ବାତ୍ୟା ମୁକାବିଲା ଲାଗି କ’ଣ ହୋଇଛି ପ୍ରସ୍ତୁତି ଜାଣନ୍ତୁ

ଭୁବନେଶ୍ୱର,୨୨ା୫(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟା ନେଇ ଜିଲା ପ୍ରଶାସନ ଓ ବିଭିନ୍ନ ବିଭାଗ ସହ ଆଲୋଚନା ହୋଇଥିବା ସ୍ବତନ୍ତ୍ର ରିଲିଫ୍‌ କମିଶନର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଓଡ଼ିଶାର ସମସ୍ତ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଭାବେ ଫେରାଇ ଅଣାଯାଇଛି। ବର୍ତ୍ତମାନ କୌଣସି ମତ୍ସ୍ୟଜୀବୀ ସମୁଦ୍ର ମଧ୍ୟରେ ନାହାନ୍ତି। କୃଷକମାନେ ସେମାନଙ୍କ କୃଷିଜାତ ଦ୍ରବ୍ୟକୁ ସୁରକ୍ଷିତ ସ୍ଥାନକୁ ନିଅନ୍ତୁ ବୋଲି ଅନୁରୋଧ କରାଯାଇଛି। ତୁରନ୍ତ ଜଳ ନିଷ୍କାସନ ପାଇଁ ଡ୍ରେନେଜ୍‌ ସଫା ପାଇଁ ବି ନିର୍ଦ୍ଦେଶ ଦିଆଯାଇଛି।
ଲୋକଙ୍କୁ ସ୍ଥାନାନ୍ତର, ବାତ୍ୟା ଆଶ୍ରୟସ୍ଥଳୀ ପରିଚାଳନା ଓ ପୁନରୁଦ୍ଧାର ପାଇଁ ବଡ଼ ବଡ଼ ଏନ୍‌ଜିଓମାନଙ୍କ ସହଯୋଗ ଲୋଡ଼ାଯାଇଛି। ଅକ୍ସିଜେନ ଉତ୍ପାଦନ ଓ ରିଫିଲିଂ ପାଇଁ ଯେପରି କୌଣସି ଅସୁବିଧା ନ ହେବ, ସେଥିପାଇଁ ଅକ୍ସିଜେନ ଯୋଗାଉଥିବା ବିଭିନ୍ନ ସଂସ୍ଥାମାନଙ୍କ ସହ ଆଲୋଚନା କରାଯାଇଛି। ସେଥିପାଇଁ ଶିଳ୍ପ ବିଭାଗ ସ୍ବତନ୍ତ୍ର ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛନ୍ତି। କୋଭିଡ୍‌ କେୟାର ସେଣ୍ଟର ଓ ଜିଲା କୋଭିଡ୍‌ ହସ୍ପିଟାଲରେ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ସିଲିଣ୍ଡର ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହା ବାଦ୍‌ ପାନୀୟ ଜଳ ଓ ଜେନେରେଟର ରଖିବା ପାଇଁ କୁହାଯାଇଛି। ଜିଲା ସଦର ମହକୁମା ହସ୍ପିଟାଲରେ ମଧ୍ୟ ସମସ୍ତ ବ୍ୟବସ୍ଥା କରାଯାଇଛି। ପ୍ରସୂତି ମହିଳାମାନେ ବାତ୍ୟା ଆଶ୍ରୟ ସ୍ଥଳକୁ ନ ଯାଇ ସିଧା ହସ୍ପିଟାଲ ଆସିବାକୁ କୁହାଯାଇଛି।
ବାତ୍ୟା ଆସିବା ପୂର୍ବରୁ ଆଶ୍ରୟ ସ୍ଥଳୀକୁ ଆସିବାକୁ ସମସ୍ତ ଲୋକଙ୍କୁ ଡାକବାଜି ଯନ୍ତ୍ର ଯୋଗେ ଅନୁରୋଧ କରାଯାଉଛି। ଆଶ୍ରୟ ସ୍ଥଳିରେ ମାସ୍କ ପିନ୍ଧିବା ସହ ଓ ରାପିଡ୍‌ ରେସ୍‌ପନ୍ସ ଟିମ ପଠାଇ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ସେ କହିଛନ୍ତି। ସଂକ୍ରମିତ ଥିଲେ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ଏସ୍‌ଆରସି କହିଛନ୍ତି। ପ୍ରସ୍ତୁତ ଥିବା ୧୭ଟି ଏନ୍‌ଡିଆର୍‌ଏଫ, ୨୦ଟି ଓଡ୍ରାଫ, ୧୫୦ଟି ଫାୟାର ଟିମକୁ ଆସନ୍ତାକାଲି ବିଭିନ୍ନ ଜିଲାକୁ ପଠାଯିବ। ବାତ୍ୟା ପରେ ଗଛ କାଟିବା ଲାଗି ବନ ବିଭାଗକୁ ମଧ୍ୟ ପ୍ରସ୍ତୁତ ରହିବା ପାଇଁ କୁହାଯାଇଥିବା ଏସ୍‌ଆରସି ସୂଚନା ଦେଇଛନ୍ତି ।

Share