ନୂଆଦିଲ୍ଲୀ,୭ା୬: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ), ସାଉଦି ଆରବ ଏବଂ ଇରାକ୍ ୨୦୨୧-୨୨ରେ ଭାରତର ତୃତୀୟ, ଚତୁର୍ଥ ଓ ପଞ୍ଚମ ବୃହତ୍ ବାଣିଜି୍ୟକ ସହଯୋଗୀ ଥିଲେ। ଏହି ୩ ରାଷ୍ଟ୍ରରେ ବହୁସଂଖ୍ୟକ ଭାରତୀୟ ପ୍ରବାସୀ ରହୁଥିବାରୁ ସେମାନେ ଏଠାକୁ ବିପୁଳ ପରିମାଣର ଅର୍ଥ ପଠାଇଥାଆନ୍ତି। ଭାଜପାର ଦୁଇ ପୂର୍ବତନ ମୁଖପାତ୍ର ନୂପୁର ଶର୍ମା ଓ ନବୀନ ଜିନ୍ଦଲଙ୍କ ମହମ୍ମଦ ବିରୋଧୀ ମନ୍ତବ୍ୟ କେବଳ କେନ୍ଦ୍ର ସରକାରଙ୍କୁ ଅଡ଼ୁଆରେ ପକାଇନାହିଁ, ବରଂ ବିଦେଶରେ ଭାରତର ଛବିକୁ ବିବାଦୀୟ ତଥା ନିନ୍ଦିତ କରିଛି। ଗୈରିକ ଦଳ ଡ୍ୟାମେଜ୍ କଣ୍ଟ୍ରୋଲ କରିବାକୁ ଯାଇ ଦୁହିଁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି। କିନ୍ତୁ ଇସ୍ଲାମିକ୍ ରାଷ୍ଟ୍ରଗୁଡ଼ିକ ଏହି କାର୍ଯ୍ୟାନୁଷ୍ଠାନକୁ ପର୍ଯ୍ୟାପ୍ତ ନୁହେଁ ବୋଲି ଦର୍ଶାଇ ଭାରତ ସରକାରଙ୍କଠାରୁ କ୍ଷମା ଦାବି କରିଛନ୍ତି। ଏଥିସହ ଭାରତୀୟ ସାମଗ୍ରୀଗୁଡ଼ିକୁ ବର୍ଜନ ପାଇଁ ଆହ୍ବାନ ଦେଇଛନ୍ତି। ଉପସାଗରୀୟ ରାଷ୍ଟ୍ରଗୁଡ଼ିକ ଭାରତୀୟ ସାମଗ୍ରୀ ବର୍ଜନ କଲେ ଦେଶର ଅର୍ଥନୀତି ବହୁଳ ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି।
୨୦୨୧-୨୨ରେ ଭାରତ ୭ ଉପସାଗରୀୟ ରାଷ୍ଟ୍ର ସହ ୧୮୯ ବିଲିୟନ୍ ଡଲାର (ପ୍ରାୟ ୧୪ ଲକ୍ଷ ୭୦ ହଜାର ୬୨୬ କୋଟି ଟଙ୍କା)ର ବାଣିଜି୍ୟକ କାରବାର କରିଥିଲା, ଯାହାକି ମୋଟ ବୈଶ୍ୱିକ ଆମଦାନୀ ଓ ରପ୍ତାନିର ୧୮.୩%। ଏହାବାଦ୍ ଆରବ ରାଷ୍ଟ୍ରଗୁଡ଼ିକରେ ବସବାସ କରୁଥିବା ଭାରତୀୟମାନେ ସ୍ବଦେଶକୁ ବିପୁଳ ପରିମାଣର ଅର୍ଥ ପଠାଇଥାଆନ୍ତି। ତେଣୁ ଏହି ଦେଶଗୁଡ଼ିକ ଭାରତୀୟ ସାମଗ୍ରୀ ବର୍ଜନ କଲେ ଭାରତର ଅର୍ଥନୀତି ପ୍ରଭାବିତ ହେବ। ୨୦୧୭ରେ ଭାରତକୁ ବିଦେଶରୁ ଆସିଥିବା ମୋଟ ଅର୍ଥର ୫୪% ଯୋଗଦାନ କେବଳ ୫ଟି ଉପସାଗରୀୟ ରାଷ୍ଟ୍ରର ରହିଥିଲା। ଏହି କ୍ଷେତ୍ରରେ ୟୁଏଇ ସର୍ବାଧିକ ୧୪ ବିଲିୟନ୍ ଡଲାର ସହ ସର୍ବାଗ୍ରେ ଥିବାବେଳେ ସାଉଦି ଆରବର ଯୋଗଦାନ ୧୧ ବିଲିୟନ୍ ଡଲାର ରହିଥିଲା। ସେହିପରି କୁଏଟ୍ରୁ ୫ ବିଲିୟନ୍ ଡଲାର, କାତାରରୁ ୪ ବିଲିୟନ୍ ଡଲାର, ଓମାନରୁ ୩ ବିଲିୟନ୍ ଡଲାର ଏବଂ ବାହାରିନ୍ରୁ ୧ ବିଲିୟନ୍ ଡଲାର ଭାରତକୁ ଆସିଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟର ଓ୍ବେବ୍ସାଇଟ୍ରେ ଉଲ୍ଲେଖ କରାଯାଇଛି। ୟୁଏଇ, ସାଉଦି ଆରବ, କାତାର, କୁଏଟ୍, ଓମାନ ଏବଂ ବହାରିନ୍ ଭଳି ପାରସ୍ୟ ଉପସାରଗୀୟ ଦେଶକୁ ‘ଗଲ୍ଫ କଣ୍ଟ୍ରି’ କୁହାଯାଏ। ଇରାକ୍କୁ ବାଦ୍ ଦେଇ ଏହି ୬ ରାଷ୍ଟ୍ର ଉପସାଗରୀୟ ସହଯୋଗ ପରିଷଦ (ଜିସିସି)ର ସଦସ୍ୟ। ଭାରତ ୨୦୨୧-୨୨ରେ ଜିସିସି ସହ ୧୫୪.୭ ବିଲିୟନ୍ ଡଲାର ବାଣିଜି୍ୟକ କାରବାର କରିଥିଲା। ଜିସିସି ରାଷ୍ଟ୍ରଗୁଡ଼ିକୁ ଭାରତ ୪୩.୯ ବିଲିୟନ୍ ଡଲାର ମୂଲ୍ୟର ସାମଗ୍ରୀ ରପ୍ତାନି କରିଥିଲା। ୨୦୨୨ ଫେବୃୟାରୀରେ ଭାରତ ଏବଂ ୟୁଏଇ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତି (ଏଫ୍ଟିଏ) ସ୍ବାକ୍ଷରିତ ହୋଇଛି। ଏହା ବଳରେ ଭାରତ ପକ୍ଷରୁ ରପ୍ତାନୀ ହେଉଥିବା ୯୭% ସାମଗ୍ରୀ ଉପରେ ୟୁଏଇ କୌଣସି ପ୍ରକାର ଆମଦାନୀ ଶୁଳ୍କ ଲଗାଉନାହିଁ। ଅନୁରୂପ ଭାବେ ସେହି ଦେଶରୁ ଭାରତକୁ ଆସୁଥିବା ୯୦% ସାମଗ୍ରୀ ଉପରେ ନୂଆଦିଲ୍ଲୀ ‘ଜିରୋ-ଡ୍ୟୁଟି’ ନୀତି ଆପଣାଉଛି। ଗତ ମେ’ ୧ରୁ ଆଗାମୀ ୧୦ ବର୍ଷ ଯାଏ ଏହା ଲାଗୁ ହୋଇଛି। କେନ୍ଦ୍ରର ମୋଦି ସରକାର ଆଗକୁ ଜିସିସି ରାଷ୍ଟ୍ର ସମୂହ ସହ ଅନୁରୂପ ଚୁକ୍ତି ସ୍ବାକ୍ଷର କରିବାକୁ ବିଚାର କରୁଥିବାରୁ ସେହି ଦେଶଗୁଡ଼ିକ ଭାରତୀୟ ସାମଗ୍ରୀ ବର୍ଜନ କଲେ ନୂଆଦିଲ୍ଲୀକୁ ବଡ଼ ଆର୍ଥିକ ଝଟକା ଲାଗିବ ବୋଲି ଅର୍ଥନୀତି ବିଶେଷଜ୍ଞମାନେ ମତ ଦେଇଛନ୍ତି।