Categories: ଜାତୀୟ

ମୁସଲମାନ ଫେରିବାଲାଙ୍କଠାରୁ ସାମଗ୍ରୀ କିଣିଲେ ଜରିମାନା ୫୧୦୦ ଟଙ୍କା, ସୋସିଆଲ ମିଡ଼ିଆରେ ଗୁଜବ…

ଅହମଦାବାଦ, ୩।୭ : ରାଜସ୍ଥାନର ଉଦୟପୁରରେ ହୋଇଥିବା କହ୍ନେୟା ଲାଲଙ୍କ ହତ୍ୟା ଘଟଣା ବିରୋଧରେ ସମଗ୍ର ଦେଶରେ ଉତ୍ତେଜନା ଜାରି ରହିଛି। ଏହି ଘଟଣାର ବିରୋଧରେ ଗୁଜୁରାଟର ବନାସକାଣ୍ଠା ଜିଲାର ଏକ ଗାଁରୁ ଏକ ଖବର ଆସିଛି, ଯାହା ବେଶ୍‌ ଚିନ୍ତା ଜନକ।

ମୁସଲିମ ଫେରିବାଲାଙ୍କ ଠାରୁ ସାମଗ୍ରୀ ନ କିଣିବାକୁ ବନାସକାଣ୍ଠାର ଓ୍ବାଘାସାନ ଗ୍ରାମ ପଞ୍ଚାୟତ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ଗ୍ରାମ ପଞ୍ଚାୟତର ଲେଟର ପ୍ୟାଡରେ ଏକ ଅପିଲ କରାଯାଇଛି। ଏହା ସହିତ ଏହା ମଧ୍ୟ ଲେଖାଯାଇଛି ଯେ ଯିଏ ଏହି ନିୟମ ଭାଙ୍ଗିବ ତାଙ୍କୁ ୫୧୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ। ଯଦିଓ ସ୍ଥାନୀୟ ପ୍ରଶାସନ ଏହି ଲେଟର ପ୍ୟାଡକୁ ନକଲି ବୋଲି କହିଛି। ଏପରି ରିପୋର୍ଟ ଭୁଲ ବୋଲି ଲୋକଙ୍କୁ କୁହାଯାଇଛି। ଏଥିପ୍ରତି ସେମାନଙ୍କୁ ବିଶ୍ୱାସ ନ କରିବାକୁ କୁହାଯାଇଛି। ଏହି ପ୍ରସଙ୍ଗରେ ବନାସକାଣ୍ଠା ପ୍ରଶାସନର ପ୍ରତିକ୍ରିୟା ସାମ୍ନାକୁ ଆସିଛି।

ପ୍ରଶାସନ ତରଫରୁ କୁହାଯାଇଛି ଯେ ଓ୍ବାଘାସାନ ଗ୍ରାମ ପଞ୍ଚାୟତର ଲେଟର ହେଡରେ ଦିଆଯାଇଥିବା ନିର୍ଦ୍ଦେଶ ଅଧିକାରିକ ନୁହେଁ। ନ୍ୟୁଜ ଏଜେନ୍ସି ଅନୁଯାୟୀ ଜିଲା ଉନ୍ନୟନ ଅଧିକାରୀ ସ୍ବପ୍ନିଲ ଖେର କହିଛନ୍ତି ଯେ ଗ୍ରାମ ପଞ୍ଚାୟତର ଲେଟର ପ୍ୟାଡରେ ଏହି ନିର୍ଦ୍ଦେଶରେ ଦସ୍ତଖତ କରିଥିବା ବ୍ୟକ୍ତିଙ୍କ ପାଖରେ ଏପରି କରିବାର ଅଧିକାର ନାହିଁ, କାରଣ ଏହି ପଞ୍ଚାୟତ ବର୍ତ୍ତମାନ ଜଣେ ପ୍ରଶାସକଙ୍କ ଅଧୀନରେ ଅଛି ଏବଂ ସରପଞ୍ଚ ପଦ ପାଇଁ ନିର୍ବାଚନ ଖୁବ୍‌ ଶୀଘ୍ର ଅନୁଷ୍ଠିତ ହେବ। ପ୍ରଶାସକ ଏକ ସ୍ପଷ୍ଟୀକରଣ ଜାରି କରି କହିଛନ୍ତି ଯେ ଜାରି କରାଯାଇଥିବା ଚିଠି ଭିତ୍ତିହୀନ ଏବଂ ଏହାକୁ କେହି ଅନୁସରଣ କରିବା ଅନୁଚିତ। ଏଭଳି ଗୁଜବ ପ୍ରଚାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଜୁନ ୩୦ ରେ ଜାରି କରାଯାଇଥିବା ଏହି ଚିଠିରେ ଦର୍ଶାଯାଇଛି ଯେ ଉଦୟପୁରରେ ଟେଲରଙ୍କ ହତ୍ୟା ପରେ ଓ୍ବାଘାସାନ ଗାଁର ଦୋକାନୀମାନଙ୍କୁ ମୁସଲମାନ ସମ୍ପ୍ରଦାୟ ବିରୋଧରେ କାର୍ଯ୍ୟ କରିବାକୁ କୁହାଯାଇଛି। ଫେରିବାଲାଙ୍କ ଠାରୁ ସାମଗ୍ରୀ କିଣିବାକୁ ବାରଣ କରାଯାଇଛି। ଏଥିରେ ପୂର୍ବତନ ସରପଞ୍ଚ ମାଫିବେନ ପଟେଲଙ୍କ ଦସ୍ତଖତ ଏବଂ ଷ୍ଟାମ୍ପ ରହିଛି। ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସ୍ଥାନୀୟ ପ୍ରଶାସନର ନଜରକୁ ଆସିଥିବା ଏହି ଚିଠିରେ କୁହାଯାଇଛି ଯେ ଯଦି କୌଣସି ଦୋକାନୀ ମୁସଲମାନ ବ୍ୟବସାୟୀଙ୍କଠାରୁ ସାମଗ୍ରୀ ନେଉଥିବାର ଦେଖାଯାଏ, ତେବେ ତାଙ୍କୁ ୫୧୦୦ ଟଙ୍କା ଜରିମାନା କରାଯିବ । ଏହି ଟଙ୍କା ଗାଁ ଗୋଶାଳା ପାଇଁ ଖର୍ଚ୍ଚ ହେବ।

Share