Categories: ଜାତୀୟ

‘ଆମ ପାଇଁ କନ୍ୟା ଖୋଜିଦିଅ’

ମୁମ୍ବାଇ, ୨୩।୧୨:ମହାରାଷ୍ଟ୍ରରେ ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା କମିବାରେ ଲାଗିଛି। ଏହି କାରଣ ପାଇଁ ରାଜ୍ୟର ବହୁ ବିବାହଯୋଗ୍ୟ ଯୁବକ ବାହାହେବା ଲାଗି କନ୍ୟା ଖୋଜି ଖୋଜି ହତାଶ ହୋଇ ପଡ଼ିଛନ୍ତି। ତେବେ ଏ ପ୍ରକାର ସମସ୍ୟାକୁ ଦୂର କରିବା ପାଇଁ ସୋଲାପୁର ଜିଲାର ‘ବ୍ରାଇଡ୍‌ଗ୍ରୁମ୍‌ ମୋର୍ଚ୍ଚା’ ପକ୍ଷରୁ ନିଆରା ପ୍ରତିବାଦ ବୁଧବାର କରାଯାଇଛି। ଏକାଧିକ ବିବାହଯୋଗ୍ୟ ଯୁବକ ବର ବେଶରେ ଘୋଡ଼ାରେ ବସି ବ୍ୟାଣ୍ଡ, ବାଜା, ବରଯାତ୍ରୀ ନେଇ କଲେକ୍ଟରଙ୍କ ଅଫିସରେ ଦାବିପତ୍ର ଦେଇଛନ୍ତି। ମାର୍ଚ୍ଚରେ ସାମିଲ ହୋଇଥିବା ପ୍ରତ୍ୟେକ ବିବାହଯୋଗ୍ୟ ଯୁବକଙ୍କ ପାଇଁ ରାଜ୍ୟ ସରକାର କନ୍ୟା ଯୋଗାଡ଼ କରନ୍ତୁ ବୋଲି ସେମାନେ ନିଜ ଦାବି ପତ୍ରରେ ଉଲ୍ଲେଖ କରିଛନ୍ତି।
ରାଜ୍ୟରେ ପ୍ରତି ୧୦୦୦ ପୁଅଙ୍କ ମଧ୍ୟରେ ୮୮୯ ଝିଅ ରହିଥିବା ଯୋଗୁ ଯୁବକମାନଙ୍କୁ ବାହାହେବା ଲାଗି କନ୍ୟା ମିଳୁ ନାହାନ୍ତି। ଏ ପ୍ରକାର ନିଆରା ମାର୍ଚ୍ଚ ଦେଖି ହୁଏତ ଲୋକଙ୍କ ମନରେ କୌତୂହଳ ଜାତ ହେଉଥିବ କିନ୍ତୁ ବେଳ ଥାଉ ଏହାର ନିରାକରଣ କରାଯିବା ଜରୁରୀ ବୋଲି ଜ୍ୟୋତି କ୍ରାନ୍ତି ପରିଷଦର ପ୍ରତିଷ୍ଠାତା ରମେଶ ବରସ୍କାର କହିଛନ୍ତି। ଅନ୍ୟପକ୍ଷେ କନ୍ୟା ଭ୍ରୂଣ ହତ୍ୟା ଯୋଗୁ ଏହି ସମସ୍ୟା ଏବେ ବଡ଼ ଗମ୍ଭୀର ରୂପ ନେଇଥିବା ସେ ପ୍ରକାଶ କରିଛନ୍ତି। ଦେଶରେ ଲିଙ୍ଗ ନିରୂପଣ ବିରୋଧରେ ଲାଗୁ ଆଇନକୁ ଆହୁରି କଠୋର କରିବା ପାଇଁ ମଧ୍ୟ ଏହି ମାର୍ଚ୍ଚରେ ସାମିଲ ହୋଇଥିବା ଯୁବକ ଦାବି କରିଛନ୍ତି।

Share