Categories: ବାଣିଜ୍ୟ

ପିଏସ୍‌ବି କାର୍ଯ୍ୟଦକ୍ଷତା ସମୀକ୍ଷା କଲେ ଅର୍ଥମନ୍ତ୍ରୀ

ଭୁବନେଶ୍ୱର, ୨୦।୮ (ଅନୁରାଧା ମହାରଣା): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ନୂଆଦିଲ୍ଲୀରେ ଆୟୋଜିତ ଏକ ବୈଠକରେ ଅଧ୍ୟକ୍ଷତା କରି ସରକାରୀ କ୍ଷେତ୍ରର ବ୍ୟାଙ୍କ(ପିଏସ୍‌ବି)ଗୁଡ଼ିକର କାର୍ଯ୍ୟଦକ୍ଷତାର ସମୀକ୍ଷା  କରିଛନ୍ତି। ବୈଠକରେ ଜମା ସଂଗ୍ରହ, ଡିଜିଟାଲ ପେମେଣ୍ଟ ଏବଂ ସାଇବର ସୁରକ୍ଷା, ନୂତନ ଋଣ ଉତ୍ପାଦ ବା ଯୋଜନାର କାର୍ଯ୍ୟକାରିତା ଏବଂ ଆର୍ଥିକ ଅନ୍ତର୍ଭୂକ୍ତରେ ଋଣ ପ୍ରବେଶ ଭଳି ବିଭିନ୍ନ ଆର୍ଥିକ ଦିଗ ସମ୍ପର୍କରେ  ବିସ୍ତୃତ ଆଲୋଚନା କରାଯାଇଥିଲା।
ଜମା ସଂଗ୍ରହ, ଦକ୍ଷ ଗ୍ରାହକ ସେବା ଉପରେ ଧ୍ୟାନ ଦେବା ଏବଂ ବିଶେଷକରି ଗ୍ରାମାଞ୍ଚଳ ଏବଂ ଅର୍ଦ୍ଧ ସହରାଞ୍ଚଳରେ ଗ୍ରାହକଙ୍କ ସହ ଯୋଡିହେବା ପାଇଁ ସ୍ବତନ୍ତ୍ର ଅଭିଯାନ ଚଳାଇବାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ସେହିପରି ଠକେଇ ଏବଂ ସାଇବର ସୁରକ୍ଷା ବିପଦ ବିରୋଧରେ ବ୍ୟାଙ୍କ, ସରକାରୀ, ନିୟାମକ ଏବଂ ସୁରକ୍ଷା ଏଜେନ୍ସି ମଧ୍ୟରେ ସହଯୋଗୀ ଆଭିମୁଖ୍ୟ ଉପରେ ସୀତାରାମନ୍‌ ଗୁରୁତ୍ୱାରୋପ କରିଛନ୍ତି। ଡିଜିଟାଲ ଫୁଟପ୍ରିଣ୍ଟ୍‌ ଏବଂ ନଗଦ ପ୍ରବାହ ଉପରେ ଆଧାର କରି ଏମ୍‌ଏସ୍‌ଏମ୍‌ଇ ପାଇଁ ଏକ ନୂତନ ଋଣ ମୂଲ୍ୟାଙ୍କନ ମଡେଲ ସମେତ ବ୍ୟାଙ୍କଗୁଡିକ ବର୍ତ୍ତମାନର ବଜେଟ ଘୋଷଣାକୁ ଶୀଘ୍ର କାର୍ଯ୍ୟକାରୀ କରିବା ଉଚିତ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଦ୍ୟୁତ୍‌ ଯୋଜନା ଏବଂ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ଭଳି ପଦକ୍ଷେପ ଅନୁଯାୟୀ ଯୋଗ୍ୟ ହିତାଧିକାରୀଙ୍କୁ ଋଣ ପ୍ରଦାନ ବୃଦ୍ଧି ଉପରେ ଧ୍ୟାନ ଦେବା ପାଇଁ  ସେ ନିର୍ଦ୍ଦେଶ ଦେଇଛନ୍ତି।
ଏହି ବୈଠକରେ ଆର୍ଥିକ ସେବା ବିଭାଗର ସଚିବ ଡ. ବିବେକ ଯୋଶୀ, ଡେଜିଗନେଟ୍‌ ସଚିବ ଏମ୍‌ ନାଗାରାଜୁ, ପବ୍ଲିକ ସେକ୍ଟର ବ୍ୟାଙ୍କ (ପିଏସ୍‌ବି)ର ମୁଖ୍ୟ ତଥା ଆର୍ଥିକ ସେବା ବିଭାଗ (ଡିଏଫ୍‌ଏସ୍‌)ର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ବୈଠକରେ ହୋଇଥିବା ଆଲୋଚନାନୁସାରେ ଆର୍ଥିକବର୍ଷ ୨୦୨୩-୨୪ରେ ପିଏସ୍‌ବିଗୁଡିକ ସମସ୍ତ ଆର୍ଥିକ ପାରାମିଟରରେ ଭଲ ପ୍ରଦର୍ଶନ କରିଥିଲେ। ନେଟ ଏନ୍‌ପିଏରେ ୦.୭୬ ପ୍ରତିଶତ ହ୍ରାସ, ଉନ୍ନତ ସମ୍ପତ୍ତି ଗୁଣବତ୍ତା, ବ୍ୟାଙ୍କଗୁଡିକର ଭଲ ପୁଞ୍ଜି ପର୍ଯ୍ୟାପ୍ତତା ୧୫.୫୫ ପ୍ରତିଶତରେ ପ୍ରତିଫଳିତ ହୋଇଥିଲା। ବ୍ୟାଙ୍କଗୁଡିକର ନିଟ ସୁଧ ମାର୍ଜିନ (ଏନ୍‌ଆଇଏମ୍‌) ସହିତ ୩.୨୨ ପ୍ରତିଶତ ଏବଂ ସର୍ବଭାରତୀୟ ମୋଟ ଲାଭ ୧.୪୫ ଲକ୍ଷ କୋଟି ଟଙ୍କା ସହିତ ଅଂଶୀଦାରମାନଙ୍କୁ ୨୭,୮୩୦ କୋଟି ଟଙ୍କାର ଏକ ଡିଭିଡେଣ୍ଡ ପେଆଉଟ ଅର୍ନ୍ତଭୁକ୍ତ ରହିଥିଲା। ବିଭିନ୍ନ ପାରାମିଟରରେ ଉନ୍ନତି ବଜାରରୁ ପୁଞ୍ଜି ସଂଗ୍ରହ ପାଇଁ ସରକାରୀ କ୍ଷେତ୍ର ବ୍ୟାଙ୍କଗୁଡିକର କ୍ଷମତାକୁ ମଧ୍ୟ ବଢ଼ାଇଥିବା ବୈଠକରେ ମତ ପ୍ରକାଶ ପାଇଛି।
Share