ଅନୁଗୋଳ ଅଫିସ, ୩୦ା୯: ଅନୁଗୋଳ ଜିଲା ଖାଉଟି ବିବାଦ ବିଚାର ଆୟୋଗ ପକ୍ଷରୁ ଏକ ମାମଲାର ବିଚାର କରାଯାଇ ତାଳଚେର ଚାଇଁପାଳ ବିଦ୍ୟୁତ୍ ଡିଭିଜନକୁ ଜରିମାନା କରାଯାଇଛି। ଖାଉଟିଙ୍କୁ ମାନସିକ ଯନ୍ତ୍ରଣା ଦେଇଥିବାରୁ ୮୦ ହଜାର ଟଙ୍କା ଜରିମାନା ଦେବାକୁ ଆୟୋଗଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏକ ମାସ ମଧ୍ୟରେ ଉକ୍ତ ଅର୍ଥ ପ୍ରଦାନ ନ କଲେ ମାସିକ ୧୦ ପ୍ରତିଶତ ସୁଧ ଦେବାକୁ କୁହାଯାଇଛି। ଏଥିସହ ଅଞ୍ଚଳରେ ନୂଆ ଟ୍ରାନ୍ସଫର୍ମର ଲଗାଇବା ନଚେତ୍ ଅଭିଯୋଗକାରୀଙ୍କୁ ୧୬ କେଭିର ଟ୍ରାନ୍ସଫର୍ମର ଓ ନୂତନ ସର୍ଭିସ ଲାଇନ୍ ଯୋଗାଇ ଦେବାକୁ ନିର୍ଦ୍ଦେଶରେ ଉଲ୍ଲେଖ ରହିଛି। ତେବେ ଏହି ଟ୍ରାନ୍ସଫର୍ମର ବାବଦ ଅର୍ଥ ଖାଉଟି ପ୍ରଦାନ କରିବେ ବୋଲି ଆୟୋଗର ସଭାପତି ସରୋଜ କୁମାର ସାହୁ ଓ ସଦସ୍ୟ ସୁସ୍ମିତା ରଥ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକାଶ ଯେ, ତାଳଚେରସ୍ଥିତ ଚାଇଁପାଳ ବିଦ୍ୟୁତ୍ ଡିଭିଜନ ଅଧୀନ ବଡ଼ସିଙ୍ଗଡ଼ା ସ୍କୁଲ ସାହିର ଗ୍ରାହକ ଉପମା ପ୍ରଧାନ ୨୦୧୮ ମସିହାରୁ ଲୋ ଭୋଲଟେଜ ସମସ୍ୟାର ସମ୍ମୁଖୀନ ହେଉଥିଲେ। ସ୍କୁଲ ସାହିରେ ଶହେ କେଭିର ଟ୍ରାନ୍ସଫର୍ମର ବସିଥିବାବେଳେ ବିଦ୍ୟୁତ୍ ସଂଯୋଗକାରୀଙ୍କ ସଂଖ୍ୟା ଅଧିକ ହୋଇଥିବାରୁ ଉପମା ଲୋ ଭୋଲଟେଜ୍ ନେଇ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏ ନେଇ ସେ ୨୦୧୮ ମାର୍ଚ୍ଚ ୧୮ରେ ଚାଇଁପାଳ ଜେଇଙ୍କୁ ଲିଖିତ ଭାବେ ଅବଗତ କରିଥିଲେ। କିନ୍ତୁ କୌଣସି ପଦକ୍ଷେପ ନିଆଯାଇ ନ ଥିଲା। ତେଣୁ ସେ ବାଧ୍ୟ ହୋଇ ୨୦୨୦ ଜାନୁୟାରୀ ୭ରେ ଜିଲା ଖାଉଟି ବିବାଦ ବିଚାର ଆୟୋଗଙ୍କ ଦ୍ୱାରସ୍ଥ ହୋଇଥିଲେ।