ଭୁବନେଶ୍ୱର,୯।୧୨(ବ୍ୟୁରୋ): ଓଡ଼ିଶାରେ ଏବେ ବି ବହୁ ଐତିହାସିକ କୀର୍ତ୍ତିରାଜ ଲୁକ୍କାୟିତ ହୋଇ ରହିଛି। ସେଗୁଡ଼ିକୁ ଖୋଜିବା ସହ ଲୋକଲୋଚନ ତଥା ସରକାରଙ୍କ ଦୃଷ୍ଟିକୁ ଆଣିବା ପାଇଁ ଅନେକ ସଂସ୍ଥା ତଥା ଅନୁଷ୍ଠାନ ପ୍ରୟାସ ଜାରି ରଖିଛନ୍ତି। ତେବେ ଏଭଳି ଏକ ପ୍ରାଚୀନ ତଥା ଐତିହାସିକ ଗୁମ୍ପାର ସନ୍ଧାନ କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ ଗୟଳବାଙ୍କ ଗ୍ରାମ ନିକଟ ପାହାଡ଼ରୁ ମିଳିଛି। ଏହି ଗୁମ୍ପାରେ ଅନେକ କଳାକୃତି, ପଥରରେ ଖୋଦିତ ହୋଇଥିବା କିଛି ଚିତ୍ର ଓ ବିଭିନ୍ନ ସାଙ୍କେତିକ ଭାଷା ରହିଛି। ଏହାକି ପ୍ରାୟ ୨୦୦୦ ବର୍ଷ ପୂର୍ବରୁ ହୋଇଥିବାର ଅନୁମାନ କରାଯାଉଥିବା ନେଇ ସନ୍ଧାନ କରିଥିବା ଇଣ୍ଡିଆନ ନ୍ୟାଶନାଲ ଟ୍ରଷ୍ଟ ଫର୍ ଆର୍ଟ ଆଣ୍ଡ କଲଚର ହେରିଟେଜ(ଇନ୍ଟାକ୍) ସଂସ୍ଥା ପକ୍ଷରୁ ସୂଚନା ମିଳିଛି। ଇନ୍ଟାକର ପ୍ରକଳ୍ପ ସହାୟକ ଦୀପକ କୁମାର ନାୟକ, ସୁମନ ପ୍ରକାଶ ସ୍ବାଇଁ ଓ ଶୁଭାଶିଷ ଦାଶଙ୍କୁ ନେଇ ଗଠିତ ୩ଜଣିଆ ଟିମ୍ ଗୁମ୍ଫାଟିର ପ୍ରାଥମିକ ସର୍ବେକ୍ଷଣ କରିଛନ୍ତି। ଏହି ଗୁମ୍ଫାଟିକୁ ସ୍ଥାନୀୟ ଅଧିବାସୀ ‘ପାଣ୍ଡବ ବଖରା ୨’ ବୋଲି କୁହନ୍ତି।
ସଂସ୍ଥା ପକ୍ଷରୁ ଚାଲିଥିବା ‘ମହାନଦୀ ଭେଲି ହେରିଟେଜ ସାଇଟ୍ ଡକ୍ୟୁମେଣ୍ଟଶନ’ ପ୍ରକଳ୍ପର ସର୍ବେକ୍ଷଣ ସମୟରେ ଏହି ଗୁମ୍ଫା, ଚିତ୍ର ଲୋକଲୋଚନକୁ ଆସିଛି। ଗୟଳବାଙ୍କଠାରୁ ଅନତିଦୂର ପାଥପୁର ଗ୍ରାମରେ ଅନୁରୂପ ‘ପାଣ୍ଡବ ବଖରା ୧’ ନାମରେ ଅନ୍ୟ ଗୋଟିଏ ଶିଳାଚିତ୍ର ପରିପୂର୍ଣ୍ଣ ଗୁମ୍ପା ରହିଛି। ଏହି ପାହାଡ଼ର ପାଦଦେଶରେ ଏକ ଜଳାଶୟ ଥିବାବେଳେ ଅଳ୍ପ ଦୂରରେ ମହାନଦୀ ପ୍ରବାହିତ ହେଉଛି। ସ୍ଥାନୀୟ ଲୋକକଥା ଅନୁସାରେ ଏହି ୨ ପାହାଡ଼ର ଗୁମ୍ଫାଗୁଡ଼ିକ ମଧ୍ୟରେ ମହାଭାରତ ଯୁଗରେ ପାଣ୍ଡବମାନେ ଅଜ୍ଞାତବାସ ବିତାଇଥିଲେ। ଏ ସମ୍ପର୍କରେ ଇନ୍ଟାକ୍ ପ୍ରକଳ୍ପ ସହାୟକ ଦୀପକ ନାୟକଙ୍କ କହିବା ଅନୁଯାୟୀ, ହୁଏତ ଅନେକ ବର୍ଷ ପୂର୍ବେ ଏସ୍ଥାନରେ ଏକ ସଭ୍ୟତା ଗଢି ଉଠିଥିଲା ଓ ଗୁମ୍ଫାଟିକୁ ସେହି ଆଦିମ ଅଧିବାସୀମାନେ ଧାର୍ମିକ ଉପାସନାର ସ୍ଥାନ ଭାବେ ବ୍ୟବହାର କରୁଥିଲେ। ସେ ସମୟରେ ଲିପିତତ୍ତ୍ୱ ବା ମୂର୍ତ୍ତିକଳାର ବ୍ୟବହାର ଆରମ୍ଭ ହୋଇ ନ ଥିବାରୁ ଅଧିବାସୀମାନେ ନିଜ ସାମାଜିକ ଚାଲିଚଳଣର ସୂଚନା ଦେବାକୁ ଏପ୍ରକାର ସାଙ୍କେତିକ ଚିତ୍ର ଆଙ୍କିଥିବାର ଅନୁମାନ କରାଯାଉଛି। ଗୁମ୍ଫାଟିରେ ଦେଖାଯାଉଥିବା ଅନେକ ଚିତ୍ର ମଧ୍ୟରୁ ମହୁଫେଣା, ମାଛ, ଫୁଲ, ତ୍ରିଭୁଜ ଓ ଚତୁର୍ଭୁଜ ପରି ଜ୍ୟାମିତିକ ସଂକେତ ଉଲ୍ଲେଖଯୋଗ୍ୟ। ଗୁମ୍ଫାଟି ଭୂପତ୍ତନଠାରୁ ପ୍ରାୟ ୫୦୦ ଫୁଟ ଉପରେ ଅବସ୍ଥିତ। ଅତ୍ୟନ୍ତ ଦୁର୍ଗମ, ବଣଲତା ପରିପୂର୍ଣ୍ଣ ରାସ୍ତାଦେଇ ଗୁମ୍ଫାଟିକୁ ଯିବାକୁ ହୁଏ। ସେହିଭଳିି ଇନଟାକ୍ର ପ୍ରକଳ୍ପ ସଂଯୋଜକ ଅନିଲ ଧୀର କହିଛନ୍ତି, ଏ ପ୍ରକାର ଶିଳାଚିତ୍ର ମଧ୍ୟପ୍ରଦେଶର ପ୍ରସିଦ୍ଧ ଭୀମବେଟକା ଓ ରାଜ୍ୟର ବିକ୍ରମଖୋଲ, ଉଷାକୋଠି ପରି ସ୍ଥାନରେ ଦେଖିବାକୁ ମିଳେ। ପରିତାପର ବିଷୟ ରାଜଧାନୀ ଭୁବନେଶ୍ୱରର ଏତେ ନିକଟରେ ଏପରି ବିରଳ ପୁରାତନ ଐତିହ୍ୟ ଥାଇ ସୁଦ୍ଧା ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଏହାର ସଂରକ୍ଷଣ ପାଇଁ କୋଣସି ପଦକ୍ଷେପ ନେଇନାହିଁ। ଗୁମ୍ଫାର ପୁରାତନ ଚିତ୍ର ସବୁ ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟହେବାକୁ ବସିଲାଣି। ତୁରନ୍ତ ଏହାକୁ ସଂରକ୍ଷିତ ଐତିହ୍ୟ ସ୍ଥଳୀର ମାନ୍ୟତା ଦେବାକୁ ଧୀର ଗୁରୁତ୍ୱାରୋପ କରିଛନ୍ତି।