ପିଲାଙ୍କ ପାଇଁ ଅର୍ଥ ବ୍ୟବସ୍ଥା

ନିର୍ବାଚନର ଅବ୍ୟବହିତ ପୂର୍ବରୁ କେନ୍ଦ୍ର ସରକାର ମଧ୍ୟବର୍ତ୍ତିକାଳୀନ ବଜେଟ ଉପସ୍ଥାପନ କରିଛନ୍ତି। ଅର୍ଥମନ୍ତ୍ରୀ ନିଜର ବଜେଟ ଅଭିଭାଷଣରେ ଗତ ଦଶବର୍ଷର ପ୍ରଗତିକୁ ଉଲ୍ଲେଖ କରିବା ସହ ଅମୃତ କାଳରେ ଏହି ବଜେଟ ଏକ ବିକଶିତ ଭାରତ ଆଡ଼କୁ ଯାତ୍ରା ବୋଲି ଉଲ୍ଲେଖ କରିଛନ୍ତି। ବିକଶିତ ଭାରତରେ ମାତୃ ଓ ଶିଶୁଙ୍କ ଯତ୍ନକୁ ଗୁରୁତ୍ୱ ଦିଆଯାଇଥିବା କଥା କହିଲା ବେଳେ ସେ, ୯ରୁ ୧୪ବର୍ଷ ବାଳିକାଙ୍କୁ ଜରାୟୁ କ୍ୟାନ୍‌ସର ପ୍ରତିଷେଧକ ଟିକା ଦେବା, ସକ୍ଷମ ଅଙ୍ଗନଓ୍ବାଡି ଓ ପୋଷଣ ପରି ବ୍ୟାପକ ଯୋଜନାକୁ ଗୁରୁତ୍ୱ ଦେବା କଥା ଗୁରୁତର ସହ କହିଛନ୍ତି। ଏଥରର ମଧ୍ୟବର୍ତ୍ତିକାଳୀନ ବଜେଟରେ ପିଲାଙ୍କୁ ମୋଟ ୧୦୯୪୯୩.୦୮କୋଟି ଟଙ୍କା ମିଳିଛି। ୨୦୨୩-୨୪ ବଜେଟରେ ଏହା ୧୦୩୭୯୦.୭୦କୋଟି ଥିଲା। ଏଣୁ ଗତବର୍ଷ ତୁଳନାରେ ଆମେ ଶତକଡ଼ା ୫.୪୯ ବ୍ୟୟ ବରାଦ ବଢ଼ିଛି ବୋଲି କହିପାରିବା। କିନ୍ତୁ ଯଦି ମୋଟ ବଜେଟରୁ ପିଲାଙ୍କ ଭାଗ ଦେଖିବା ଏହା ପୂର୍ବ ବର୍ଷ ଭଳି ଅପରିବର୍ତ୍ତିତ ହୋଇ ୨.୩୦ଶତକଡ଼ାରେ ହିଁ ରହିଛି।
ବଜେଟରେ ଦୁଇଟି କଥା ବେଶ୍‌ ଗୁରୁତ୍ୱ ପାଇଛି। ଗୋଟିଏ ହେଲା ପିଏମ୍‌ଶ୍ରୀ ଓ ଅନ୍ୟଟି ଏକଲବ୍ୟ ମଡେଲ୍‌ ବିଦ୍ୟାଳୟ। ଏକଲବ୍ୟ ମଡେଲ୍‌ ଆବାସିକ ବିଦ୍ୟାଳୟ ପାଇଁ ଗତବର୍ଷ ତୁଳନାରେ ୭.୮୯ ଭାଗ ଅଧିକ ବ୍ୟୟ ବରାଦ କରାଯାଇଛି। ସେହିପରି ପିଏମ୍‌ଶ୍ରୀ ପାଇଁ ଗତବର୍ଷ ତୁଳନାରେ ୪୮.