ସଞ୍ଜୀବନୀର ସନ୍ଧାନ, ମୃତଦେହ ପୁଣି ବଞ୍ଚିବ !…

ଓ୍ବାଶିଂଟନ,୨୫।୧୦: ମାନବ ଇତିହାସରେ, ବହୁ ଲୋକ ଅମରତ୍ୱ ପାଇଁ ଇଚ୍ଛା କରିଥିବାର ଉଦାହରଣ ରହିଛି। କିନ୍ତୁ, ବିଜ୍ଞାନର ଜଟିଳତା ହେତୁ ତାଙ୍କ ସ୍ବପ୍ନ ପୂରଣ ହୋଇପାରି ନ ଥିଲା। ତେବେ ବର୍ତ୍ତମାନ ବୈଜ୍ଞାନିକମାନେ ଦାବି କରୁଛନ୍ତି ଯେ ମଣିଷର ଅମରତ୍ୱର ସ୍ବପ୍ନ ପୂରଣ ହୋଇପାରିବ। ଏଥିପାଇଁ ଆମେରିକାର ଏକ କମ୍ପାନୀ ପକ୍ଷରୁ ଯୋଜନା ଆରମ୍ଭ ହୋଇଛି। ମରିବା ପରେ ମଧ୍ୟ ମଣିଷକୁ ଜୀବନ୍ତ ରଖିପାରିବ ବୋଲି କମ୍ପାନୀ ଦାବି କରିଛି। ଏଥିପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ବର୍ଷକୁ ବର୍ଷ ଫି ଦେବାକୁ ପଡିବ। ପରବର୍ତ୍ତୀ ସମୟରେ ସଞ୍ଜୀବନୀ ମିଳିଲେ ମୃତଦେହକୁ ଜୀବିତ କରାଯିବ।

ଆମେରିକାର ଆରିଜୋନା, ସ୍କଟ୍ସଡେଲରେ ଅବସ୍ଥିତ ଆଲକୋର ଫାର୍ମ ନିଜକୁ କ୍ରାୟୋନିକ୍ସ କ୍ଷେତ୍ରରେ ଏକ ଅଗ୍ରଣୀ କମ୍ପାନୀ ଭାବରେ ସ୍ଥାନିତ କରି ପାରିଛି। କମ୍ପାନୀ ପକ୍ଷରୁ ମୃତ୍ୟୁ ପରେ ମୃତଦେହକୁ ଫ୍ରିଜ କରାଯିବ। ପରେ ବିଜ୍ଞାନର ଉନ୍ନତ କୌଶଳ ଦ୍ୱାରା ଏସବୁକୁ ଜୀବିତ କରାଯିବ ବୋଲିମକମ୍ପାନୀ ପକ୍ଷରୁ କୁହାଯାଇଛି। ମୃତ୍ୟୁ ପରେ, ମୃତଦେହ ଗୁଡ଼ିକର ମସ୍ତିଷ୍କରେ ତରଳ ନାଇଟ୍ରୋଜେନ ଭର୍ତ୍ତି କରାଯାଇ ଫ୍ରିଜ କରାଯିବ।

ମୃତ ଶରୀରକୁ ଫ୍ରିଜ କରିବାର ଦେୟ ବର୍ଷକୁ ୨ ନିୟୁତ ଡଲାର ରଖାଯାଇଛି। ଭାରତୀୟ ମୁଦ୍ରାରେ ଏହି ପରିମାଣ ପ୍ରାୟ ୧୫ କୋଟି ଟଙ୍କା ହେବ। ଏହି ଅର୍ଥ ଥରେ ଦେବାକୁ ପଡିବ। ମୃତଦେହର ସୁରକ୍ଷା ପାଇଁ ପ୍ରତିବର୍ଷ କମ୍ପାନୀ ୭୦୫ ଡଲାର ଫି ମଧ୍ୟ ରଖିଛି। ନ୍ୟୁରୋ ରୋଗୀଙ୍କ ପାଇଁ ଏକକାଳୀନ ଦେୟ ୮୦ ହଜାର ଡଲାର ରହିଛି। ଏଥିରେ କେବଳ ରୋଗୀଙ୍କ ମସ୍ତିଷ୍କକୁ ସଂରକ୍ଷିତ କରାଯିବ।

କମ୍ପାନୀର ସିଇଓ ମ୍ୟାକ୍ସ ମୋର୍‌ କହିଛନ୍ତି ଯେ, ଏହି ଯୋଜନା ବହୁ ଲୋକଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ଏପର୍ଯ୍ୟନ୍ତ ୧୮୪ ରୋଗୀଙ୍କ ମୃତଦେହ ଫ୍ରିଜ ହୋଇଛି।

ସମ୍ପ୍ରତି କମ୍ପାନୀର ସଦସ୍ୟ ସଂଖ୍ୟା ୧,୩୭୯ରେ ପହଞ୍ଚିଛି। ସଦସ୍ୟତା ଯୋଜନା ଫି ପରିବାରର ପ୍ରଥମ ସଦସ୍ୟଙ୍କ ପାଇଁ ବର୍ଷକୁ ୬୬୦ ଡଲାର ରହିଛି। ଏଥିରେ ୧୮ ବର୍ଷରୁ ଅଧିକ ପ୍ରତ୍ୟେକ ସମ୍ପର୍କୀୟଙ୍କ ପାଇଁ ପ୍ରାୟ ୫୦ ପ୍ରତିଶତ ରିହାତି ବ୍ୟବସ୍ଥା ମଧ୍ୟ ରହିଛି ବୋଲି ମ୍ୟାକ୍ସ ମୋର୍‌ କହିଛନ୍ତି

Share