ମୋ ଧନକୁ ଖୋଜି ଆଣେ…ନହେଲେ ତମ ସମସ୍ତଙ୍କୁ ଦେଖିନେବି: ପୋଲିସକୁ ଧମକ ଦେଲେ ଯୁବତୀ

ଭୁବନେଶର,୧୦।୧୦: ଖଣ୍ଡଗିରି ଥାନା ପରିସରରେ ଜଣେ ଯୁବତୀଙ୍କ ସହ ପୋଲିସର ଯୁକ୍ତିତର୍କ ହୋଇଛି। ଯୁବତୀ ଜଣଙ୍କ ପୋଲିସ ସହ ଯୁକ୍ତିତର୍କ କରୁଥିବାର ଭିଡିଓ ଭାଇରାଲ ହେଉଛି । ତାଙ୍କ ଅଜବ ଯୁକ୍ତିରେ ପୋଲିସ କର୍ମଚାରୀଙ୍କୁ ନାକେଦମ ହେବାକୁ ପଡ଼ିଛି। ପାଖରେ ପାଣି ବୋତଲ ଥିବା ସତ୍ତ୍ୱେ ଯୁବତୀଜଣଙ୍କ ପାଣି ବୋତଲ ଠିପି ଖୋଲି ତାଙ୍କୁ ଦେବାକୁ ଥାନାର ଜଣେ ସବ୍‌ଇନ୍‌ସ୍ପେକ୍ଟର(ଏସଆଇ)ଙ୍କୁ କହିଥିଲେ। ହେଲେ ଏସ୍‌ଆଇ ମନା କରିବାରୁ ଯୁବତୀ ଜଣଙ୍କ ରାଗରେ ପାଣି ବୋତଲକୁ ଫିଙ୍ଗିବା ସହ ଚେୟାର ଫୋପାଡ଼ି ଦେଇଛନ୍ତି। ଏପରିକି ଯୁବତୀ ଜଣଙ୍କ ଉକ୍ତ ସବ ଇନ୍‌ସ୍ପେକ୍ଟରଙ୍କ ପୋଷାକ ଓ ତାଙ୍କ ମୁଣ୍ଡକୁ ହାତ ମାରି ଓଲଟା ଦୁର୍ବ୍ୟବହାର କରୁଥିବା ଭିଡିଓରେ ଦେଖିବାକୁ ମିଳୁଛି।
ତୁ କିଏ ବେ ? ମୋ କାଟ୍‌ତି ଜାଣିନିି । ଜଲଦି ପିସିଆର ପଠା। ସହର ସାରା ଖୋଜ। ମୋ ଧନକୁ ଖୋଜି ଆଣେ। ନ ହେଲେ, ତମ ସମସ୍ତଙ୍କୁ ଦେଖିନେବି । ମାଲକାନଗିରି କି କୋରାପୁଟକୁ ବଦଳି କରିଦେବି। ଖଣ୍ଡଗିରି ଥାନାରେ ଉଚ୍ଚ ଗଳାରେ ପୋଲିସକୁ ଏଭଳି ନାଲି ଆଖି ଦେଖାଇଛନ୍ତି ଜଣେ ଯୁବତୀ। ମାତାଲ ଅବସ୍ଥାରେ ପ୍ରାୟ ୨ ଘଣ୍ଟା ଧରି ହଙ୍ଗାମା କରିଛନ୍ତି। ଏହି ଘଟଣା ପୋଲିସ କମିଶନରଙ୍କ କାନରେ ପଡ଼ିବା ପରେ ସେ ସମ୍ପୃକ୍ତ ମହିଳାଙ୍କ ନାମରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।

ତେବେ ଏନେଇ ଖଣ୍ଡଗିରି ଥାନା ଆଇଆଇସି ଅଭିମନ୍ୟୁ ଦାସଙ୍କୁ ପଚାରିବାରେ ଗତ ୬ତାରିଖ ରାତି ପ୍ରାୟ ସାଢ଼୧୨ଟାରେ ଜଣେ ଯୁବତୀ ଥାନାକୁ ଆସି ତାଙ୍କୁ ପୁରୁଷ ବନ୍ଧୁ ନିଖୋଜ ଥିବା କହି, ତାଙ୍କୁ ଖୋଜି ଆଣିବାକୁ ପୋଲିସକୁ ବାଧ୍ୟ କରିଥିଲେ। ଏପରି କି ଏହି ସମୟରେ ପୋଲିସ ସହ ବିଭିନ୍ନ ଯୁକ୍ତି କରିବା ସହ ଥାନାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥିଲେ। ପରେ ଉକ୍ତ ଯୁବତୀଙ୍କ ନାମରେ ଏକ ଷ୍ଟେଶନ ଡାଏରୀ କରି ତାଙ୍କୁ ଛଡ଼ା ଯାଇଥିଲା ବୋଲି ଦାସ କହିଛନ୍ତି।