କୋଭିଡ୍‌ ମୂଳକୁ ଖୋଜ

ଓ୍ବାଶିଂଟନ, ୧ା୬: କୋଭିଡ୍‌-୧୯ର ମୂଳ ଖୋଜି ବାହାର କରିବା ସହ ଭବିଷ୍ୟତ ମହାମାରୀ ଆଶଙ୍କାକୁ ରୋକିବାକୁ ହେବ। ଏଥିପାଇଁ ସାରା ବିଶ୍ୱ ଚାଇନା ସରକାରଙ୍କ ସହଯୋଗ ଚାହେଁ ବୋଲି ଆମେରିକାର ପ୍ରମୁଖ ରୋଗ ବିଶେଷଜ୍ଞ କହିଛନ୍ତି। ଚାଇନାର ଉହାନ୍‌ ଗବେଷଣାଗାରରୁ ସାର୍ସ-କୋଭ-୨ ଭୂତାଣୁ ବାହାରିଥିବା ସୂତ୍ର ପ୍ରତି ସମର୍ଥନ ବଢ଼ୁଥିବା ଆମେରିକାର ଖାଦ୍ୟ ଓ ଡ୍ରଗ୍‌ ପ୍ରଶାସନର ପୂର୍ବତନ କମିଶନର ସ୍କଟ୍‌ ଗୋଟ୍ଟଲିଏବ୍‌ କହିଛନ୍ତି। ତେବେ ଏହାକୁ ଭୁଲ୍‌ ପ୍ରମାଣିତ କରିବା ଲାଗି ଚାଇନା ଏପର୍ଯ୍ୟନ୍ତ ଯଥେଷ୍ଟ ତଥ୍ୟ ପ୍ରମାଣ ଦେଇନାହିଁ। ବନ୍ୟପ୍ରାଣୀଠାରୁ କୋଭିଡ୍‌ ଭୂତାଣୁ ସୃଷ୍ଟି ସମ୍ପର୍କରେ ମଧ୍ୟ ପ୍ରମାଣ ମିଳିପାରି ନ ଥିବା ଗୋଟ୍ଟଲିଏବ୍‌ ସିବିଏସ୍‌ ନ୍ୟୁଜ୍‌ର ‘ଫେସ୍‌ ଦି ନେଶନ’କୁ କହିଛନ୍ତି।
ଅନ୍ୟପକ୍ଷରେ ମହାମାରୀ କିପରି ଆରମ୍ଭ ହେଲା ଏବଂ ଏହା ଜଣା ନ ପଡ଼ିଲେ, ଭବିଷ୍ୟତରେ ଏଭଳି ମହାମାରୀର ଭୟ ରହିବ ବୋଲି ଟେକ୍ସାସ୍‌ ଚିଲ୍‌ଡ୍ରେନ୍‌ସ ହସ୍ପିଟାଲ ସେଣ୍ଟର ଫର୍‌ ଭାକ୍ସିନ ଡେଭେଲପମେଣ୍ଟର ସହନିର୍ଦ୍ଦେଶକ ପିଟର ହୋଟେଜ୍‌ କହିଛନ୍ତି। କୋଭିଡ୍‌-୧୯ର ମୂଳ ସମ୍ପର୍କରେ ସମ୍ପୂର୍ଣ୍ଣ ବୁଝି ନ ପାରିଲେ ଆମକୁ କୋଭିଡ୍‌-୨୬ ଏବଂ କୋଭିଡ୍‌-୩୨ ଭଳି ମହାମାରୀର ସମ୍ମୁଖୀନ ହେବାକୁ ପଡ଼ିପାରେ ବୋଲି ସେ ଏନ୍‌ବିସିର ‘ମିଟ୍‌ ଦି ପ୍ରେସ୍‌’ କାର୍ଯ୍ୟକ୍ରମରେ କହିଛନ୍ତି।
ଦେଢ଼ ବର୍ଷ ପୂର୍ବେ ଚାଇନାର ଉହାନସ୍ଥିତ ସାମୁଦ୍ରିକ ଖାଦ୍ୟ ବଜାରରେ କରୋନା ଭୂତାଣୁ ପ୍ରଥମେ ଚିହ୍ନଟ ହୋଇଥିଲା, ଯାହାର ମୂଳ ଉତ୍ସ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ଏହା ବନ୍ୟପ୍ରାଣୀଠାରୁ ମାନବ ଶରୀରକୁ ଆସିଥିବାର ସର୍ବାଧିକ ସମ୍ଭାବନା ରହିଥିବା ବୈଜ୍ଞାନିକମାନେ ପରିକଳ୍ପନା କରୁଛନ୍ତି। ତେବେ ଗବେଷଣା ଲାବ୍‌ରୁ ଭୁଲ୍‌ବଶତଃ ଉକ୍ତ ଭୂତାଣୁ ବାହାରକୁ ଆସିଥିବା ନେଇ ଆମେରିକା ଅଭିଯୋଗ କରିଆସୁଛି। ତୁରନ୍ତ ଭୂତାଣୁର ମୂଳ ଖୋଜି ବାହାର କରି ୯୦ ଦିନ ମଧ୍ୟରେ ରିପୋର୍ଟ ଦେବା ଲାଗି ଗତ ବୁଧବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଗୋଇନ୍ଦା ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ।

Share