୧୫ ଭାଗ ଅଧିକ ଅର୍ଥ ପ୍ରଦାନ କରାଯାଇଛି। ଦେଶରେ ଥିବା ପାଖାପାଖି ୬୯୦ଟି ଏକଲବ୍ୟ ମଡେଲ୍‌ ବିଦ୍ୟାଳୟ ଏହାଦ୍ୱରା ଉପକୃତ ହେବେ। ପୂର୍ବ ବର୍ଷ ୬୪୪୮ଟି ବିଦ୍ୟାଳୟ ପିଏମ୍‌ଶ୍ରୀରେ ରୂପାନ୍ତରଣ ହୋଇଥିବା ବେଳେ ଏ ବର୍ଷ ଏ ସଂଖ୍ୟା ବୃଦ୍ଧି ପାଇବ। ପିଲାଙ୍କ ପାଇଁ ମିଶନ ବାତ୍ସଲ୍ୟ କେନ୍ଦ୍ର ସରକାରଙ୍କର ଏକ ସୁନ୍ଦର ପରିକଳ୍ପନା। ପ୍ରତିବର୍ଷ ଏହି ଯୋଜନାରେ ଅଧିକରୁ ଅଧିକ ଶିଶୁ ଅନ୍ତର୍ଭୁକ୍ତ ହେଉଛନ୍ତି ଓ ସୁରକ୍ଷା ବଳୟକୁ ଆସୁଛନ୍ତି। ୨୦୨୧-୨୨ରେ ସମଗ୍ର ଦେଶରେ ୨୯୩୩୮ଶିଶୁ ଏହି ଯୋଜନାର ଲାଭ ପାଇଥିବା ବେଳେ ୨୦୨୨-୨୩ରେ ଏହି ସଂଖ୍ୟା ଦୁଇଗୁଣରୁ ଅଧିକ ବୃଦ୍ଧି ପାଇ ୬୨୬୭୫ରେ ପହଞ୍ଚତ୍ଛି। ଅଥଚ ପୂର୍ବବର୍ଷ ତୁଳନାରେ ଆର୍ଥିକ ଆବଣ୍ଟନରେ କୌଣସି ପରିବର୍ତ୍ତନ କରା ନ ଯାଇ ମୋଟ ୧୪୭୨.୧୭ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ସମଗ୍ର ଶିକ୍ଷା ଅଭିଯାନ ଜାତୀୟ ଶିକ୍ଷା ନୀତିର ଏକ ପ୍ରମୁଖ ଅଙ୍ଗ ହୋଇଥିଲେ ବି ଏ ଦିଗରେ ମାତ୍ର ୩୭୫୦୦ କୋଟି ଟଙ୍କାର ପ୍ରାବଧାନ କରାଯାଇଛି, ଯାହାକି ପୂର୍ବବର୍ଷ ତୁଳନାରେ ମାତ୍ର ୦.୧୨ ଶତକଡ଼ା ଅଧିକ। ସଂଖ୍ୟାଲଘୁଙ୍କ ପାଇଁ ଥିବା ଶିକ୍ଷା ଓ ଶିକ୍ଷାବୃତ୍ତିରେ ବଜେଟ ସଂକୁଚିତ କରାଯାଇଛି। ମଦ୍ରାସା ଓ ସଂଖ୍ୟାଲଘୁଙ୍କ ପାଇଁ ଶିକ୍ଷାଯୋଜନାରେ ଗତବର୍ଷ ୧୦ କୋଟିର ବ୍ୟୟ ବରାଦ ଥିଲା ବେଳେ ଏବର୍ଷ ଏହା ୨ କୋଟିକୁ କମିଛି। ସେହିପରି ଏହି ବର୍ଗର ଲୋକଙ୍କ ପାଇଁ ମାଗଣା କୋଚିଂ ହେତୁ ୧୦ କୋଟିର ବ୍ୟୟ ବରାଦ କରାଯାଇଛି ଯାହା ଗତବର୍ଷ ୩୦କୋଟି ଥିଲା।
