ମଙ୍ଗଳ ଗ୍ରହରେ ପାଣିର ସନ୍ଧାନ !

ଓ୍ବାଶିଂଟନ, ୨୯।୯: ମଙ୍ଗଳଗ୍ରହରେ ପାଣିର ସନ୍ଧାନ ମିଳିଛି। ଏନେଇ ନାସାର ମହାକାଶ ବିଜ୍ଞାନୀ ସୂଚନା ଦେଇଛନ୍ତି। ମଙ୍ଗଳରେ ୩ଟି ହ୍ରଦ ରହିଥିବା ନାସା ପକ୍ଷରୁ ଦାବି କରାଯାଇଛି। ୨ ବର୍ଷ ତଳେ ମଙ୍ଗଳର ଦକ୍ଷିଣ ଗୋଲାର୍ଦ୍ଧରେ ଲୁଣି ପାଣି ହ୍ରଦର ସନ୍ଧାନ ମିଳିଥିଲା। ଏହି ହ୍ରଦ ବରଫ ତଳେ ରହିଥିବା ନାସା କହିଥିଲା। ପାଣିର ସନ୍ଧାନ ମିଳିବା ଯୋଗୁ ଭବିଷ୍ୟତରେ ମଙ୍ଗଳରେ ଜନବସତି ନିର୍ମାଣର ଆଶା ପୁଣି ମହାକାଶ ବିଜ୍ଞାନୀଙ୍କ ମଧ୍ୟରେ ଜାଗି ଉଠିଛି। ୟୁରୋପିଆନ୍‌ ସ୍ପେଶ୍‌ ଏଜେନ୍ସି (ଇଏସ୍‌ଏ) ଦ୍ୱାରା ନିର୍ମିତ ମହାକାଶ ଯାନ ଏକ୍ସପ୍ରେସ୍‌ ସ୍ଥାନରେ ବରଫ ତଳେ ଥିବା ଲୁଣି ହ୍ରଦ ସମ୍ପର୍କରେ ସୂଚନା ଦେଇଥିଲା। ଏହା ୨୦ କିମି ପରିମିତ ଅଞ୍ଚଳରେ ବ୍ୟାପିଥିବା ଜଣାପଡ଼ିଥିଲା। ଇତିମଧ୍ୟରେ ଏହି ମହାକାଶ ଯାନ ମଙ୍ଗଳର ଦକ୍ଷିଣ ଗୋଲାର୍ଦ୍ଧ ଉପରେ ୨୮ ଥର ଘୁରିବୁଲିଛି। ୨୦୧୨ରୁ ୨୦୧୯ ମଧ୍ୟରେ ଏହି ସ୍ଥାନ ଉପରେ ୧୩୪ ଥର ପରୀକ୍ଷା ନିରୀକ୍ଷା କରାଯାଇ ଫଟୋ ଉଠାଯାଇଛି। ଏସମ୍ପର୍କରେ ନେଚର ଆଷ୍ଟ୍ରୋନୋମି ପତ୍ରିକାରେ ଖବର ପ୍ରକାଶ ପାଇଛି। ଏହି ଲୁଣି ହ୍ରଦ ପାଖରେ ୩ଟି ଅନ୍ୟ ହ୍ରଦ ଥିବା ରୋମ୍‌ ବିଶ୍ୱ ବିଦ୍ୟାଳୟର ମହାକାଶ ବିଜ୍ଞାନୀ ଏଲନା ପେଟିନେଲି ସୂଚନା ଦେଇଛନ୍ତି। ୩ ଶହ ବର୍ଷତଳେ ମଙ୍ଗଳରେ ହୋଇଥିବା ପରିବର୍ତ୍ତନ ଯୋଗୁ ଏଠାରେ ପାଣି ସୃଷ୍ଟି ହୋଇଥିବା ସେ କହିଛନ୍ତି। ଏହାଦ୍ୱାରା ମଙ୍ଗଳରେ ଜୀବନ ଥିବାର ସମ୍ଭାବନା ରହିଛି ବୋଲି ଅଷ୍ଟ୍ରେଲିଆର ସ୍ବିନବର୍ନ ବିଶ୍ୱବିଦ୍ୟାଳୟର ପ୍ରଫେସର ଏଲନ ଡକି କହିଛନ୍ତି।

Share