ଭଗ୍ନାବଶେଷ ତଳେ ଆତ୍ମୀୟଙ୍କ ସନ୍ଧାନ

ନ୍ୟୁୟର୍କ,୧୩।୧୨: ଆମେରିକାର କେଣ୍ଟକିରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ୬ ରାଜ୍ୟରେ ତାଣ୍ଡବ ରଚିଛି। ଏଥିରେ ୯୪ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଥିଲେ ହେଁ ପ୍ରକୃତ ସଂଖ୍ୟା ୧୦୦ରୁ ଅଧିକ ହେବ ବୋଲି ଆଶଙ୍କା କରାଯାଉଛି। ଝଡ଼ବର୍ଷାରେ ଘରଦ୍ୱାର ଭାଙ୍ଗିଯାଇଛି, ବଡ଼ବଡ଼ ଗଛ ଟଳିପଡ଼ିଛି। କେଉଁଠି ରେଳପଥରୁ ଟ୍ରେନ୍‌ ବିଚ୍ୟୁତ ହୋଇ ଓଲଟିପଡ଼ିଛି ତ ପୁଣି କେଉଁଠି ବିଶାଳ ଟାଓ୍ବାର ଧରାଶାୟୀ ହୋଇଛି। ଯେଉଁଆଡ଼େ ଅନେଇଲେ ଆଖି ଆଗରେ କେବଳ ଧ୍ୱଂସର ଚିତ୍ର। ବାତ୍ୟା ପ୍ରଭାବିତ ଲୋକେ ବ୍ୟାକୁଳ ହୋଇ ଭଗ୍ନାବଶେଷ ତଳେ ନିଜ ଆମତ୍ୀୟସ୍ବଜନଙ୍କୁ ଖୋଜିବାରେ ଲାଗିଛନ୍ତି। ଆମେରିକା ଇତିହାସର ୧୦୦ ବର୍ଷ ମଧ୍ୟରେ ଏହାକୁ ସବୁଠୁ ବଡ଼ ଘାତକ ବାତ୍ୟା କୁହାଯାଉଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ସର୍ବାଧିକ ପ୍ରଭାବିତ ରାଜ୍ୟ କେଣ୍ଟକିରେ ବିପର୍ଯ୍ୟୟ ଘୋଷଣା କରିଛନ୍ତି।
କେଣ୍ଟକିରେ ଶୁକ୍ରବାର ଆସିଥିବା ଝଡ଼ କେବଳ ଏହି ରାଜ୍ୟରେ ୮୦ ଜଣଙ୍କ ଜୀବନ ନେଇସାରିଲାଣି। ଲ୍ୟୁଟ୍‌ନାଣ୍ଟ ଗଭର୍ନର କାକେଲିନ୍‌ କୋଲ୍‌ମ୍ୟାନ୍‌ କହିଛନ୍ତି, ପ୍ରତି ଘଣ୍ଟାରେ ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଭାଙ୍ଗିରୁଜି ଯାଇଥିବା କୋଠାଗୁଡ଼ିକ ତଳେ ଚାପି ହୋଇଯାଇଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଜରୁରୀ ପ୍ରଶମନ ଟିମ୍‌ ପ୍ରାଣପଣେ ଉଦ୍ୟମ ଜାରି ରଖିଛି। ଧ୍ୱସ୍ତବିଧ୍ୱସ୍ତ ମେଫିଲ୍ଡ ସହରରେ ଝଡ଼ର ପ୍ରଭାବ ସବୁଠୁ ଅଧିକ ରହିଥିଲା। ଏପରି ବିପର୍ଯ୍ୟୟ ସୃଷ୍ଟିକାରୀ ବାତ୍ୟା ଜୀବନରେ କେବେ ଦେଖି ନ ଥିବା ସ୍ଥାନୀୟ କଂଗ୍ରେସମ୍ୟାନ୍‌ ଜେମ୍ସ କୋମର କହିଛନ୍ତି। ମେଫିଲ୍ଡସ୍ଥିତ ଏକ କ୍ୟାଣ୍ଡେଲ ଫ୍ୟାକ୍ଟ୍ରିରୁ ଶୁକ୍ରବାର ୪୦ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଆହୁରି ୬୦ ଜଣ ନିଖୋଜ ଥିବା ସମ୍ପୃକ୍ତ ଅଞ୍ଚଳକୁ ପରିଦର୍ଶନ କରିବା ପରେ ଗଭର୍ନର ଆଣ୍ଡି ବେଶିୟର ସୂଚନା ଦେଇଛନ୍ତି। ଗଭର୍ନରଙ୍କ ମତରେ ଶନିବାରଠାରୁ କେହି ଜଣେ ହେଲେ ଶ୍ରମିକ ଉକ୍ତ ଫ୍ୟାକ୍ଟ୍ରିରୁ ଜୀବନ୍ତ ଉଦ୍ଧାର ହୋଇନାହାନ୍ତି। ଯଦି ବା କେହି ଜୀବନ୍ତ ମିଳିଯିବେ ତାକୁ ଚମତ୍କାର ହିଁ କୁହାଯିବ।
ଏହି ଝଡ଼ରେ ଇଲିନୋଇସ୍‌ସ୍ଥିତ ଏଡ୍‌ଓ୍ବାଡର୍‌ସଭିଲେରେ ଥିବା ଆମାଜନର ଏକ ଗୋଦାମଘର ଭୁଶୁଡ଼ିପଡ଼ିବାରୁ ୬ ଜଣଙ୍କ ମୃତ୍ୟୁ ଘଟିଛି। ସେଠାରେ ଆହୁରି କେତେଜଣ ଫସିରହିଥିବା ପୋଲିସ କହିଛି। ରାଷ୍ଟ୍ରପତି ବାଇଡେନ୍‌ ଏକ ଫେଡେରାଲ ଏମର୍ଜେନ୍ସି ଡିଜାଷ୍ଟର ଡିକ୍ଲାରେଶନ ଘୋଷଣା କରିଛନ୍ତି। ଏଥିସହ କେଣ୍ଟକି ପାଇଁ ସ୍ବତନ୍ତ୍ର ପାଣ୍ଠି ଘୋଷଣା କରିଛନ୍ତି। ରାଜ୍ୟର ଲକ୍ଷ ଲକ୍ଷ ଲୋକ ବିଜୁଳି ଓ ପାଣିରୁ ବଞ୍ଚତ୍ତ ହୋଇଛନ୍ତି। ସମସ୍ତେ କେବଳ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି ସେମାନଙ୍କ ଆମତ୍ୀୟ ଲୋକ ଜୀବିତ ଥାଆନ୍ତୁ।

Share