ଶିଶୁ ସୁରକ୍ଷା କଥା ବିଚାରକୁ ନେଲେ ୨୦୨୨ରେ ଭାରତ ସରକାରଙ୍କ ଦ୍ୱାରା ପ୍ରକାଶିତ ଭାରତରେ ଅପରାଧ ସମ୍ପର୍କିତ ରିପୋର୍ଟ ଅନୁଯାୟୀ ଦେଶରେ ମୋଟ ୧୬୨୪୪୯ଶିଶୁଙ୍କ ପ୍ରତି ନିର୍ଯାତନାର ରିପୋର୍ଟ ଦରଜ ହୋଇଛି। ଏହା ପୂର୍ବବର୍ଷ ତୁଳନାରେ ୮.୭୩ ଭାଗ ଅଧିକ। ଏହି ଅନୁସାରେ ଦେଖିବାକୁ ଗଲେ ଶିଶୁ ସୁରକ୍ଷାକୁ ସୁନିଶ୍ଚିତ କରିବା ଦିଗରେ ଆର୍ଥିକ ବ୍ୟବସ୍ଥା ଉତ୍ସାହଜନକ ନୁହେଁ। ମୋଟ ବଜେଟର ଏହା ମାତ୍ର ୦.୦୪ ଭାଗ। ୨୦୧୪-୧୫ଠାରୁ ୨୦୨୪-୨୫ ପର୍ଯ୍ୟନ୍ତ ଅନୁଧ୍ୟାନ କଲେ ପିଲାଙ୍କ ଅଧିକାରର ସୁରକ୍ଷା ପାଇଁ ବ୍ୟୟ ବରାଦ ସବୁଠାରୁ ଅଧିକ ୨୦୧୪-୧୫ରେ ୪.୫୨ଶତକଡ଼ା ଆବଣ୍ଟିତ ହୋଇଥିଲା। ପରବର୍ତ୍ତୀ ବର୍ଷଗୁଡ଼ିକରେ ଏହା ଖସିଛି ସିନା ଆଉ ବଢ଼ିବାର ନଁା ଧରିନାହିଁ। ୨୦୧୫-୧୬ରେ ଏହା ୩.୨୬ ଶତକଡ଼ା ଥିବାବେଳେ ୨୦୨୪-୨୫ରେ ଏହା ୨.୩୦ଶତକଡ଼ା ରହିଛି। ନିର୍ବାଚନ ପୂର୍ବର ମଧ୍ୟବର୍ତ୍ତିକାଳୀନ ବଜେଟ ଏକ ପୂର୍ଣ୍ଣାଙ୍ଗ ବଜେଟ ନ ହେଲେ ବି ସରକାର ଜନମତକୁ ପ୍ରଭାବିତ କରିବାର ପ୍ରୟାସ କରିଥାନ୍ତି। କିନ୍ତୁ ପିଲାମାନେ ଦେଶର ଭବିଷ୍ୟତ ବୋଲି କୁହାଯାଉଥିଲେ ବି ନିର୍ବାଚନରେ ମତଦାତା ହୋଇ ନ ଥିବାରୁ ସେମାନେ ହୁଏତ ଗୁରୁତ୍ୱ ପାଉନାହାନ୍ତି। ଦେଶରେ ଅନେକ ପିଲା ବାଲ୍ୟବିବାହ, ଶିଶୁଶ୍ରମିକ ଚାଲାଣ, ଯୌନ ନିର୍ଯାତନା, ଶୋଷଣର ଶିକାର ହେଉଛନ୍ତି। ଅନେକ ପିଲା ରାସ୍ତାକଡ଼ରେ ରହୁଛନ୍ତି, ବିଦ୍ୟାଳୟର ବାରଣ୍ଡା ମାଡି ନାହାନ୍ତି। ସେପରି ସ୍ଥଳରେ ସେମାନଙ୍କର ଅଧିକାରର ସୁରକ୍ଷା ନ ହେଲେ ଦେଶ ବିକଶିତ ହେବ କେମିତି? ସମସ୍ତ ଶିଶୁଙ୍କ ପାଖକୁ ପହଞ୍ଚତ୍ବାକୁ ହେଲେ ଓ ସେମାନଙ୍କ ପାଇଁ ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ହେଲେ ବ୍ୟୟ ବରାଦର ଆବଶ୍ୟକତା ରହିଛି।

