କେନ୍ଦୁପତ୍ର ତୋଳାଳିଙ୍କ ପାରିଶ୍ରମିକରୁ ଫାଇନ ଅର୍ଥ ଆଦାୟ

କେନ୍ଦୁଝର,୨୫ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର କେନ୍ଦୁପତ୍ର ଡିଭିଜନ ଅଧିନସ୍ଥ କେନ୍ଦୁପତ୍ର ତୋଳାଳିମାନଙ୍କ ଇପିଏଫ୍‌ ନିୟମିତ ଜମା ନ କରିବାରୁ ୫୦ ହଜାର ଟଙ୍କା ଫାଇନ୍‌ ହୋଇଛି। ତେବେ ଏହି ଫାଇନ କେନ୍ଦୁପତ୍ର ତୋଳାଳିଙ୍କ ଫଣ୍ଡରୁ ପ୍ରଦାନ କରାଯାଇ ଥିବାରୁ ତୋଳାଳିମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ବିଭାଗୀୟ କର୍ମଚାରୀଙ୍କ ଖାମଖିଆଲ ମନଭାବ ଯୋଗୁ ତୋଳାଳିମାନଙ୍କ ଇପିଏଫ୍‌ ବାବଦକୁ ଅର୍ଥ ଜମା ହୋଇପାରିନାହିଁ। ଏଥିପାଇଁ ତୋଳାଳିମାନଙ୍କ ପାରିଶ୍ରମିକରୁ ଗଚ୍ଛିତ ଫଣ୍ଡ୍‌ରୁ କାହିଁକି ଆଦାୟ ହେବ ବୋଲି ଡିଭିଜନାଲ ସେକ୍ରେଟାରୀ ସଞ୍ଜୟ ଚୌଧୁରୀ ପ୍ରଶ୍ନ କରିଛନ୍ତି।

ଏହି ଡିଭିଜନ ଅଧୀନରେ ପ୍ରାୟ ୨୮ ହଜାର କେନ୍ଦୁପତ୍ର ତୋଳାଳି ରହିଛନ୍ତି। ଏଣୁ ଏହି ଅର୍ଥ ଖିଲାପ କରିଥିବା କର୍ମଚାରୀଙ୍କଠାରୁ ଆଦାୟ କରିବାକୁ ତୋଳାଳିମାନେ ଦାବି କରିଛନ୍ତି। ଏନେଇ କେନ୍ଦୁପତ୍ର ଡିଭିଜନର ଡିଏଫ୍‌ଓ କହିଛନ୍ତି, ସେ ପରେ ଯୋଗଦାନ କରିଛନ୍ତି। ଏଣୁ ସେ ବିଷୟରେ ଅବଗତ ନୁହନ୍ତି। ଏନେଇ ବୁଝି ପଦକ୍ଷେପ ନେବେ।