Advertisement

‘ ମୋ ସ୍ବାମୀଙ୍କୁ ଖୋଜିକି ଆଣନ୍ତୁ’

ଆସିକା,୧୧।୧୨(ଡି.ଏନ.ଏ): ଗଞ୍ଜାମ ଜିଲା ଆସିକା ଚିନିଶିଳ୍ପ ଅତିଥି ଭବନରେ ସ୍ତ୍ରୀ ତପସ୍ବିନୀ ଦାସଙ୍କୁ ଏକାକୀ ଛାଡ଼ି ଡାକ୍ତର ସ୍ବାମୀ ସୁମିତ ସାହୁ କେଉଁଆଡ଼େ ପଳାଇଛନ୍ତି। ବ୍ରହ୍ମପୁର ଏସ୍‌ଡିଜେଏମ୍‌ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗତ ୩ ତାରିଖରୁ ତପସ୍ବିନୀ ଓ ସୁମିତ ଏକାଠି ରହିଥିଲେ। ତେବେ ଗତ ଶୁକ୍ରବାର ଡା. ସୁମିତ ଅତିଥି ଭବନରୁ ତାଙ୍କ କାର୍ଯ୍ୟସ୍ଥଳ ବାଲିଶିରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ଆଉ ଫେରିନାହାନ୍ତି। ଏପରକି ତାଙ୍କ ମୋବାଇଲ ଫୋନ୍‌ ବନ୍ଦ ରହିଛି। ତେଣୁ ସ୍ବାମୀଙ୍କ ବାଟକୁ ଅନାଇ ବସିଥିବା ତପସ୍ବିନୀ ଶେଷରେ ଶନିବାର ଆସିକା ଥାନାର ଦ୍ୱାରସ୍ଥ ହୋଇଛନ୍ତି।
ମଧ୍ୟାହ୍ନରେ ଚିନିଶିଳ୍ପ ଅତିଥି ଭବନକୁ ମା’ ଓ ଭାଇ ଆସିବା ପରେ ତପସ୍ବିନୀ ସେମାନଙ୍କ ସହ ଥାନାକୁ ଯାଇ ଘଟଣା ସମ୍ପର୍କରେ ଅଭିଯୋଗ କରିଛନ୍ତି। ସୁମିତ ଗତ ଶୁକ୍ରବାର ତରବରିଆ ଭାବେ ଅତିଥି ଭବନରୁ ବାହାରି ଜଣେ ବ୍ୟକ୍ତିଙ୍କ ସ୍କୁଟିିରେ ବସି କେଉଁଆଡ଼େ ଯାଇ ଆଉ ଫେରି ନ ଥିବା କି ସମ୍ପର୍କ ରଖି ନ ଥିବା ଅଭିଯୋଗ କରିଛନ୍ତି। ତେବେ ଥାନା ଅଧିକାରୀ ରବିବାର ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ଲାଗି ଡ୍ୟୁଟିରେ ବାହାରେ ଅଛନ୍ତି। ସେ ଫେରିବା ପରେ ଏ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଅଭିଯୋଗ ଗ୍ରହଣ କରିଥିବା ଥାନାର ଜଣେ କର୍ମଚାରୀ ତପସ୍ବିନୀଙ୍କୁ କହିଛନ୍ତି। ଏ ନେଇ ଆସିକା ଥାନାଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କୁ ପଚାରିବାରେ ସେ ଥାନାକୁ ଫେରିବା ପରେ ଅଭିଯୋଗକୁ ଭିତ୍ତିିକରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି। ତପସ୍ବିନୀ ଏବେ ଅତିଥି ଭବନରେ ଏକାକି ରହିଥିବା ଜଣାଯାଇଛି ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share