  • ଘାସିରାମ ପଣ୍ଡା
    ସୁବର୍ଣ୍ଣପୁର
    ମୋ: ୯୪୩୮୩୪୧୭୯୪

Enter your email to get our daily news in your inbox.

All Right Reserved By Dharitri.Com

ଆଲୋକ ପ୍ରଦୂଷଣ

ଭ୍ୟତାର ବିକାଶ କ୍ରମରେ ଏକଦା ବିଜୁଳି ମାଡରେ ଜଳୁଥିବା ବଣ ମଧ୍ୟରୁ ମନୁଷ୍ୟ ପ୍ରଥମେ ନିଆଁକୁ ଆବିଷ୍କାର କରିଥିଲା। ନିଆଁ ଆବିଷ୍କାର ପରେ ମଣିଷ ମଶାଲ...

କେହି ନୁହେଁ କାହାର

ଗଣତନ୍ତ୍ରରେ ସରକାର ବଦଳିବା ଏକ ସ୍ବାଭାବିକ ପ୍ରକ୍ରିୟା। ମାତ୍ର ଏଇ ସ୍ବାଭାବିକ ପ୍ରକ୍ରିୟାଟି ଅନେକ ଅସ୍ବାଭାବିକ ପ୍ରକ୍ରିୟାକୁ ସାଙ୍ଗରେ ଧରି ଆସିଥାଏ। ଗୋଟେ ସରକାର ପତନ...

ଉବର ଚୁକ୍ତି

ଭାରତର ସୁରକ୍ଷା ପ୍ରତି ପଡ଼ୋଶୀ ଚାଇନା ଓ ପାକିସ୍ତାନ ଆହ୍ବାନ ସୃଷ୍ଟି କରିଛନ୍ତି। ଏହାର ମୁକାବିଲା ପାଇଁ ସେନା ନୂତନ ସ୍ଥିତି ସହିତ ଖାପ ଖୁଆଇ...

ଏଇ ଭାରତରେ

ସ୍ବାମୀ ଓ ସ୍ତ୍ରୀଙ୍କ ବୟସ ଏବେ ୭୯। ତଥାପି ସେମାନେ ବୟସର ଛାପ ନିଜ ଉପରେ ପଡ଼ିବାକୁ ଦେଇ ନାହାନ୍ତି କି ହାର୍‌ ମାନି ନାହାନ୍ତି।...

ଆକସ୍ମିକ ମୃତ୍ୟୁ

ବାସ୍ତବିକ ମୃତ୍ୟୁ ହିଁ ଦୁନିଆରେ ଚିରସତ୍ୟ, ଏହା କବଳରୁ ନରରୂପୀ ଭଗବାନ, ଧନୀ, ମାନୀ, ଜ୍ଞାନୀ, ଗୁଣୀ, ପ୍ରତିପତ୍ତି ସମ୍ପନ୍ନ, ଦରିଦ୍ର କେହି ରକ୍ଷା ପାଇପାରିବେ...

ବାଣରୁ କ୍ଷାନ୍ତ

ପ୍ରତିବର୍ଷ ଦୀପାବଳି ଆସିଲେ ଦିଲ୍ଲୀର ବାୟୁ ପ୍ରଦୂଷଣ ବିଷୟରେ ଗମ୍ଭୀର ଆଲୋଚନା ହୋଇଥାଏ। ପାରମ୍ପରିକ ଗଣମାଧ୍ୟମରେ ବିତର୍କ ହୁଏ ଓ ସୋସିଆଲ ମିଡିଆରେ ଏ ସମ୍ବନ୍ଧୀୟ...

ସର୍ବନିମ୍ନ ସହାୟକ ମୂଲ୍ୟ

ନିକଟରେ କେନ୍ଦ୍ର ସରକାର ୬ଟି ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ଘୋଷଣା କରିଛନ୍ତି। ୨୦୨୫-୨୬ ବର୍ଷ ପାଇଁ କୁଇଣ୍ଟାଲ ପିଛା ଗହମର ସର୍ବନିମ୍ନ ସହାୟକ...

ଓଡ଼ିଆରେ ବୈଷୟିକ ଶିକ୍ଷା

କିଛି ବ୍ୟକ୍ତିଙ୍କର କହିବା କଥା ଯେ, ବୈଷୟିକ ଶିକ୍ଷା ଓଡ଼ିଆ ଭାଷାରେ ପଢ଼ାଲେଖା ନ ହେବାରୁ ଆମ ଭାଷା ସଙ୍କୁଚିତ ହୋଇଯାଉଛି। ତେଣୁ ସମସ୍ତ ବିଷୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri