୯ ରୁ ୨୦୧୮ ପର୍ଯ୍ୟନ୍ତ ଦୁଇ ସରକାର ସ୍ଥାନୀୟ ସମ୍ବଳର ବିକାଶ କରିନାହାଁନ୍ତି ଏବଂ ରୁଣ ନେଇଛନ୍ତି ଫଳରେ ଏବେ ଏହାର ପରିଣାମ ଭୋଗିବାକୁ ପଡିଛି।

Share