ଦାଦନ ଯାଇ ବଳିପଡିଲା ଦୁଃଖ

ନନ୍ଦପୁର,୧୫ା୯ (ଶଙ୍କର ପୂଜାରୀ): ୧୩ବର୍ଷ ତଳେ ପରିବାରର ଆର୍ଥିକ ଦୁର୍ଗତି ଯୋଗୁ ରୋଜଗାର ଖୋଜିବାକୁ ଆନ୍ଧ୍ର ଅଞ୍ଚଳକୁ ଗ୍ରାମର କିଛି ମହିଳାଙ୍କ ସହ ଦାଦନ ଖଟିବାକୁ ଯାଇଥିଲେ ମେଡିପୁଟ ଗ୍ରାମର ରାଧା ଜାନି। ସେଠାରେ ଆନ୍ଧ୍ର ଅଞ୍ଚଳର କ୍ରିଷ୍ଣା ନାମୀ ସହକର୍ମୀଙ୍କୁ ରାଧା ପ୍ରେମ ବିବାହ କରିଥିଲେ। ଦୁର୍ଭାଗ୍ୟକୁ ବିବାହର ୮ମାସ ପରେ ସ୍ବାମୀ କ୍ରିଷ୍ଣାଙ୍କ ମୃତ୍ୟୁ ହୋଇଥିଲା। ଆନ୍ଧ୍ରରୁ ନିଜ ଗାଁ ମେଡିପୁଟକୁ ଫେରି ରାଧା ଅନ୍ତସତ୍ୱା ଥିବା ଜାଣିବାକୁ ପାଇଥିଲେ। ପରେ ସାହସ ଜୁଟାଇ ଗର୍ଭସ୍ଥ ଶିଶୁକୁ ଜନ୍ମ ଦେଇଥିଲେ। ବାପ ଘର ଲୋକଙ୍କ ସହାୟତାରେ ଝାଟିମାଟି କୁଡ଼ିଆଟେ କରି ସେ ବସବାସ କରୁଛନ୍ତି। କୁଲି ମଜୁରି କରି ଅସହାୟ ଭାବେ ମାଆ ପୁଅ ଜୀବନଯାପନ କରୁଛନ୍ତି। ତେବେ ତାଙ୍କୁ ସରକାରୀ ଯୋଜନାରେ ଏଯାଏ କିଛି ସହାୟତା ମିଳିନାହିଁ। ୧୨ ବର୍ଷର ପୁଅ ବଳଦେବର ଭବିଷ୍ୟତ ଚିନ୍ତାରେ ଭାଙ୍ଗିପଡିଛନ୍ତି ରାଧା। ପୁଅ ଏବେ ଗାଁ ସ୍କୁଲରେ ୫ମ ଶ୍ରେଣୀରେ ପଢୁଛି। ମା ପୁଅଙ୍କ ଅବସ୍ଥା ଦେଖି ପଞ୍ଚାୟତ ପ୍ରଶାସନ ତରଫରୁ ପଡ଼ିକାର୍ଡ ଓ ମାସିକ ୧୦କିଲୋ ଚାଉଳ ପ୍ରଦାନରେ ସୀମିତ ରହିଛି ସରକାରୀ ସହାୟତା। ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ, ପୁଅର ପାଠ ପଢା ଓ ନିଜ ପାଇଁ ମାସିକ ବିଧବା ଭତ୍ତା ପ୍ରଦାନ କରିବାକୁ ପ୍ରଶାସନକୁ ନିବେଦନ କରିଛନ୍ତି ରାଧା। ରାଧାଙ୍କ ଅସହାୟତା ସମ୍ପର୍କରେ କୋରାପୁଟ ଜିଲା ଉପଖଣ୍ଡୀୟ ସାମାଜିକ ସୁରକ୍ଷା ଅଧିକାରୀ ଦିଲୀପ ହିଆଲ୍‌ ଓ ଜିଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଚନ୍ଦ୍ର ଶେଖର ମାଝୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ରାଧାଙ୍କ ପାଇଁ ତ୍ୱରିତ ବିଧବା ଭତ୍ତା ପ୍ରଦାନର ବ୍ୟବସ୍ଥା କରାଯିବ। ପୁଅ ବଳଦେବର ପାଠ ପଢା ଓ ଗୃହନିର୍ମାଣ ପାଇଁ କୋରାପୁଟ ଜିଲାପାଳ ଓ ଲମତାପୁଟ ବିଡିଓଙ୍କ ସହ ଆଲୋଚନା କରି ବ୍ୟବସ୍ଥା କରାଯିବ ବୋଲି ଉଭୟ ଅଧିକାରୀ କହିଛନ୍ତି।