ରାସ୍ତାକୁ ଗୋରୁ ଛାଡ଼ିଲେ ଜରିମାନା

ଅନୁଗୋଳ ଅଫିସ, ୧୩ା୯:ଅନୁଗୋଳ ସହରର ବିଭିନ୍ନ ରାସ୍ତାରେ ବୁଲା ଗୋରୁଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏଥିପାଇଁ ଅନେକ ସମୟରେ ଟ୍ରାଫିକ୍‌ ସମସ୍ୟା ଦେଖାଦେଉଛି। ଏପରି କି ଦୁର୍ଘଟଣା ଘଟି କେତେବେଳେ ଗୋରୁ ତ ଆଉ କେତେବେଳେ ବାଇକ୍‌ ଆରୋହୀଙ୍କ ଜୀବନ ଯାଉଛି। କିନ୍ତୁ ଗାଈ ରଖିଥିବା ମାଲିକମାନେ ଏଥିପ୍ରତି ସଚେତନ ହେଉନାହାନ୍ତି। ତେଣୁ ପୌରପାଳିକା ପକ୍ଷରୁ ସମସ୍ୟାର ସମାଧାନ ନେଇ ଉପାୟ ବାହାର କରାଯାଇଛି। ଏଣିକି ରାସ୍ତାରେ ବୁଲୁଥିବା ଗୋରୁଙ୍କ କାନରେ ବାରକୋଡ୍‌ ଥିବା ବ୍ୟାଜ ଲଗାଯିବ। ଏଥିରୁ ଗୋରୁ ମାଲିକଙ୍କ ପରିଚୟ ଜଣାପଡ଼ିବ। ତଦାରଖ କରିବାକୁ ଏକ ଟିମ୍‌ ରହିବ ଓ ଏମାନେ ବାରକୋଡ୍‌ ସ୍କାନ୍‌ କରି ମାଲିକଙ୍କ ନିକଟରୁ ଜରିମାନା ଆଦାୟ କରିବେ।
ପୌର କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ସହର ରାସ୍ତାରେ ବୁଲା ଗୋରୁଙ୍କ ପାଇଁ ନାନା ସମସ୍ୟା ଉପୁଜୁଛି। ଏହି ନୂଆ ବ୍ୟବସ୍ଥା ଲାଗୁ ହେଲେ ମାଲିକମାନେ ସାବାଡ୍‌ ହେବେ। ଗୋରୁଙ୍କ ପାଇଁ ଦୁର୍ଘଟଣା ଘଟିଲେ ମାଲିକମାନେ ଦାୟୀ ରହିବେ। ସିଧାସଳଖ ଜରିମାନା ଭରିବେ। ତେବେ ବୁଲା ଗୋରଙ୍କୁ ପ୍ରଥମେ ଚିହ୍ନଟ କରାଯିବ। ଏହାପରେ ତାଙ୍କ କାନରେ ବାରକୋଡ୍‌ ବ୍ୟାଜ ଲଗାଯିବ। ଏହି ବାରକୋର୍ଡରେ ଗୋରୁ ମାଲିକଙ୍କ ନାମ ସହ ଠିକଣା ରହିବ। ଏହାକୁ ସ୍କାନ୍‌ କରିବା ମାତ୍ରେ ମାଲିକ ନାମ ଓ ଠିକଣା ମେସିନ୍‌ରେ ଉପଲବ୍ଧ ହେବ। ଏହାପରେ ମାଲିକଙ୍କ ନିକଟକୁ ଜରିମାନା ନୋଟିସ ପୌର କର୍ତ୍ତୃପକ୍ଷ ପଠାଇବେ ବୋଲି ସୂଚନା ମିଳିଛି। ଏ ନେଇ ପୌର ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ କହିଛନ୍ତି, ରାସ୍ତାରେ ବୁଲା ଗୋରୁଙ୍କ ସଂଖ୍ୟା କମାଇବା ପାଇଁ ଏଭଳି ବ୍ୟବସ୍ଥା କରାଯାଉଛି। ଏହା ହେବା ଦ୍ୱାରା ମାଲିକମାନେ ସେମାନଙ୍କ ଗାଈକୁ ଘରେ ରଖିବେ। ଆଉ ରାସ୍ତାରେ ଟ୍ରାଫିକ୍‌ ବ୍ୟବସ୍ଥା ଉପୁଜିବ ନାହିଁ। ଏହି ବ୍ୟବସ୍ଥା ଖୁବ୍‌ ଶୀଘ୍ର ଆରମ୍ଭ ହେବ ବୋଲି ପୌର ନିର୍ବାହୀ ଅଧିକାରୀ ପ୍ରକାଶ କରିଛନ୍ତି।