ବାରିପଦା ଅଫିସ, ୧୦।୧: ରାଜା ରାଜୁଡ଼ା ଅମଳରୁ ଛଉନୃତ୍ୟକୁ ଆଦରି ଥିଲେ। ଭାରତର ବିଭିନ୍ନ ସ୍ଥାନରେ ଛଉନୃତ୍ୟ ବେଳେ ଢୋଲ ଓ ମହୁରି ବଜାଇ ବେଶ୍ ନାଁ କମାଇଥିଲେ। ୧୨ବର୍ଷ ବୟସରୁ ଛଉନୃତ୍ୟକୁ ନିଶା ଓ ପେସା ଭାବେ ଗ୍ରହଣ କରିଥିବା ମୟୂରଭଞ୍ଜ ଜିଲା ତେନ୍ତୁଳଡିଙ୍ଗା ଅଧୀନ ରଙ୍ଗିଆମ ସାହିର ଏହି ବର୍ଷୀୟାନ କଳାକାର ଭାନୁ ଘଡ଼େଇ(୭୦) ଆଜି ଅଲୋଡ଼ା ପାଲଟିଛନ୍ତି। ବଞ୍ଚିବା ପାଇଁ ଖୋଜୁଛନ୍ତି ରାହା। କଳାକାର ଭତ୍ତା ବାବଦକୁ ମାସକୁ ପାଉଥିବା ୧୨ଶହ ଟଙ୍କା ତାଙ୍କର ସାହାରା। କରୋନା ସମୟରେ ଛଉନୃତ୍ୟ ବନ୍ଦ ରହିିଥିବାରୁ ନିଜ କଳା ବୃତ୍ତିରୁ ଦୂରେଇଯାଇ ଅଳିଆଗଦାରୁ କାଗଜ ପେଟି ସଂଗ୍ରହ କରି ଜୀବିକା ନିର୍ବାହ କରୁଛନ୍ତି।
ମହାରାଜା ପ୍ରଦୀପ ଚନ୍ଦ୍ର ଭଞ୍ଜଦେଓଙ୍କ ବିବାହ ସମୟରେ ଢୋଲ ଓ ମହୁରି ବଜାଇ ବାରିପଦାସ୍ଥିତ ହରିବଳଦେବ ଜୀଉ ମନ୍ଦିରଠାରୁ ବେଲଗଡ଼ିଆସ୍ଥିତ ପ୍ୟାଲେସକୁ ସେ ଶୋଭାଯାତ୍ରାରେ ଆଣିଥିଲେ। ବିଭିନ୍ନ ରାଜ୍ୟରୁ ଆସିଥିବା ରାଜାଙ୍କ ସମ୍ମୁଖରେ ଛଉନୃତ୍ୟର ବାଦ୍ୟ ବଜାଇ ପ୍ରଶଂସା ସାଉଁଟିଛନ୍ତି। ନାଗିନ୍ ଗୀତର ସ୍ବରକୁ ମହୁରି ମାଧ୍ୟମରେ ପରିବେଷଣ କରି ରାଜାଙ୍କଠାରୁ ଟଙ୍କାର ହାର ଉପହାର ରୂପରେ ପାଇଥିଲେ। ଓଡ଼ିଶା ସମେତ ଦିଲ୍ଲୀ, ରାଜସ୍ଥାନ, ଗୁଜରାଟ, ପୁଣେ, ଗୋଆ ଆଦି ଶହେରୁ ଊର୍ଦ୍ଧ୍ୱ ସ୍ଥାନରେ ଛଉ ବାଦ୍ୟ ପରିବେଷଣ କରି ଜିଲା ପ୍ରଶାସନ ଓ ବିଭିନ୍ନ ସଙ୍ଗଠନ ପକ୍ଷରୁ ସେ ବହୁବାର ସମ୍ମାନିତ ହୋଇଛନ୍ତି। ଦକ୍ଷିଣ ଓ ଉତ୍ତର ସାହି ଛଉନୃତ୍ୟ ପ୍ରତିଷ୍ଠାନରେ ଭାନୁଙ୍କ ମହୁରି ବାଜିଲେ ମେଦିନୀ କମ୍ପିଥାଏ। ମହୁରି ଶବ୍ଦ ଶୁଣି ଦର୍ଶକଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳିଯାଇଥାଏ। ପୂର୍ବପୁରୁଷଙ୍କ ବାଦ୍ୟ କଳାକୁ ଆଦରି ଯୁବାବସ୍ଥାରେ ମାସକୁ ୬୦ଟଙ୍କା ଦରମାରେ ଛଉ ବାଦ୍ୟ ପରିବେଷଣ କରୁଥିଲେ। ଏବେ ସେ ଦୁର୍ଦ୍ଦଶାରେ କାଳ କାଟୁଛନ୍ତି। ସରକାରଙ୍କ ଆବାସ ଯୋଜନାରୁ ବଞ୍ଚିିତ ହୋଇଛନ୍ତି। ଜୀବନଜୀବିକା ନିମନ୍ତେ ଆବର୍ଜନାରୁ କାଗଜପେଟି ସଂଗ୍ରହ କରି କେଜି ୧୦ଟଙ୍କାରେ ବିକ୍ରି କରୁଛନ୍ତି। ଏଥିରୁ ଦିନକୁ ମାତ୍ର ୪୦/୫୦ଟଙ୍କା ରୋଜଗାର କରୁଛନ୍ତି। ବୃଦ୍ଧା ସ୍ତ୍ରୀ ଭାରତୀଙ୍କୁ ୬୦ ପାର ହୋଇଥିବା ବେଳେ ପରିବାର ଭରଣପୋଷଣ ପାଇଁ ସେ ମଧ୍ୟ ପ୍ରୟାସ ଜାରି ରଖିଛନ୍ତି। ଦୁଇ ଝିଅଙ୍କ ବାହାଘର ପରେ ପୁଅର ରୋଜଗାର ତାଙ୍କ ପରିବାର ପାଇଁ ନିଅଣ୍ଟ ହୋଇପଡୁଛି। ବଂଶାନୁକ୍ରମିକ କଳାକୁ ଆପଣାଇ ପୁଅ ଟାରଜନ ମଧ୍ୟ ମହୁରି ଓ ଢୋଲକୁ ଆପଣାଇଛନ୍ତି। ସରକାର ଭାନୁଙ୍କ ପ୍ରତି ସହାୟ ହେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ା