ଭାଗ୍ୟ ବଦଳାଇଦେଲା ବାତ୍ୟା ‘ନିଭାର’: ସମୁଦ୍ର କୂଳରୁ ସୁନା ଖୋଜୁଛନ୍ତି ଗ୍ରାମବାସୀ

ହାଇଦ୍ରାବାଦ,୨୯ା୧୧: ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲାରେ ଗତ ଗୁରୁବାର ଏକ ବାତ୍ୟା ‘ନିଭାର’ ତାଣ୍ଡବ ରଚିଥିଲା। ତେବେ ଏହି ଝଡ଼ କମିଯିବା ପରେ ସ୍ଥାନୀୟ ଲୋକେ ସୁନା ଖୋଜିବାରେ ଲାଗିପଡ଼ିଛନ୍ତି।

ଶନିବାର କିଛି ଲୋକ ସୁନା ଖୋଜିବା ପାଇଁ ପୂର୍ବ ଗୋଦାବରୀର ସମୁଦ୍ର କୂଳରେ ପହଞ୍ଚିଥିଲେ। କୁହାଯାଏ, ଘୂର୍ଣ୍ଣିବଳୟ ଯୋଗୁ ସ୍ରୋତରେ ସମୁଦ୍ରରୁ ଅନେକ ଧାତୁ ଧୋଇ ହୋଇଯାଇଛି।
ସ୍ଥାନୀୟ କିମ୍ବଦନ୍ତୀ ଅନୁଯାୟୀ, ପ୍ରାଚୀନ ମନ୍ଦିରଗୁଡ଼ିକ ସମୟ ସହିତ ସମୁଦ୍ର ତଳେ ବୁଡ଼ି ରହିଥିଲେ। ଉଚ୍ଚ ଜୁଆର ସମୟରେ ସେହି ମନ୍ଦିରରେ ଥିବା ସୁନାର ମାଳି କୂଳକୁ ଭାସିଆସିଥିଲା। ତେବେ ଗୋଦାବରୀ ଜିଲା କୋଥପଲ୍ଲୀ ମଣ୍ଡଳ ଅନ୍ତର୍ଗତ ଗାଁର କେତେକ ମତ୍ସ୍ୟଜୀବୀ ପରିବାର ସୁନା ଖୋଜିବା ପାଇଁ ଏକାଠି ହୋଇଥିଲେ। କିଛି ଲୋକ ହଳଦିଆ ରଙ୍ଗର କିଛି ଧାତୁ ପାଇଥିବା ଜଣାଯାଇଛି। ମାତ୍ର ଏ ପର୍ଯ୍ୟନ୍ତ ଏହାର ସୁନା କି ଅନ୍ୟ ଧାତୁ ତାହା ପ୍ରମାଣିତ ହୋଇନାହିଁ।
ପ୍ରବଳ ପବନ ସତ୍ତ୍ୱେ ମହିଳା ଓ ଶିଶୁମାନେ ସମୁଦ୍ରକୂଳରେ ସୁନା ଖୋଜିବା ପାଇଁ ଆଜି ବି ଭିଡ଼ ଜମାଉଛନ୍ତି। ମତ୍ସ୍ୟଜୀବୀମାନେ କୁହନ୍ତି, ବାତ୍ୟା ହେଲେ ସୁନା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଧାତୁ ସେମାନେ ସମୁଦ୍ର କୂଳରୁ ପାଇଥାନ୍ତି।

Share