ଆର୍ଥତ୍କ କାରବାର, ଗୁପ୍ତ ତଥ୍ୟ ନେଇ ଖୋଳତାଡ଼

ବାଲେଶ୍ୱର ଅଫିସ,୨୭ା୨:ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନ (ଡିଆର୍‌ଡିଓ)ରୁ ପ୍ରତିରକ୍ଷା ତଥ୍ୟ ଲିକ୍‌ ଘଟଣାରେ ଗିରଫ ହୋଇଥିବା ଆଇଟିଆର୍‌ର ବରିଷ୍ଠ ବୈଷୟିକ ଅଧିକାରୀ ବାବୁରାମ ଦେଙ୍କୁ ପୋଲିସ ଶନିବାର ୪ ଦିନିଆ ରିମାଣ୍ଡରେ ନେଇଛି। ରବିବାର ପ୍ରଥମ ଦିନରେ ତାଙ୍କୁ ଜେରା କରି ଆର୍ଥତ୍କ କାରବାର ଓ ଗୁପ୍ତ ତଥ୍ୟ ନେଇ ଖୋଳତାଡ଼ କରିଛନ୍ତି ଆଇଜି ହିମାଂଶୁ ଲାଲ। ଆର୍ଥିକ କାରବାର ସମ୍ପର୍କରେ ବିଭିନ୍ନ ଅଧିକାରୀଙ୍କ ସହାୟତା ନିଆଯିବ ବୋଲି ଜିଲା ଆରକ୍ଷୀ ଅଧୀକ୍ଷକ ସାଗରିକା ନାଥ କହିଛନ୍ତି।
ଗିରଫ ବାବୁରାମ ଆଇଟିଆର୍‌ ଟେଲିମେଟ୍ରି ବିଭାଗର ଟେକ୍ନିକାଲ ଅଫିସର ଥିଲେ। ଅଧିକାଂଶ ମିଶାଇଲ ଟେଷ୍ଟ ବେଳେ ତାଙ୍କୁ କାର୍ଯ୍ୟପାଇଁ ଆଇଟିଆର୍‌ ପକ୍ଷରୁ ନିୟୋଜିତ କରାଯାଉଥିଲା। ପୃଥ୍ବୀ, ବ୍ରହ୍ମୋସ୍‌, ବଂଶୀ, କ୍ୟୁଆର୍‌ସାମ୍‌ ଆଦି ମିଶାଇଲ ପରୀକ୍ଷା ସମୟରେ ବାବୁରାମ ନିୟୋଜିତ ହେଉଥିଲେ। କ୍ଲଷ୍ଟର ବମ୍‌ ଟେଷ୍ଟରେ ମଧ୍ୟ ବାବୁରାମଙ୍କର ଭୂମିକା ଥିଲା। ଡିଆର୍‌ଡିଓର ବୈଜ୍ଞାନିକମାନଙ୍କ ସହିତ ବାବୁରାମଙ୍କର ସମ୍ପର୍କ ଥିଲା। ମିଶାଇଲ୍‌ ଟେଷ୍ଟ ସମ୍ପର୍କରେ ବାବୁରାମଙ୍କ ପାଖରେ ଟିକିନିଖି ତଥ୍ୟ ରହୁଥିଲା। ପ୍ରାୟ ୧ ବର୍ଷ ପୂର୍ବରୁ ହନିଟ୍ରାପ୍‌ର ଶିକାର ହୋଇ ଆଇଟିଆର୍‌ର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସହ ମିଶାଇଲ ପରୀକ୍ଷଣ ସମ୍ପର୍କିତ ଭିଡିଓ ପାକିସ୍ତାନ ସୁନ୍ଦରୀଙ୍କୁ ଦେଉଥିଲେ। ତାଙ୍କ ମୋବାଇଲରୁ ପୋଲିସ ଏଭଳି କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଛି। ଗୁପ୍ତ ତଥ୍ୟ ଲିକ୍‌ର କିଛି ଭିଡିିଓ ମଧ୍ୟ ପୋଲିସ ହାତରେ ଲାଗିଛି।
ସୂଚନାଯୋଗ୍ୟ, ହନିଟ୍ରାପ୍‌ରେ ଫସି ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେଉଥିବା ଅଭିଯୋଗରେ ବାବୁରାମ ଗିରଫ ହୋଇଥିଲେ। ତାଙ୍କ ଘର ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଅଧୀନ ବାଗପୁଞ୍ଜି ଗ୍ରାମରେ। ପାକିସ୍ତାନୀ ମହିଳାଙ୍କ ମାୟାଜାଲରେ ପଡ଼ି ଭିଡିଓ କଲ୍‌ ମାଧ୍ୟମରେ ସେ ଆଇଟିଆର୍‌ର ଗୋପନୀୟ ତଥ୍ୟ ପ୍ରଦାନ କରିଥିଲେ। ପୋଲିସ ଅଧିକ ତଦନ୍ତ କରିବା ପରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାକିସ୍ତାନୀ ଏଜେଣ୍ଟଙ୍କୁ ଦିଆଯାଇଥିବା ଜାଣିବାକୁ ପାଇଥିଲା। ଦେଶର ସୁରକ୍ଷା ସମ୍ବନ୍ଧୀୟ ତଥ୍ୟ ପ୍ରଘଟ କରିଥିବା ଜଣାପଡ଼ିବା ପରେ ବାଲେଶ୍ୱର ପୋଲିସ ଏବଂ ସେଣ୍ଟ୍ରାଲ ଏଜେନ୍ସି ମିଳିତ ଭାବେ ତଦନ୍ତ କରି ବାବୁରାମଙ୍କୁ ଶୁକ୍ରବାର ଗିରଫ କରିଥିଲା।