Categories: ଖେଳ

କୃତୀ ଆଥ୍‌ଲେଟଙ୍କୁ ଆର୍ଥିକ ପ୍ରୋତ୍ସାହନ

ଭୁବନେଶ୍ୱର, ୩୦।୬ (ତପନ ସ୍ବାଇଁ): ଜର୍ମାନୀର ବର୍ଲିନଠାରେ ଅନୁଷ୍ଠିତ ସ୍ପେଶାଲ ଅଲିମ୍ପିକ୍ସ ଓ୍ବାଲର୍‌ଡ ସମର ଗେମ୍ସରେ ଅଂଶଗ୍ରହଣ କରି ଚମତ୍କାର ପ୍ରଦର୍ଶନ କରିଥିବା ଓଡ଼ିଶା ଆଥଲେଟ୍‌ଙ୍କୁ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଗୁରୁବାର ଆର୍ଥିକ ପ୍ରୋତ୍ସାହନ ଦେଇ ସମ୍ବର୍ଦ୍ଧିତ କରିଛନ୍ତି। ପ୍ରଥମଥରପାଇଁ ଓଡ଼ିଶାର ୭ ଆଥଲେଟ୍‌ ଉକ୍ତ ପ୍ରତିଯୋଗିତାରେ ପ୍ରଭାବୀ ପ୍ରଦର୍ଶନ କରି ରାଜ୍ୟକୁ ଗର୍ବିତ କରିଥିଲେ। ୪୦୦ ମିଟର ରେସ୍‌ରେ ରୌପ୍ୟ ଓ ଶଟ୍‌ପୁଟ୍‌ରେ ବ୍ରୋଞ୍ଜ ପଦକ ଜିତିଥିବା ଡବଲ ମେଡାଲିଷ୍ଟ ଅରିଦିତା ଚକ୍ରବର୍ତ୍ତୀଙ୍କୁ ୪ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ସେହିପରି ଶଟ୍‌ପୁଟ୍‌ ଓ ସାଇକ୍ଲିଂରେ ରୌପ୍ୟ ପଦକ ଜିତିଥିବା ବୈଷ୍ଣବ ରାଜପାଲିଆ ଓ କଳ୍ପନା ଜେନାଙ୍କୁ ୩ ଲକ୍ଷ ଲେଖାଏ ଦିଆ ଯାଇଥିଲା। ୟୁନିଫାଏଡ୍‌ ଭଲିବଲ ଦଳର ସଦସ୍ୟଭାବେ ରୌପ୍ୟ ପଦକ ଜିତିଥିବା ଶିବାନୀ ପ୍ରିୟଦର୍ଶିନୀ ଓ ମାମାଲି ନାଗ୍‌ଙ୍କୁ ୫୦,୦୦୦ ଟଙ୍କା ଲେଖାଏ ଏବଂ ପ୍ରଭାବୀ ପ୍ରଦର୍ଶନ କରିଥିବା ଫୁଟସାଲ ଦଳର ସଦସ୍ୟଥିବାରୁ ସଚିନ ବାରିକଙ୍କୁ ୨୫,୦୦୦ଟଙ୍କା ପ୍ରଦାନ କରାଯାଇଥିଲା। କ୍ରୀଡ଼ାମନ୍ତ୍ରୀ କୃତୀ ଆଥଲେଟ୍‌ଙ୍କୁ ଅଭିନନ୍ଦନ ଜଣାଇବା ସହ ଏପରି ପ୍ରଦର୍ଶନ ଜାରି ରଖିବାକୁ ଉତ୍ସାହିତ କରିଥିଲେ। ”ଓଡ଼ିଶାର ଏହି ସ୍ବତନ୍ତ୍ର ଆଥଲେଟ୍‌ଙ୍କୁ ଅଭିନନ୍ଦନ। ସ୍ପେଶାଲ ଅଲିମ୍ପିକ୍ସ ଓ୍ବାଲର୍‌ଡ ଗେମ୍ସରେ ସେମାନଙ୍କ ପ୍ରଦର୍ଶନ ରାଜ୍ୟପାଇଁ ଗୌରବ ଆଣିଛି। ଏମାନେ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ଉଚ୍ଚସ୍ତରକୁ ଯିବାପାଇଁ ଯାହା ଆବଶ୍ୟକ ପଡ଼ିବ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇ ଏମାନଙ୍କୁ ସଶକ୍ତିକରଣ କରାଯିବ“ ବୋଲି ତୁଷାରକାନ୍ତି କହିଛନ୍ତି। ପୁରସ୍କାର ଗ୍ରହଣ ପରେ ଆଥଲେଟ୍‌ ଅରିଦିତା ଚକ୍ରବର୍ତ୍ତୀ କହିଛନ୍ତି ଯେ, ”ମୁଁ ମୋ ପ୍ରଦର୍ଶନକୁ ନେଇ ଗର୍ବିତ। ଉଭୟ ଭାରତ ଓ ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ୱ କରିଥିବାରୁ ନିଜକୁ ଗର୍ବିତ ମନେକରୁଛି। ଆମର କଠିନ ପରିଶ୍ରମ ଏବଂ ତ୍ୟାଗକୁ ସ୍ବୀକୃତି ଦିଆଯିବାର ଅନୁଭୂତି ସ୍ବତନ୍ତ୍ର। ଆଶା କରୁଛି ଯେ ଏହା ରାଜ୍ୟ ଏବଂ ଦେଶକୁ ଗର୍ବିତ କରିବାପାଇଁ ଅନ୍ୟମାନଙ୍କୁ ପ୍ରେରିତ କରିବ“। ଓଡ଼ିଶା ଆଥଲେଟ୍‌ମାନେ ବୁଧବାର ଭୁବନେଶ୍ୱର ଫେରିବା ପରେ ବିମାନବନ୍ଦରରେ ସେମାନଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା।

Share