Categories: ଜାତୀୟ

ଆଜି ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା: ସାଧାରଣ ଦର୍ଶନ କେତେବେଳେ, କୌଣସି ଦେୟ ଅଛି କି ନାହିଁ ଜାଣନ୍ତୁ ଏ ସମ୍ପର୍କରେ…

ଅଯୋଧ୍ୟା,୨୨ା୧: ଆଜି ଅର୍ଥାତ୍‌ ସୋମବାର ୨୨ ତାରିଖରେ ଅଯୋଧ୍ୟାରେ ନୂଆ ରାମମନ୍ଦିରର ପ୍ରତିଷ୍ଠା କରାଯିବ। ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଦେଶ ତଥା ବିଶ୍ୱର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବେ। ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ରର ଟ୍ରଷ୍ଟ ଅନୁଯାୟୀ, ପ୍ରାଣପ୍ରତିଷ୍ଠା ପରେ ସାଧାରଣ ଭକ୍ତଙ୍କ ପାଇଁ ରାମମନ୍ଦିର ଖୋଲାଯିବ। ସାଧାରଣ ଲୋକ କେବେ ରାମମନ୍ଦିର ପରିଦର୍ଶନ କରିପାରିବେ? କୌଣସି ଦେୟ ଦେବାକୁ ପଡ଼ିବ କି ନାହିଁ? ଆରତି କେତେବେଳେ? ଜାଣନ୍ତୁ ସେ ସମ୍ପର୍କରେ…

ସାଧାରଣ ଲୋକ କେବେ ଦର୍ଶନ ପାଇବେ?
ଜାନୁୟାରୀ ୨୨ ପରେ ଅର୍ଥାତ୍‌ ମଙ୍ଗଳବାର ସାଧାରଣ ଭକ୍ତମାନେ ରାମଲାଲାଙ୍କ ଦର୍ଶନ ପାଇପାରିବେ। ଟ୍ରଷ୍ଟ ଅନୁଯାୟୀ, ଜାନୁଆରୀ ୨୨ରେ ସାଧାରଣ ଭକ୍ତଙ୍କ ଦର୍ଶନ ପାଇଁ କୌଣସି ବ୍ୟବସ୍ଥା ନାହିଁ। ପରଦିନ ସେମାନଙ୍କ ପାଇଁ ଦ୍ୱାର ଖୋଲା ରହିବ।

ମନ୍ଦିର କେତେଟା ପର୍ଯ୍ୟନ୍ତ ଖୋଲା ରହିବ?

ଅଯୋଧ୍ୟାରେ ରାମମନ୍ଦିର ସାଧାରଣ ଭକ୍ତଙ୍କ ଦର୍ଶନ ପାଇଁ ସକାଳ ୭ଟାରୁ ୧୧.୩୦ ପର୍ଯ୍ୟନ୍ତ ଏବଂ ତା’ପରେ ଅପରାହ୍ନ ୨ଟାରୁ ସନ୍ଧ୍ୟା ୭ଟା ର୍ଯ୍ୟନ୍ତ ଖୋଲା ରହିବ। ଉପଭୋଗ ଏବଂ ବିଶ୍ରାମ ପାଇଁ ମନ୍ଦିର ଅପରାହ୍ନରେ ପ୍ରାୟ ଅଢ଼େଇ ଘଣ୍ଟା ଦର୍ଶନ ବନ୍ଦ ରହିବ।

ଦର୍ଶନ ପାଇଁ କୌଣସି ଶୁଳ୍କ ରହିବ କି ନାହିଁ?
ଅଯୋଧ୍ୟା ରାମମନ୍ଦିରରେ ଦର୍ଶନ ମାଗଣା। ରାମଲାଲାଙ୍କ ଦର୍ଶନ ପାଇଁ କୌଣସି ପ୍ରକାରର ଦେୟ ଦେବାକୁ ପଡ଼ିବ ନାହିଁ। ଆରତି ଦିନକୁ ୩ ଥର ହେବ। ଏଥିପାଇଁ ଏକ ପାସ୍‌ ନିଆଯିବ। କେବଳ ଯେଉଁମାନଙ୍କର ପାସ୍‌ ଅଛି, ସେମାନଙ୍କୁ ଆରତିରେ ଭାଗ ନେବାକୁ ଅନୁମତି ଦିଆଯିବ।

କିଏ ମନ୍ଦିରର ଯତ୍ନ ନେବେ?
ରାମ ମନ୍ଦିରର ପରିଚାଳନା ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ରର ଟ୍ରଷ୍ଟ ଦ୍ୱାରା କରାଯାଉଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ର ସରକାର ଏହି ଟ୍ରଷ୍ଟ ପ୍ରତିଷ୍ଠା କରିଥିଲେ। ଏହି ଟ୍ରଷ୍ଟ ମନ୍ଦିର ନିର୍ମାଣ ଉପରେ ମଧ୍ୟ ନଜର ରଖିଛି। ଦେଶର ପ୍ରସିଦ୍ଧ ନିର୍ମାଣକାରୀ କମ୍ପାନୀ ଲର୍ସମ ଆଣ୍ଡ୍‌ ଟୁବ୍ରୋ (L &T ) ନିର୍ମାଣ କରୁଛି।

Share